ବସନ୍ତଙ୍କ ବିସ୍ଫୋରଣରେ ସର୍ଭିସେସ୍‌ ସଫା, ୨୭୧ ରନ୍‌କୁ ପିଛା କରି ଓଡ଼ିଶା ୪୩/୦

ବସନ୍ତଙ୍କ ୨୨ତମ ୫ ୱିକେଟ୍‌

ଭୁବନେଶ୍ବର: କଟକ ନିକଟସ୍ଥ ଟାଙ୍ଗୀର ଡ୍ରିମ୍‌ସ ପଡିଆରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିବସରେ ବସନ୍ତ ମହାନ୍ତିଙ୍କ ବୋଲିଂ ବିସ୍ଫୋରଣରେ ପ୍ରତିପକ୍ଷ ସର୍ଭିସେସ୍‌ର ପ୍ରଥମ ପାଳି ୨୭୧ ରନ୍‌ରେ ଶେଷ ହୋଇଯାଇଛି। ଅଭିଜ୍ଞ ଦ୍ରୁତ ବୋଲର ବସନ୍ତ ୬/୬୯‌ ବୋଲିଂ ଚିତ୍ର ସହିତ ଚଳିତ ଋତୁରେ ନିଜର ପ୍ରଥମ ୫ ୱିକେଟ୍ ସଫଳତା ପାଇଛନ୍ତି। ଏହାର ଜବାବରେ ଘରୋଇ ଓଡ଼ିଶା ଦଳ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କୌଣସି ୱିକେଟ୍ ନ ହରାଇ ୪୩ ରନ୍‌ କରି ନେଇଛି। ଅନୁରାଗ ଷଡ଼ଙ୍ଗୀ (୩୩*, ୬୧ ବଲ୍‌, ୬ ଚୌକା) ଏବଂ ଶାନ୍ତନୁ ମିଶ୍ର (୧୦*, ୩୫ ବଲ୍‌, ୧ ଚୌକା) ବ୍ୟାଟିଂ କରୁଛନ୍ତି।

ମଙ୍ଗଳବାର ସକାଳେ ୪ ଜଣିଆ ପେସ୍‌ ଆକ୍ରମଣରେ ପଡ଼ିଆକୁ ଓହ୍ଲାଇଥିବା ଓଡ଼ିଶା ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ବସନ୍ତ ମହାନ୍ତି ନିଜ ଦ୍ବିତୀୟ ଓଭର ତଥା ପାଳିର ତୃତୀୟ ଓଭରରେ ଗୋଟିଏ ବଲ୍‌ ବ୍ୟବଧାନରେ ମମତାଜ କାଦିର (୦) ଏବଂ ରବି ଚୌହାନ (୦)ଙ୍କୁ ଆଉଟ୍ କରି ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ନିଷ୍ପତ୍ତିକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ। କାଦିରଙ୍କୁ ବୋଲ୍‌ଡ କରିବାର‌ ଗୋଟିଏ ବଲ୍‌ ପରେ ଚୌହାନଙ୍କୁ ୱିକେଟ୍‌ରକ୍ଷକ ସୁଜିତ ଲେଙ୍କାଙ୍କ ଗ୍ଲୋଭ୍‌ସରେ ଧରାଇ ନେଇଥିଲେ। କିଛି ସମୟ ପରେ ଅରୁଣ ବମଲ (୧୨)ଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ନିଜ ଶିକାର କରିବାରୁ ସର୍ଭିସେସ୍ ୨୮/୩ରେ ସଂଘର୍ଷ କରିଥିଲା। ଏହି ସମୟରେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ନକୁଲ ବର୍ମା (୫୩, ୭୮ ବଲ୍‌, ୧୦ ଚୌକା) ଏବଂ ଅଧିନାୟକ ରଜତ ପାଲିୱାଲ (୫୮, ୮୭ ବଲ୍‌, ୯ ଚୌକା)ଙ୍କ ମଧ୍ୟରେ ଅର୍ଧଶତକୀୟ (୫୩ ରନ୍‌) ଭାଗୀଦାରି ହୋଇଥିଲା। ନକୁଳଙ୍କୁ ରାଜେଶ ମହାନ୍ତି କଟ୍ ବିହାଇଣ୍ଡ୍ କରାଇ ଏହି ଭାଗୀଦାରିକୁ ଅଲଗା କରିଥିଲେ। ଏହା ପରେ ରଜତ ପାଲିୱାଲଙ୍କ ସହ ମିଶି ରାହୁଲ ସିଂହ (୫୫, ୫୪ ବଲ୍‌, ୭ ଚୌକା, ୩ ଛକା) ଆଉ ଏକ ଅର୍ଧଶତକୀୟ ଭାଗୀଦାରି (୯୩ ରନ୍‌, ୧୭.୩ ଓଭର) କରିଥିଲେ। ଅପରାହ୍ନରେ ବସନ୍ତ ମହାନ୍ତି ଉଭୟ ରାହୁଲ ଓ ରଜତଙ୍କୁ ଲଗାତାର ଓଭରରେ ଆଉଟ୍ କରି ଓଡ଼ିଶାକୁ ପୁଣି ପ୍ରତ୍ୟାବର୍ତନ ପଥକୁ ଆଣିଥିଲେ। ଦେବେନ୍ଦ୍ର ଲୋଚବ (୯) ଏବଂ ବିକାଶ ହାଥୱାଲା (୧୫)ଙ୍କ ୱିକେଟ୍‌କୁ ମଧ୍ୟ ବସନ୍ତ ଲଗାତାର ଭାବେ ନେଇଥିଲେ। ଏହା ପରେ ବିସ୍ଫୋରକ ବ୍ୟାଟିଂ କରିଥିବା ଦୀବେଶ ପଠାନିଆ (୨୪, ୧୭ ବଲ୍‌, ୨ ଚୌକା, ୨ ଛକା) ଏବଂ ସଦାବ ନଜର (୨୯, ୩୫ ବଲ୍‌, ୩‌ ଚୌକା, ୧ ଛକା) ଦଶମ ୱିକେଟ୍ ଭାଗୀଦାରିରେ ବହୁମୂଲ୍ୟ ୪୩ ରନ୍‌ ଯୋଡ଼ିଥିଲେ। ଉଭୟଙ୍କୁ ଯଥାକ୍ରମେ ରାଜେଶ ମହାନ୍ତି ଏବଂ ଏକମାତ୍ର ସ୍ପିନର୍‌ ଅଭିଷେକ ରାଉତ ଆଉଟ୍ କରି ସର୍ଭିସେସ୍‌ ପାଳିକୁ ଶେଷ କରିଥିଲେ।

