ଆଇପିଏଲ୍‌: କୋହଲିଙ୍କ ଅର୍ଦ୍ଧଶତକ, ଗୁଜରାଟକୁ ୮ ଓ୍ପିକେଟରେ ପରାସ୍ତ କଲା ବାଙ୍ଗାଲୋର

ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଜି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୬୭ତମ ମୁକାବିଲାରେ ବାଙ୍ଗାଲୋର ଗୁଜରାଟକୁ ୮ ଓ୍ପିକେଟରେ ପରାସ୍ତ କରିଛି । ଦ୍ବିତୀୟ ପାଳିରେ ବାଙ୍ଗାଲୋର ୧୬୯ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୮.୪ ଓଭରରେ ୨ ୱିକେଟ ହରାଇ ୧୭୦ ରନ୍‌ କରି ବିଜୟ ହୋଇଛି । ବାଙ୍ଗାଲୋର ପକ୍ଷରୁ କୋହଲି ସର୍ବାଧିକ ୭୩ ରନ୍‌ କରିଥିବା ବେଳେ ଫାଫ୍ ଡୁ ପ୍ଲେସିସ୍ ୪୪ ରନ୍‌ ଓ ଗ୍ଲେନ୍ ମ୍ୟାକ୍ସୱେ ଦମ୍‌ଦାର ୧୮ ବଲରେ ୪୦ ରନ୍‌ କରି ବାଙ୍ଗାଲୋରକୁ ବିଜୟ ଦେଇଥିଲେ । ଗୁଜରାଟ ପକ୍ଷରୁ ରାସିଦ ଖାନ ୨ଟି ୱିକେଟ ନେଇଥିଲେ । ଏହି ବିଜୟ ସହ ବାଙ୍ଗାଲୋର ୧୬ ପଏଣ୍ଟ ସଂଗ୍ରହ କରି ଟେବୁଲ ତାଲିକାରେ ୪ର୍ଥରେ ରହିଛି ।

ଟସ୍‌ ଜିଣି ଗୁଜରାଟ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୬୮ ରନ୍‌ କରିଥିଲା। ଫଳରେ ବାଙ୍ଗାଲୋରକୁ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଗୁଜରାଟ ପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୬୨ ରନ୍‌ କରିଥିଲେ। ସେ ୪୭ଟି ବଲ୍‌ ଖେଳି ୪ ଚୌକା ଓ ୩ ଛକା ମାରି ଅପରାଜିତ ଥିଲେ। ଡାଭିଡ ମିଲରଙ୍କ ବ୍ୟାଟ୍‌ରୁ ଦଳକୁ ୩୪ ରନ୍‌ ମିଳିଥିଲା। ଋଦ୍ଧିମାନ ସାହା ୩୧ ରନ୍‌ ଓ ଶୁଭମନ୍‌ ଗିଲ ମାତ୍ର ୧ ରନ୍‌ କରି ପାଭିଲିଅନ୍‌ ଫେରି ଯାଇଥିଲେ।

ସେହିପରି ମ୍ୟାଥୁ ଓ୍ଵାଡେ ମଧ୍ୟ ଅଧିକ ସମୟ ଧରି କ୍ରିଜ୍‌ରେ ରହିପାରି ନ ଥିଲେ। ସେ ୧୩ଟି ବଲ୍‌ ସାମ୍ନା କରି ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ରାହୁଲ ତିଓ୍ଵାତିଆ ମାତ୍ର ୨ ରନ୍‌ କରି ପାଭଲିଅନ୍‌ ଫେରିଯାଇଥିଲେ। ବାଙ୍ଗାଲୋର ପକ୍ଷରୁ ଜୋସ୍‌ ହେଜେଲଉଡ୍‌ ୨ଟି ଓ୍ଵିକେଟ୍‌ ନେଇଥିଲେ। ଗ୍ଲେନ୍‌ ମେକ୍ସୱେଲ ଓ ଓ୍ଵାନେନ୍ଦୁ ହସ୍‌ରଙ୍ଗାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର