ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌: ଟସ୍‌ ଜିଣି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

ଦୁବାଇ: ସୁପର ସଣ୍ଡେରେ ସୁପର ମୁକାବିଲାରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଛନ୍ତି। ଦୁବାଇ ସ୍ଥିତ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ଟିମ୍‌ ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବ।

ତେବେ ଫଟାଫଟ୍‌ କ୍ରିକେଟ୍‌କୁ ଆଜି ନୂଆ ବିଶ୍ୱବିଜେତା ମିଳିବ। ଆଉ ମାତ୍ର କିଛି ମିନିଟ୍‌ ପରେ ହିଁ ଆରମ୍ଭ ହୋଇଯିବ ଏହି ମହା ଟ୍ରଫି ଟକ୍କର। ଦୁଇ ପଡ଼ୋଶୀ ତଥା ଟ୍ରାନ୍‌ସ-ତାସମାନ୍‌ ରାଷ୍ଟ୍ର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଅଧିକାଂଶ କ୍ରିକେଟ୍‌ ପଣ୍ଡିତଙ୍କ ଆକଳନକୁ ଭୁଲ ପ୍ରମାଣିତ କରି ଚଳିତ ଟିି-୨୦ ବିଶ୍ୱକପ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏଣୁ ଦୁଇଟି ଯାକ ଦଳ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପ୍ରଥମ ଥର ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ ତୋଳି ଧରିବାକୁ ଆପ୍ରାଣ ଉଦ୍ୟମ କରିବେ। ଯିଏ ଜିତୁ ନା କାହିଁକି ଟେ୍ଵଣ୍ଟି-୨୦ କ୍ରିକେଟ୍‌କୁ କିନ୍ତୁ ମିଳିଯିବ ନୂଆ ବିଶ୍ୱବିଜେତା। ମାତ୍ର କିଛି ବର୍ଷ ଭିତରେ ଲୋକପ୍ରିୟତାର ଶିଖର ଛୁଇଁଥିବା କ୍ରିକେଟ୍‌ର ଏହି ଛୋଟିଆ ଫର୍ମାଟ୍‌ର ଜାଜ୍ଜ୍ଵଲ୍ୟମାନ ଇତିହାସରେ ଯୋଡ଼ି ହୋଇଯିବ ନୂଆ ଅଧ୍ୟାୟ।

ସୁପର-୧୨ ପର୍ଯ୍ୟାୟରେ ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ୮ ପଏଂଟ ଲେଖାଏଁ ପାଇ ସେମିଫାଇନାଲକୁ ଯାଇଥିଲେ । ଅଷ୍ଟ୍ରେଲିଆ କେବଳ ଇଂଲଣ୍ଡଠାରୁ ହାରିଥିଲା । ଅନ୍ୟପଟେ ନ୍ୟୁଜିଲାଣ୍ଡ ପାକିସ୍ତାନଠାରୁ ପରାଜିତ ହୋଇଥିଲା । ସେମିଫାଇନାଲରେ ଉଭୟ ଦଳ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ପ୍ରଥମ ଥର ଟି-୨୦ ବିଶ୍ୱକପ୍‌‌ ଫାଇନାଲ ଖେଳୁଛି ନ୍ୟୁଜିଲାଣ୍ଡ । ତେଣୁ ଭଲ ପ୍ରଦର୍ଶନ କରି ଟାଇଟଲ ହାତେଇବାକୁ ଚେଷ୍ଟା କରିବ କିୱି ଦଳ । ସେହିପରି ପାକିସ୍ତାନ ବିପକ୍ଷରେ ସେମିଫାଇନାଲରେ ଜବରଦସ୍ତ ବିଜୟ ପରେ କଙ୍ଗାରୁ ଦଳର ମନୋବଳ ବେଶ୍ ଦୃଢ ରହିଛି । ତେଣୁ ଆଜି ଫାଇନାଲ ମ୍ୟାଚରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ ।

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ରେକର୍ଡ  

-ପ୍ରଥମ ଥର ଟି-୨୦ ବିଶ୍ୱକପ୍ ଫାଇନାଲ ଖେଳିବ ନ୍ୟୁଜିଲାଣ୍ଡ
-ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ ଜିତିନାହିଁ ଅଷ୍ଟ୍ରେଲିଆ
-ଟି-୨୦ରେ ୧୪ ଥର ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ
-ଅଷ୍ଟ୍ରେଲିଆ ୯ ଓ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍‌ରେ ବିଜୟୀ
-ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ବିଜୟ ୬୪.୨୮%
-ଅଷ୍ଟ୍ରେଲିଆ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ୩୫,୭୧%
-ଆଜି ଫାଇନାଲ ଜିତିଲେ ଟି-୨୦ରେ ବି ପ୍ରଥମ ସ୍ଥାନରେ ରହିବ ନ୍ୟୁଜିଲାଣ୍ଡ

ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟଟଲ, ଡାରେଲ ମିଚେଲ, କେନ୍‌ ୱିଲିୟମସନ୍‌ (ଅଧିନାୟକ), ଟିମ୍‌ ସେଫର୍ଟ, ଗ୍ଲେନ୍‌ ଫିଲିପ୍ସ, ଜେମ୍‌ସ ନୀସାମ, ମିଚେଲ ସାଣ୍ଟନର, ଟିମ୍‌ ସାଉଦି, ଆଦାମ ମିଲନେ, ଟ୍ରେଣ୍ଟ ବୋଲ୍‌ଟ, ଈଶ୍‌ ସୋଢ଼ି

ଅଷ୍ଟ୍ରେଲିଆ: ଡେଭିଡ୍‌ ୱାର୍ଣ୍ଣର, ଆରୋନ ଫିଞ୍ଚ୍‌ (ଅଧିନାୟକ), ମିଚେଲ ମାର୍ସ, ଷ୍ଟିଭେନ୍‌ ସ୍ମିଥ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ମାର୍କସ ଷ୍ଟୋଇନିସ୍‌, ମାଥ୍ୟୁ ୱେଦ୍‌, ପ୍ୟାଟ୍‌ କମିନ୍‌ସ, ମିଚେଲ ଷ୍ଟାର୍କ, ଆଦାମ ଜାମ୍ପା, ଜୋସ୍‌ ହାଜେଲଉଡ୍‌

ସମ୍ବନ୍ଧିତ ଖବର