ଅଷ୍ଟ୍ରେଲିଆ ମାନିଲା ବିଶ୍ବ‌କପ୍‌ ଯୋଜନା ‘ଅବାସ୍ତବ’

ଇସ୍ତଫା ଦେଲେ ‘ସିଏ’ ମୁଖ୍ୟ ରବର୍ଟସ

ମେଲ୍‌ବର୍ନ: ସାରା ବିଶ୍ବରେ ମହାମାରୀ କରୋନାର ସ୍ଥିତି ଯେଭଳି ରହିଛି ଏଥିରେ ଚଳିତ ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ ଲାଗି ଯୋଜନା କରିବା ଅବାସ୍ତବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ମାନିଛି। ଏହି ବିଶ୍ବକପ୍‌‌ ଖେଳିବା ଲାଗି ୧୬ ଦେଶ ଅଷ୍ଟ୍ରେଲିଆରେ ପହଞ୍ଚିବା କଷ୍ଟକର ହେବ ବୋଲି ‘ସିଏ’ର ହୃଦବୋଧ ହୋଇଛି। ଏହି ପ୍ରତିଯୋଗିତା ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର‌ରେ ଆୟୋଜିତ ହେବାର ସୂଚୀ ପ୍ରସ୍ତୁତ ହୋଇଛି। ହେଲେ କରୋନାରେ ସଂପ୍ରତି ସାରା ବିଶ୍ବରେ ୮୧ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଲେଣି। ଏହାକୁ ନଜରରେ ରଖି ବିଭିନ୍ନ ଦେଶ ବିଦେଶ ଗସ୍ତ ଉପରେ କଟକଣା ଲଗାଇଛନ୍ତି। ଏହି ବିଶ୍ବକପ୍‌ରେ ଭାଗନେବା ଲାଗି ୧୬ ଦେଶ ଅଷ୍ଟ୍ରେଲିଆ ଆସିବେ। ଏହା ମଧ୍ୟରୁ ଅଧିକାଂଶ ଦେଶ କରୋନା ବିପକ୍ଷରେ ଲଢ଼େଇ ଜାରି ରଖିଛନ୍ତି। ଏସବୁ ଦେଖିଲେ ବିଶ୍ବକପ୍‌ ଆୟୋଜନ ଯୋଜନା କଷ୍ଟକର ଏବଂ ଅବାସ୍ତବ ଭଳି ଲାଗୁଛି ବୋଲି ‘ସିଏ’ର ଅଧ୍ୟକ୍ଷ ଏରଲ ଏଡିଙ୍ଗ୍‌ ମଙ୍ଗଳବାର ଭିଡିଓ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଇସ୍ତଫା ଦେଲେ ‘ସିଏ’ ମୁଖ୍ୟ ରବର୍ଟସ
କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ରବର୍ଟସ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରବର୍ଟସଙ୍କ ଇସ୍ତଫାକୁ ଗ୍ରହଣ କରାଯିବା ସହ ତତ୍‌କ୍ଷଣାତ୍‌ ତାଙ୍କୁ କାର୍ଯ୍ୟରୁ ବିରତି ଦିଆଯାଇଛି। ଅଷ୍ଟ୍ରେଲିଆରେ ହେବାକୁଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହକ୍‌ଲିଙ୍କୁ ତାଙ୍କ ସ୍ଥାନରେ ଅସ୍ଥାୟୀ ଭାବେ ନିଯୁକ୍ତ କରାଯାଇଛି। କେଭିନ ମଧ୍ୟ ନେତୃତ୍ବ ବଦଳ ପାଇଁ ରାଜି ହୋଇଥିଲେ ବୋଲି ସିଏ ଅଧ୍ୟକ୍ଷ ଏରଲ ଏଡିଙ୍ଗ୍‌ ଗଣମାଧ୍ୟମକୁ ଭିଡିଓ କଲ୍‌ରେ ପ୍ରକାଶ କରିଛନ୍ତି। କରୋନା ମହାମାରୀ ଯୋଗୁଁ ସିଏ ଏପ୍ରିଲ ମାସରେ ମୁଖ୍ୟ କାର୍ଯ୍ୟାଳୟରୁ ୮୦ ପ୍ରତିଶତରୁ କମ୍‌ କର୍ମଚାରୀଙ୍କୁ ଛୁଟି ଦେବାକୁ ନି‌ଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିରେ ରବର୍ଟସ ଏକ ମତ ନ ହେବା ସହ ‌କ୍ରୀଡ଼ା ଘୋର ଅର୍ଥିକ ସଙ୍କଟକୁ ଗତି କରିବ ବୋଲି ଚେତାବନୀ ଦେଇଥିଲେ। ଯେଉଁଥିପାଇଁ ସେ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର