ରୋହିତ ଶର୍ମାଙ୍କଠାରୁ ଭଲ ଉଦାହରଣ ନାହିଁ: ଆଥରଟନ୍

ଲଣ୍ଡନ: ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ବ୍ୟାଟିଂ କରୁଥିବାର ଦେଖିବା ଅତ୍ୟନ୍ତ ମନୋହର ଓ ମନ୍ତ୍ରମୁଗ୍ଧକର। ତାଙ୍କ ଟାଇମିଂ ବହୁ୍ତ ଭଲ। ଅଧିକାଂଶ ଯୁବ ବ୍ୟାଟ୍ସମ୍ୟାନଙ୍କଠାରୁ ସେ ଭଲ ପୁଲ୍ ସଟ୍ ଖେଳନ୍ତି। ସଟ୍ ଖେଳିଲା ବେଳେ ତାଙ୍କ ପାଖରେ ସେହି ଅତିରିକ୍ତ କିଛି ସେକେଣ୍ଡ ସବୁବେଳେ ଥାଏ। ସମ୍ଭବତଃ ଏହି କଳା ପାଇଁ ହିଁ ଟେଷ୍ଟ୍ କ୍ରି‌କେଟ୍‌ରେ ପାଳି ଆରମ୍ଭ କରିବାର ଛୋଟିଆ ଅବଧି ଭିତରେ ସେ ବେଶ୍ ସଫଳ ହୋଇପାରିଛନ୍ତି। ଇଂଲଣ୍ଡ କ୍ରିକେଟ୍ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାଇକେଲ ଆଥରଟନ୍ ଏହା କହିଛନ୍ତି। ରୋହିତ ଦିନିକିଆ କ୍ରିକେଟ୍‌ର ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ୍। ହେଲେ ଟେଷ୍ଟ୍ କ୍ରିକେଟ୍‌‌ରେ ତାଙ୍କ ପ୍ରଦର୍ଶନରେ ସ୍ଥିରତା ନଥିଲା। ଯାହା ପାଳି ଆରମ୍ଭ କରିବା ପରେ ସମ୍ଭବତଃ ଦୂର ହୋଇଯାଇଛି। ‘‘ ମୁଁ ରୋହିତଙ୍କ ଖେଳ ଦେଖିଲା ବେଳେ ଭାବେ ସେ କାହିଁକି ଟେଷ୍ଟ୍ କ୍ରିକେଟ୍‌ରେ ସଫଳ ହୋଇପାରିବେନି। ସେ ଜଣେ ଚମତ୍କାର ଖେଳାଳି। ତାଙ୍କ ସ୍ବାଭାବିକ ଖେଳ ହିଁ ମୋତେ ସବୁଠାରୁ ଅଧିକ ପ୍ରଭାବିତ କରିଥାଏ।

ଭାରତୀୟ କ୍ରିକେଟ୍‌ର ଅନ୍ୟତମ ମହାନ ତାରକା ତଥା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ ସହ ହୋଇଥିବା ଆଲୋଚନାକୁ ମନେ ପକାଇ ଆଥରଟନ୍ କହିଛନ୍ତି ଯେ ଦୁଇ ବର୍ଷ ପୂର୍ବେ ଦ୍ରାବିଡ଼ଙ୍କ ସହ ମୋର ଇଂଲଣ୍ଡ ଓ ଭାରତୀୟ ୧୯ ବର୍ଷରୁ କମ୍ କ୍ରିକେଟରଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ନେଇ ଆଲୋଚନା ହୋଇଥିଲା। ଭାରତୀୟ ଖେଳାଳିମାନେ ସାରା ବର୍ଷ କ୍ରିକେଟ୍ ଖେଳନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ଖେଳାଳିମାନେ ୬ ମାସ ବାହାରେ ଖେଳୁଥିଲା ବେଳେ ବାକି ସମୟ ବୋଲିଂ ମେସିନରେ ଘର ଭିତରେ ରହି ଅଭ୍ୟାସ କରନ୍ତି। ଏଥିପାଇଁ ଭାରତୀୟ କନିଷ୍ଠ କ୍ରିକେଟରମାନେ ସବୁବେଳେ ନିଜ ସ୍ବାଭାବିକ ଖେଳ ଖେଳିପାରନ୍ତି ବୋଲି ସେ କହିଥିଲେ। ଗତବର୍ଷ ଅକ୍ଟୋବର ମାସରୁ ଟେଷ୍ଟ୍ କ୍ରିକେଟ୍‌ରେ ପାଳି ଆରମ୍ଭ କରିବା ପରଠାରୁ ରୋହିତ ୧୦ ମ୍ୟାଚ୍‌ରୁ ୫୫୬ ରନ୍ କରିଛନ୍ତି।

ସମ୍ବନ୍ଧିତ ଖବର