ସଂକ୍ଷିପ୍ତ ସ୍କୋର: ସର୍ଭିସେସ୍‌ ପ୍ରଥମ ପାଳି: ୬୬.୧ ଓଭରରେ ୨୭୧ (ରଜତ ପାଲିୱାଲ-୫୮, ରାହୁଲ ସିଂହ-୫୫, ନକୁଳ ବର୍ମା-୫୩, ବସନ୍ତ ମହାନ୍ତି-୬/୬୯, ରାଜେଶ ମହାନ୍ତି-୨/୬୨, ଅଭିଷେକ ରାଉତ-୧/୪, ସୂର୍ଯ୍ୟକାନ୍ତ ପ୍ରଧାନ-୧/୮୯)। ଓଡ଼ିଶା ପ୍ରଥମ ପାଳି: ୧୬ ଓଭରରେ ୪୩/୦ (ଅନୁରାଗ ଷଡ଼ଙ୍ଗୀ-୩୩*, ଶାନ୍ତନୁ ମିଶ୍ର-୧୦*)।

ବସନ୍ତଙ୍କ ୨୨ତମ ୫ ୱିକେଟ୍‌
ଦୀର୍ଘ ୧୨ ବର୍ଷର ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନ ମଧ୍ୟରେ ଦ୍ରୁତ ବୋଲର ବସନ୍ତ ମହାନ୍ତି ମଙ୍ଗଳବାର ୨୨ତମ ଥର ପାଇଁ ୫ ୱିକେଟ୍ ସଫଳତା ପାଇଛନ୍ତି। ମଙ୍ଗଳବାର ସର୍ଭିସେସ୍‌ ବିପକ୍ଷ ୨୦-୫-୬୯-୬ ବୋଲିଂ ଚିତ୍ର ତାଙ୍କ ଅଭିଜ୍ଞତା ଓ ଶାଣିତ ବୋଲିଂର ଆଉ ଏକ ନମୂନା ଦେଖାଇଛି। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତିଙ୍କ ନୂଆ ବଲ୍‌ ଭାଗୀଦାରି ଭାବେ ସିଲିଗୁଡିରୁ ନିଜ ଖେଳ ଜୀବନ ଆରମ୍ଭ କରିଥିବା ୩୩ ବର୍ଷୀୟ ବସନ୍ତ ଏବେ ୯୩*ତମ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ନିଜ ମୋଟ ୱିକେଟ୍ ସଂଖ୍ୟାକୁ ୩୬୫ରେ ପହଞ୍ଚାଇଛନ୍ତି। ଏହା ମଧ୍ୟରେ ୩ ଥର ୧୦ ୱିକେଟ୍ ମ୍ୟାଚ୍‌ ସଫଳତା ମଧ୍ୟ ସମିଲ ରହିଛି। ଗତ ବର୍ଷ ଡିସେମ୍ବରରେ ସେ ରାଜସ୍ଥାନ ବିପକ୍ଷରେ ୧୧ ୱିକେଟ୍‌ ସଫଳତା ପାଇଥିଲେ ମଧ୍ୟ ଓଡ଼ିଶା ସେହି ମ୍ୟାଚ୍‌କୁ ୩୫ ରନ୍‌ରେ ହାରିଯାଇଥିଲା।

ସମ୍ବନ୍ଧିତ ଖବର