ବାଂଲାଦେଶ କ୍ରିକେଟର୍‌ଙ୍କ ଧର୍ମଘଟ, ଭାରତ ଗସ୍ତ ନେଇ ପ୍ରଶ୍ନବାଚୀ

ବାଂଲାଦେଶ ଆସିବ: ଗାଙ୍ଗୁଲି

ଢ଼ାକା: ସୋମବାରଠାରୁ ବାଂଲାଦେଶ କ୍ରିକେଟରମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଫଳରେ ଆସନ୍ତା ମାସ ପ୍ରାରମ୍ଭରୁ ଭାରତ ଗସ୍ତ କରିବାକୁ ଥିବା ଏହି ଦଳର ଖେଳାଳିଙ୍କ ଆଗମନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୧୧ ଦଫା ଦାବିରେ ଧର୍ମଘଟ ଆରମ୍ଭ କରିଥିବା ଏହି ଖେଳାଳିମାନେ କହିଛନ୍ତି ଆମ ସମସ୍ୟା କଥା ବୁଝା ନ ଯିବା ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ। ସୋମବାର ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଏକାଡେମି ପଡ଼ିଆରେ ସକିବ୍ ଅଲ ହାସନ୍‌, ମହମ୍ମଦୁଲ୍ଲା, ତମିମ୍ ଇକବାଲ୍‌ ଏବଂ ମୁସଫିକର ରହିମଙ୍କ ଭଳି ପ୍ରମୁଖ ଅନ୍ତର୍ଜାତୀୟ ଖେଳାଳିମାନେ ଏକାଠି ହୋଇ ଧର୍ମଘଟ ଘୋଷଣା କରିଥିଲେ। ଦାବି ପ୍ରତି ଧ୍ୟାନ ଦିଆନଗଲେ ଖେଳାଳିମାନେ ସମସ୍ତ ପ୍ରକାର କ୍ରିକେଟ୍ କାର୍ଯ୍ୟକଳାପରୁ ବିରତ ରହିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଧମକ ଦେଇଛନ୍ତି। ଖେଳାଳିମାନେ ରଖିଥିବା ଦାବି ମଧ୍ୟରେ ସପ୍ତମ ବାଂଲାଦେଶ ପ୍ରିମିୟର୍ ଲିଗ୍‌ର ଦରମା ପ୍ରସଙ୍ଗ ଅନ୍ତୁର୍ଭୁକ୍ତ ରହିଛି। ସମସ୍ତ ଘରୋଇ କ୍ରିକେଟର୍‌ଙ୍କୁ ଏହି ଧର୍ମଘଟରେ ସାମିଲ କରାଯାଇଛି, କେବଳ ବିଶ୍ବକପ୍‌ ଦୃଷ୍ଟିରୁ ୧୯ ବର୍ଷରୁ କମ୍ ଦଳର ଖେଳାଳିଙ୍କୁ ଏଥିରେ ସଂଶ୍ଲିଷ୍ଟ କରାଯାଇନାହିଁ ବୋଲି ସକିବ୍ କହିଛନ୍ତି। ଘରୋଇ କ୍ରିକେଟରଙ୍କ ପାଉଣା ବୃଦ୍ଧି, କେନ୍ଦ୍ରୀୟ ଚୁକ୍ତିରେ ଖେଳାଳିଙ୍କ ସଂଖ୍ୟା ବଢ଼ାଇବା ଏବଂ ପାଉଣା ବଢ଼ାଇବା ଭଳି ବହୁ ଦାବି ରହିଛି। ବାଂଲାଦେଶ କ୍ରିକେଟର୍‌ଙ୍କ କଲ୍ୟାଣ ସଂଘର ସଭାପତି ଏବଂ ସମ୍ପାଦକଙ୍କୁ ମଧ୍ୟ ତୁରନ୍ତ ଇସ୍ତଫା ଦାବି କରିଛନ୍ତି ଏହି ଖେଳାଳିମାନେ।

ସୂଚନାଯୋଗ୍ୟ, ଆସନ୍ତାମାସରୁ ବାଂଲାଦେଶ ଦଳ ୩ ଟି-୨୦ ଏବଂ ୨ ଟେଷ୍ଟ୍ ମ୍ୟାଚ୍‌ ବିଶିଷ୍ଟ ଦୁଇ ଶୃଙ୍ଖଳା ଖେଳିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀରେ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ନଭେମ୍ବର ୩ ତାରିଖରେ ଟି-୨୦ରୁ ଆରମ୍ଭ ହେବ। ତେବେ ଏହି ଗସ୍ତ ନେଇ ଏବେ ବି‌ କୌଣସି ବିପଦ ନାହିଁ ବୋଲି ଜଣେ ବିସିବି ଅଧିକାରୀ ପ୍ରକାଶ କରିଛନ୍ତି।

ବାଂଲାଦେଶ ଆସିବ: ଗାଙ୍ଗୁଲି
କୋଲକାତା: ବିସିସିଆଇର ନବନିର୍ବାଚିତ ସଭାପତି ସୌରଭ ଗାଙ୍ଗୁଲି ବାଂଲାଦେଶର ଭାରତ ଆଗମନ ନେଇ ସକରାତ୍ମକ ଥିବା ପ୍ରକାଶ କରିଛନ୍ତି। ଏହା ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ, ସେମାନେ ଏହାକୁ ସମାଧାନ କରିନେବେ। ଏହା ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିବାରୁ ମୋତେ ବିସିସିଆଇ ସହ କଥା ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର