ଆଫ୍‌ଗାନିସ୍ତାନଠୁ ଅଳ୍ପକେ ବର୍ତିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌ : ଶୁକ୍ରବାର ଗ୍ରୁପ୍‌-୧ ଅନ୍ତର୍ଗତ ଆଫ୍‌ଗାନିସ୍ତାନ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଗତଥରର ବିଜେତା ତଥା ଏଥରର ବିଶ୍ବକପ୍‌ ଆୟୋଜକ ଅଷ୍ଟ୍ରେଲିଆ ପରାଜୟରୁ ଅଳ୍ପକେ ବର୍ତିଯାଇଛି। ଗ୍ଲେନ୍‌ ମ୍ୟାକ୍ସୱେଲ (୫୪* ରନ୍‌, ୩୨ ବଲ୍‌, ୬ ଚୌକା, ୨ ଛକା‌)ଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ସାଙ୍ଗକୁ ମିଚେଲ ମାର୍ଶ (୪୫ ରନ୍‌, ୩୦ ବଲ୍‌, ୩ ଚୌକା, ୨ ଛକା), ମାର୍କସ ଷ୍ଟୋଇନିସ୍‌ (୨୫ ରନ୍‌, ୨୧ ବଲ୍‌, ୨ ଛକା) ଏବଂ ଓପ୍‌ନର ଡେଭିଡ୍‌ ୱର୍ଣ୍ଣର (୨୫ ରନ୍‌, ୧୮ ବଲ୍‌, ୫ ଚୌକା)ଙ୍କ ଦ୍ରୁତ ପାଳି ବଳରେ ଟସ୍‌ ହାରି ବ୍ୟାଟିଂ ପାଇଥିବା ଅଷ୍ଟ୍ରେଲିଆ ୮ ୱିକେଟ୍‌ ବିନିମୟରେ ୧୬୮ ରନ୍‌ କରିପାରିଥିଲା। ତେବେ ୧୬୯ ରନ୍‌ର ପିଛା କରିଥିବା ଆଫ୍‌ଗାନିସ୍ତାନ ୧୫ ଓଭର ବେଳକୁ ୧୦୩/୬ରେ ସଂଘର୍ଷ କରିଥିଲା‌। ବିଶେଷକରି ସ୍ପିନର ଆଦାମ ଜାମ୍ପା (୪-୦-୨୨-୨) ରନ୍‌ ଗତିକୁ ରୋକିଥିଲେ। ତଥାପି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା ଆଫ୍‌ଗାନିସ୍ତାନ। ଶେଷ ୩ ଓଭରରୁ ବିଜୟ ପାଇଁ ୪୯ ରନ୍‌ ଆବଶ୍ୟକ ଥିଲା ବେଳେ ଡାର୍‌ୱିସ ରାସୋଲି (୧୫) ଓ ରସିଦ୍‌ ଖାନ୍‌ ପ୍ରହାର ଆରମ୍ଭ କରିଥିଲେ।

ଦୁହେଁ ସପ୍ତମ ୱିକେଟ୍‌ରେ ୨୭ ବଲ୍‌ରୁ ୪୫ ରନ୍ ଯୋଡ଼ି ଆଶା ଦେଇଥିଲେ। ୧୮ତମ ଓଭରରୁ ୧୬ ଓ ୧୯ତମ ଓଭରରୁ ୧୧ ରନ୍‌ ଆଦାୟ କରିବା ପରେ ସେହି ଓଭରର ଶେଷ ବଲ୍‌ରେ ଦାର୍‌ୱିସ୍‌ ରନ୍‌ ଆଉଟ୍‌ ହୋଇଯାଇଥିଲେ। ଫଳରେ ଶେଷ ଓଭରରୁ ବିଜୟ ପାଇଁ ୨୧ ରନ୍‌ ଦରକାର ଥିଲା। କିନ୍ତୁ ରସିଦ୍‌ ଖାନ୍‌ ଶେଷ ଓଭର ବୋଲିଂ କରିଥିବା ଷ୍ଟୋଇନିସ୍‌ଙ୍କ ବିପକ୍ଷରେ ଉଗ୍ର ରୂପ ଧାରଣ କରିଥିଲେ। ସେ ଦୁଇଟି ଚୌକା, ଗୋଟିଏ ଛକା ଓ ଗୋଟିଏ ୨ ସହ ମୋଟ ୧୬ ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଆଫ୍‌ଗାନିସ୍ତାନ ୧୬୪/୭ରେ ଅଟକିଯାଇ ମାତ୍ର ୪ ରନ୍‌ରେ ପରାଜୟ ବରଣ କରିଥିଲା। ରସିଦ୍‌ ଖାନ୍‌ ୨୩ ବଲ୍‌ରୁ ୩ ଚୌକା, ୪ ଛକା ସହାୟତାରେ ୪୮ ରନ୍‌ କରି ଅପରାଜିତ ରହିଥିଲେ। ଏହା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ଥିଲା। ଏହି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ସେମିଫାଇନାଲ୍‌ ଆଶା ଉଜ୍ଜୀବିତ ରଖିଛି। ତଥାପି ଯଦି ଏହି ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନକୁ ୧୦୬ ରନ୍‌ କିମ୍ବା ତା’ ତଳେ ଅଟକାଇ ପାରିଥା’ନ୍ତା ତାହାଲେ ଇଂଲଣ୍ଡ ରନ୍‌ ରେଟ୍‌କୁ ପଛରେ ପକାଇ ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିପାରିଥା‌’ନ୍ତା। ହେଲେ ଆଫ୍‌ଗାନିସ୍ତାନ ଏହା କରିବାକୁ ଦେଇନଥିଲା। ଗ୍ଲେନ୍‌ ମ୍ୟାକ୍ସୱେଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଅଷ୍ଟ୍ରେଲିଆ ୨୦ ଓଭରରେ ୧୬୮/୮ (ଗ୍ଲେନ୍‌ ମ୍ୟାକ୍ସୱେଲ-୫୪*, ମିଚେଲ ମାର୍ଶ-୪୫, ମାର୍କସ ଷ୍ଟୋଇନିସ୍‌-୨୫, ଡେଭିଡ୍‌ ୱର୍ଣ୍ଣର-୨୫, ନବୀନ ଉଲ୍‌ ହକ୍‌-୩/୨୧, ଫଜଲହକ୍‌ ଫାରୁକୀ-୨/୨୯, ମୁଜୀବ ଉର୍‌ ରହମନ-୧/୪୨, ରସିଦ୍‌ ଖାନ୍‌-୧/୨୯)। ଆଫ୍‌ଗାନିସ୍ତାନ ୨୦ ଓଭରରେ ୧୬୪/୭ (ରସିସ୍‌ ଖାନ୍‌-୪୮*, ଗୁଲ୍‌ବଦିନ ନାଏବ-୩୯, ରହମନୁଲ୍ଲା ଗୁର୍‌ବାଜ-୩୦, ଇବ୍ରାହିମ ଜଦ୍ରାନ-୨୬, ଜୋସ୍‌ ହାଜେଲଉଡ୍‌-୨/୩୩, ଆଦାମ ଜାମ୍ପା-୨/୨୨, କେନ୍‌ ରିଚାର୍ଡସନ-୧/୪୮)।

