ବାରବାଟୀ ପ୍ରସ୍ତୁତ: ପହଞ୍ଚିଲେ ଖେଳାଳି

ଭାରତ ଓ ଦକ୍ଷିଣ ଆଫ୍ରିକା ଦଳକୁ ଭବ୍ୟ ସ୍ବାଗତ

ଭୁବନେଶ୍ବର : ଗୁରୁବାର ରାତିରେ ନୂଆଦିଲ୍ଲୀରେ ପ୍ରଥମ ଟ୍ବେଣ୍ଟି-୨୦ରେ ପରାଜୟ ବରଣ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ଶୁକ୍ରବାର ଭୁବନେଶ୍ବର ପହଞ୍ଚିଛି। ଭାରତୀୟ ଦଳ ସହ ପ୍ରଥମ ମ୍ୟାଚ୍‌ ବିଜୟୀ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ଆସି ରାଜଧାନୀରେ ପହଞ୍ଚିଛନ୍ତି। ଉଭୟ ଦଳର ‌ଖେଳାଳି ଓ ଅଫିସିଆଲ୍‌ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲ୍ ମେ’ ଫେୟାର୍‌ରେ ପହଞ୍ଚିଥିଲେ। ସେଠାରେ ପାରମ୍ପରିକ ରୀତି ନୀତି, ବାଜା, ଘୋଡ଼ାନାଚ, ପୁଷ୍ପଗୁଛ ଓ ଚନ୍ଦନ ଟୋପା ମଧ୍ୟରେ ଖେଳାଳିଙ୍କୁ ସ୍ବାଗତ କରାଯାଇଛି।

କିଛି ଖେଳାଳି କୋଭିଡ୍‌ ସଂକ୍ରମଣକୁ ନଜରରେ ରଖି ‌ଫୁଲତୋଡ଼ା ଗ୍ରହଣ କରିନଥିଲେ। ମାସ୍କ ପରିଧାନ କରିନଥିବା ଲୋକଙ୍କଠାରୁ ଦୂରେଇ ରହିଥିଲେ। ବିଜୁ ପଟ୍ଟନାୟକ ବିମାନବନ୍ଦରଠାରୁ ଜୟଦେବ ବିହାର ଛକ ଓ ‌ହୋଟେଲ୍ ମେ’ ‌ଫେୟାର୍‌ ପର୍ଯ୍ୟନ୍ତ ବିଭିନ୍ନ ଛକରେ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଖେଳାଳିଙ୍କ ଉପରେ ଟିକିଏ ନଜର ପକାଇନେବା ପାଇଁ ଲମ୍ବା ସମୟ ଅପେକ୍ଷା କରିଥିଲେ। ହୋଟେଲ୍ ଭିତରେ ମଧ୍ୟ ପ୍ରତି ‌ଖେଳାଳିଙ୍କ ଫଟୋଚିତ୍ର ସହିତ ସ୍ବତନ୍ତ୍ର ମିଠା ଓ କେକ୍‌ ପ୍ଲେଟ୍‌ ପ୍ରସ୍ତୁତ ରହିଥିଲା। ଲୋ କ୍ୟାଲୋରି ଥିବା ମିଠା ସହିତ ସ୍ବାସ୍ଥ୍ୟକର ପାନୀୟ, ଜୁସ ଓ ସୁପ୍ ଆଦି ଦିଆଯାଇଥିଲା।

 

ଖେଳାଳିମାନେ ଶୁକ୍ରବାର ସମ୍ପୂର୍ଣ୍ଣ ବିଶ୍ରାମ ନେବା ସହ ହୋଟେଲ୍ ବାହାରକୁ ଯିବେ ନାହିଁ ବୋଲି ସୂଚନା ଦିଆଯାଇଛି। ଶନିବାର ଉଭୟ ଦଳ ବାରବାଟୀ ପିଚ୍‌ ଦେଖିବା ସହ ସେଠାରେ ଅଭ୍ୟାସ କରିବେ। ଦକ୍ଷିଣ ଆଫ୍ରିକା ଦଳ ୧୧.୩୦ରୁ ହୋଟେଲ ଛାଡ଼ି ବାରବାଟୀରେ ଅପରାହ୍‌ଣ ୧ଟା ବେଳେ ଅଭ୍ୟାସ ଆରମ୍ଭ କରିବାର ସୂଚୀ ରହିଥିଲା ବେଳେ ଭାରତୀୟ ଦଳ ଅପରାହ୍‌ଣ ୩ଟାରେ ହୋଟେଲ ଛାଡ଼ି ୫ଟା ବେଳେ ଅଭ୍ୟାସକୁ ଓହ୍ଲାଇବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର