ବଲ୍‌ବଏରୁ ବିଶ୍ବକପ୍, ହାର୍ଦିକ ସିଂହ

ଭୁବନେଶ୍ବର: ଦିନ ଥିଲା ଭାରତ ଛାଡ଼ି ବିଦେଶ ଚାଲିଯିବା କଥା ଚିନ୍ତା କରୁଥିଲେ ଭାରତୀୟ ବିଶ୍ବକପ୍ ଦଳର ସର୍ବକନିଷ୍ଠ ଖେଳାଳି ହାର୍ଦିକ ସିଂହ। ଆଜି କିନ୍ତୁ ସେ ବିଶ୍ବକପ୍ ଖେଳାଳି। କିଶୋରାବସ୍ଥା ପାର ହୋଇ ନଥିଲେ ମଧ୍ୟ ୧୯ ବର୍ଷୀୟ ହାର୍ଦିକ ଆଉ ମାତ୍ର ତିନି ଦିନ ପରେ ବିଶ୍ବକପ୍ ଖେଳିବାର ଅଭୁଲା ଅଭିଜ୍ଞତା ଲାଭ କରିବେ। ‌ଯାହା ଜଣେ ବଲ୍ ବଏ ଭାବେ ସେ କରିଥିବା ସଂଘର୍ଷର ଯଥାର୍ଥ ଉପହାର। ଏକ ହକି ପରିବାରରେ ଜନ୍ମ ହୋଇଥିବାରୁ ହାର୍ଦିକ ପିଲାବେଳୁ ଭାରତୀୟ ଦଳର ପ୍ରତିନିଧିତ୍ବ କରିବାର ସ୍ବପ୍ନ ଦେଖିଥିଲେ। ନିଜ ପୈତୃକ ଗାଁ ଜଳନ୍ଧରର କୁଶ୍ରୋପୁରରେ ଥିଲା ବେଳେ ‌ହକି ଇଣ୍ଡିଆ ଲିଗ୍‌ରେ ଢେର କିଛି ବର୍ଷ ସେ ବଲ୍ ବଏ କାମ ତୁଲାଇଥିଲେ। ସେଠା‌‌ରେ ଭାରତ ଏବଂ ଭାରତ ବାହାରର ବହୁ ନାମୀ ଦାମୀ ଖେଳାଳିଙ୍କ ସଂସ୍ପର୍ଶରେ ଆସିଥିଲେ। ତେବେ ସେ ଆଉ ବଲ୍ ବଏରେ ସମୀତ ରହିଯିବାକୁ ଚାହୁଁ ନଥିଲେ। ସେଥିପାଇଁ ସଂପର୍କିୟ ମାମୁଁ ତଥା ଭାରତୀୟ ହକି ଦଳର ପୂର୍ବତନ ଡ୍ରାଗ୍ ଫ୍ଲିକ୍ ସ୍ପେଶାଲିଷ୍ଟ ଜୁଗରାଜ ସିଂହଙ୍କ ପରାମର୍ଶରେ ଗାଁ ଛାଡ଼ି ମୋହାଲି ହକି ଏକାଡେମି (ଏମ୍‌ଏଚ୍‌ଏ) ଚାଲି ଯାଇଥିଲେ। ଏମ୍‌ଏଚ୍‌ଏରେ ଚାରି ବର୍ଷର ରହଣି ମଧ୍ୟରେ ହାର୍ଦିକଙ୍କ ଅନ୍ତର୍ଜାତୀୟ ହକି ଖେଳିବାର ଜିଦ୍ ଆହୁରି ପ୍ରଗାଢ ହୋଇଥିଲା। ତାଙ୍କ ପାଇଁ ବଡ଼ ବ୍ରେକ୍ ୨୦୧୬ରେ ମିଳିଥିଲା। ଉଦୀୟମାନ ତାରକାଙ୍କ ପ୍ରତିଭାକୁ ଚିହ୍ନି ହକି ଇଣ୍ଡିଆ ତାଙ୍କୁ ଉପକନିଷ୍ଠ ଏସୀୟ କପ୍ ଲାଗି ଭାରତୀୟ ଦଳର ଉପଅଧିନାୟକ ନିଯୁକ୍ତ କରିଥିଲା। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁ ନହାନ୍ତି। ଭାରତ ସ୍ବର୍ଣ୍ଣ ପଦକ ଜିତିବା ସହ ସେହିବର୍ଷର ହକି ଇଣ୍ଡିଆ ଲିଗ୍ ନିଲାମରେ ସେ ହଟ୍ ପ୍ରପର୍ଟି ପାଲଟି ଯାଇଥିଲେ। ମୂଳଦର କେବଳ ୨୬୦୦ ଡଲାର ଥିଲେ ମଧ୍ୟ ପଞ୍ଜାବ ୱାରିୟମର୍ସ ତାଙ୍କୁ ଏହାର ୧୫ ଗୁଣ ଅର୍ଥାତ୍ ୩୯୦୦୦ ଡଲାରରେ କିଣି ନେଇଥିଲା। ଯାହା ସେତେବେଳେ ବେଶ୍ ଚର୍ଚିତ ହୋଇଥିଲା। ହକି ଇଣ୍ଡିଆ ଲିଗ୍ ସହ ଜାତୀୟ ଏବଂ ଅନ୍ତର୍ଜାତୀୟ ହକିରେ ହାର୍ଦିକ ନିଜ ଚମକ ଦେଖାଇ ଚାଲିଥିଲେ। ଜୁଗରାଜଙ୍କ ମାର୍ଗଦର୍ଶନରେ ସଫଳତାର ସିଡ଼ି ଚଢ଼ି ଚାଲିଥିଲେ। ଚଳିତବର୍ଷ ପ୍ରାରମ୍ଭରେ ଏସୀୟ ଚାମ୍ପିଅନ୍ସ ଟ୍ରଫି ଲାଗି ଘୋଷିତ ଭାରତୀୟ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିଲେ ସେ। ଏହାପରେ ଭାରତୀୟ ଚୟନକର୍ତା ତାଙ୍କୁ ବିଶ୍ବକପ୍ ଦଳରେ ସ୍ଥାନ ଦେଇଥିଲେ। ଏତେ ଶୀଘ୍ର ବିଶ୍ବକପ୍ ଖେଳିବେ ବୋଲି ହାର୍ଦିକ ନିଜେ ମଧ୍ୟ ଆଶା ରଖି ନଥିଲେ। ଏବେ ସେ ଏଥିନେଇ ବେଶ୍ ଉତ୍ସାହିତ। ବିଶ୍ବକପ୍‌ରେ ହାର୍ଦିକ ଉଭୟ ରକ୍ଷଣଭାଗ ଏବଂ ମଧ୍ୟକ୍ରମ ଦାୟିତ୍ବରେ ରହିବେ। ବିନା ଚାପରେ ନିଜ ସ୍ବାଭାବିକ ଖେଳ ଖେଳିବାକୁ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ତାଙ୍କୁ ପରାମର୍ଶ ଦେଇଛନ୍ତି। ହରେନ୍ଦ୍ରଙ୍କ ପରାମର୍ଶ ମୁତାବକ ହାର୍ଦିକ ଭୁବନେଶ୍ବର ବିଶ୍ବକପ୍‌ରେ ନିଜ ଛାପ ଛାଡ଼ିବା ଲକ୍ଷ୍ୟରେ ରହିଛନ୍ତି। ହାର୍ଦିକ ତାଙ୍କ ପରିବାରର ପଞ୍ଚମ ପିଢ଼ିର ହକି ଖେଳାଳି। ତାଙ୍କ ପିତା ବରିନ୍ଦରପ୍ରୀତ ସିଂ ଓ ଜେ‌ଜେବାପା ଉଭୟ ହକି ଖେଳୁଥିଲେ। ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ରାଜବୀର କୌର ହେଉଛନ୍ତି ହାର୍ଦିକଙ୍କ ମାଉସି। ରାଜବୀର ଅଲିମ୍ପିଆନ୍ ଗୁରମେଲ ସିଂହଙ୍କୁ ବିବାହ କରିଛନ୍ତି। ହାର୍ଦିକ ବିଶ୍ବକପ୍ ଖେଳିବା ନେଇ ତାଙ୍କ ପିତା‌ ବରିନ୍ଦରପ୍ରୀତ ବେଶ୍ ଉତ୍ସାହିତ ଅଛନ୍ତି। ହେଲେ ତାଙ୍କ ସଫଳତା ଦେଖିବା ଲାଗି ଜେଜେବାପା ଆଉ ଜୀବୀତ ନଥିବାରୁ ସେ ଟିକିଏ ଦୁଃଖିତ ଅଛନ୍ତି।

ସମ୍ବନ୍ଧିତ ଖବର