ଅମ୍ପାୟାରଙ୍କ ତ୍ରୁଟି ୫ ବଲ୍‌ରେ ଓଭର ଶେଷ
ଅଷ୍ଟ୍ରେଲିଆ-ଆଫ୍‌ଗାନିସ୍ତାନ ମ୍ୟାଚ୍‌ ବେଳେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଗୋଟିଏ ଓଭରରେ ୫ ବଲ୍‌ ବୋଲିଂ ହୋଇଥିଲା ବେଳେ ଏହା କିପରି ଅମ୍ପାୟାରଙ୍କ ଦୃଷ୍ଟିରୁ ହଟି ଯାଇଥିଲା ତା’କୁ ନେଇ ଚର୍ଚ୍ଚା ଚାଲିଛି। ଅଷ୍ଟ୍ରେଲିଆ ବ୍ୟାଟିଂ ବେଳେ ଚତୁର୍ଥ ଓଭର ବୋଲିଂ କରିଥିଲେ ଆଫ୍‌ଗାନିସ୍ତାନର ଦ୍ରୁତ ବୋଲର ନବୀନ ଉଲ୍‌ ହକ୍‌। ଡେଭିଡ୍‌ ୱର୍ଣ୍ଣର ଓ ମିଚେଲ ମାର୍ଶ କ୍ରିଜ୍‌ରେ ଥିଲେ। ସେହି ଓଭରର ପ୍ରଥମ ୪ ବଲ୍‌ରୁ ଦୁହେଁ ୯ (୧+୧+୪+୩) ରନ୍‌ ଆଦାୟ କରିବା ପରେ ପଞ୍ଚମ ବଲ୍‌ରୁ ରନ୍‌ ହୋଇପାରିନଥିଲା। ମାତ୍ର ନବୀନ ଉଲ୍‌ ହକ୍‌ ଷଷ୍ଠ ବଲ୍‌ ବୋଲିଂ କରିନଥିଲେ। ଏହାକୁ ମଧ୍ୟ ଅମ୍ପାୟାରମାନେ ଗଣିପାରିନଥିଲେ। ଅମ୍ପାୟାର ଲାଙ୍ଗଟନ୍‌ ରସେରେ ଓଭର ଶେଷ ହୋଇଥିବା ଘୋଷଣା କରିଥିଲେ। ଅମ୍ପାୟାରଙ୍କ ଏହି ତ୍ରୁଟିକୁ ଭାଷ୍ୟକାରମାନେ ଧରିଥିଲେ ମଧ୍ୟ ଖେଳାଳିମାନେ କୌଣସି ଅଭିଯୋଗ କରିନଥିଲେ। ଏହା ଅଷ୍ଟ୍ରେଲିଆ ପାଇଁ କ୍ଷତିକାରକ ହୋଇଥିଲେ ମଧ୍ୟ ଦଳ ମ୍ୟାଚ୍‌ ଜିତିଯିବାରୁ ଆଉ ବିଶେଷ ଅଭିଯୋଗ ବାଢ଼ିନଥିଲା।

ନବୀ ନେତୃତ୍ବରୁ ଓହରିଲେ
ବିଜୟଶୂନ୍ୟ ଭାବେ ଆଫ୍‌ଗାନିସ୍ତାନର ବିଶ୍ବକପ୍‌ ଅଭିଯାନ ଶେଷ ହୋଇଯିବା ପରେ ଅଧିନାୟକ ମହମ୍ମଦ ନବୀ ପଦତ୍ୟାଗ କରିଛନ୍ତି। ଦଳର ବିପର୍ଯ୍ୟୟ ପାଇଁ ସେ ଚୟନ ସମିତି ଉପରେ ଅସନ୍ତୋଷ ବ୍ୟକ୍ତ କରି ଅଧିନାୟକ ପଦ ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି। ତୁରନ୍ତ ଏହାକୁ ଗ୍ରହଣ କରିବାକୁ ବୋର୍ଡକୁ ଜଣାଇ ଦେଇଛନ୍ତି। ଆଗାମୀ ଦିନରେ ମ୍ୟାନେଜମେଣ୍ଟ୍‌ ଏବଂ ଦଳ ଚାହିଁଲେ ସେ ଦେଶ ପାଇଁ ଖେଳିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର