ବଲ୍‌ ବିକୃତ ବିବାଦ, ବନ୍‌କ୍ରଫ୍ଟଙ୍କ ୟୁ-ଟର୍ଣ୍ଣ

ମେଲବର୍ଣ୍ଣ: ୨୦୧୮ ବଲ୍‌ ବିକୃତ ବିବାଦର ମୁଖ୍ୟ ଚରିତ୍ର ଥିବା ବୋଲର କାମେରନ୍ ବନକ୍ରଫ୍ଟ ନିଜ ଫିଙ୍ଗିବା ଛେପକୁ ଢ଼ୋକି ଦେଇଛନ୍ତି। ବଲ୍ ବିକୃତ ସମ୍ପର୍କରେ ଦଳର ଅନ୍ୟ ବୋଲରମାନେ ବି ଜାଣିଥିଲେ ବୋଲି କହିବାରୁ ଏହା ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ଏବେ ନିଜ ନୂଆ ଦାବିରୁ ଓହରିଯାଇଛନ୍ତି। କିଛି ନୂଆ ତଥ୍ୟ ନାହିଁ ବୋଲି କହି ଇଂଲଣ୍ଡରେ କାଉଣ୍ଟି ଖେଳୁଥିବା ବନକ୍ରଫ୍ଟ ୟୁ ଟର୍ଣ୍ଣ ମାରିଛନ୍ତି।

ବନ୍‌କ୍ରଫ୍ଟଙ୍କ ଦାବି ପରେ ମଧ୍ୟ ଦଳର ଅନ୍ୟ ବୋଲରମାନେ ଏକଥା ଜାଣିନଥିବା ସ୍ପଷ୍ଟ କରି ଦେଇଥିଲେ। ଘଟଣା ନୂଆ ମୋଡ଼ ନେବା ପରେ କ୍ରିକେଟ୍ ଅଷ୍ଟ୍ରଲିଆ (ସିଏ) ମଧ୍ୟ ଏହାର ପୁରୁଣା ଫାଇଲ୍‌ ଖୋଲିଥିଲା। ବନକ୍ରଫ୍ଟଙ୍କୁ ସିଏ ଯୋ‌ଗାଯୋଗ କରି ଅଧିକ ତଥ୍ୟ ମାଗିଥିଲା। ସିଏର ଜାତୀୟ ଦଳ ମୁଖ୍ୟ ବେନ୍‌ ଓଲିଭର୍‌ ଏବଂ ‌ଇଣ୍ଟେଗ୍ରିଟ୍ ୟୁନିଟ୍ ମୁଖ୍ୟ ରିବେକା ମରେ ତାଙ୍କୁ ଯୋଗାଯୋଗ କରି ତାଙ୍କ ପୂର୍ବ ବକ୍ତବ୍ୟରେ କିଛି ନୂଆ ସଂଯୋଗ କରାଯିବ କି ବୋଲି ପ୍ରଶ୍ନ କରିଥିଲେ। ସେ କିନ୍ତୁ ଏଡ଼ାଇଯାଇଥିଲେ।

୨୦୧୮ ମସିହାର ନ୍ୟୁଲାଣ୍ଡ୍‌ସ ଟେଷ୍ଟ୍ (ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ) ବଲ୍ ବିକୃତ ବିବାଦ ବିଶ୍ବ କ୍ରିକେଟ୍‌ରେ ଚହଳ ପକାଇ ଦେଇଥିଲା। ଏହାର ମୁଖ୍ୟ ଚରିତ୍ର ରହିଥିବା କାମେରନ୍‌ ବନ୍‌କ୍ରଫ୍ଟ ଶନିବାର ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ। ଷ୍ଟିଭେନ୍ ସ୍ମିଥ୍‌, ଡେଭିଡ୍ ୱାର୍ଣ୍ଣର ଓ ମୋ ବ୍ୟତୀତ ଅନ୍ୟ ଅଷ୍ଟ୍ରେଲୀୟ ବୋଲରମାନେ ମଧ୍ୟ ଏ ବିଷୟରେ ଅବଗତ ଥିଲେ ବୋଲି ବନ୍‌କ୍ରଫ୍ଟ ପ୍ରକାଶ କରିଥିଲେ। ଆନୁଷ୍ଠାନିକ ପଚରାଯିବା ବେଳକୁ କିନ୍ତୁ ୟୁ ଟର୍ଣ୍ଣ ମାରିଛନ୍ତି। ସେହି ମ୍ୟାଚ୍‌ରେ ଖେଳିଥିବା ଅନ୍ୟ ବୋଲରମାନେ ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ, ଜୋସ ହାଜଲେଉଡ୍, ନାଥନ୍ ଲାୟନ୍‌, ଅଲରାଉଣ୍ଡର୍‌ ମିଚେଲ୍ ମାର୍ସ ମଧ୍ୟ ଅବଗତ ନ ଥିବା ସ୍ପ‌ଷ୍ଟ କରି ଦେଇଥିଲେ।

ସୂଚନାଯୋଗ୍ୟ, ଏହି କଳଙ୍କିତ ଅଧ୍ୟାୟ ପାଇଁ ବନ୍‌କ୍ରଫ୍ଟଙ୍କୁ ୯ ମାସ ନିଲମ୍ବିତ କରାଯାଇଥିବା ବେଳେ ସ୍ମିଥ୍ ଓ ୱାର୍ଣ୍ଣରଙ୍କୁ ୧ ବର୍ଷ ଲେଖାଏଁ ବାସନ୍ଦ କରାଯାଇଥିଲା। ସ୍ମିଥଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଏବଂ ୱାର୍ଣ୍ଣରଙ୍କୁ ଆଜୀବନ ନେତୃତ୍ବ ନ ଦେବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଥିଲା। ଏହି ଚର୍ଚିତ ସ୍କାଣ୍ଡାଲ୍ ପରେ ଦଳର ମୁଖ୍ୟ ପ୍ରଶିକ୍ଷକ ଡାରେନ୍ ଲିମ୍ୟାନ୍ ମଧ୍ୟ ଇସ୍ତଫା ‌ଦେଇଥିଲେ।

ସମ୍ବନ୍ଧିତ ଖବର