ବିସିସିଆଇ ବାର୍ଷିକ ଚୁକ୍ତି ଧୋନି ଖସିଲେ, ସାମି ବାଦ୍‌

କୋହଲିଙ୍କ ସମେତ ୫ ଜଣ ପାଇବେ ୭ କୋଟି ଅଶ୍ୱିନ୍‌, ଜାଦେଜା, ବିଜୟ ପାଇବେ ୫ କୋଟି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ବୁଧବାର ୨୦୧୭-୧୮ ବର୍ଷ ପାଇଁ ଖେଳାଳିଙ୍କ ବାର୍ଷିକ ଚୁକ୍ତି ତାଲିକା ଘୋଷଣା କରିଛି। ୨୦୧୭ ଅକ୍ଟୋବରରୁ ୨୦୧୮ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହି ତାଲିକା ଉଦ୍ଦିଷ୍ଟ। ପ୍ରଦର୍ଶନ ଓ ସ୍ଥିତିକୁ ବିଚାରକୁ ନିଆଯାଇ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ମୋଟ ୨୬ ଖେଳାଳି ସ୍ଥାନ ପାଇଛନ୍ତି। ହେଲେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନାଁ କୌଣସି ଗ୍ରେଡ୍‌ରେ ସାମିଲ ନାହିଁ। ନିଜ ପତ୍ନୀଙ୍କ ପକ୍ଷରୁ ମାମଲାରେ ଛନ୍ଦି ହୋଇପଡ଼ିଥିବା କାରଣରୁ ବିସିସିଆଇ ସାମିଙ୍କ ନାମ ବିଚାରକୁ ନେଇନଥିବା କୁହାଯାଉଛି। ବିସିସିଆଇ ମଧ୍ୟ ପ୍ରଥମ ଥର ଲାଗି ଏ+ ଗ୍ରେଡ୍‌ ପ୍ରଚଳିତ କରିଛି। ଏହି ଗ୍ରେଡ୍‌ରେ ସାମିଲ ଖେଳାଳି ବାର୍ଷିକ ସର୍ବାଧିକ ୭ କୋଟି ଲେଖାଏଁ ଟଙ୍କା ପାଇବେ। ଏଥିରେ ୫ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅଧିନାୟକ ବିରାଟ କୋହଲି, ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମା ଓ ଶିଖର ଧଓ୍ଵନ୍‌ ଏବଂ ଦୁଇ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ଜସ୍‌ପ୍ରିତ୍‌ ବୁମ୍‌ରା। ତେବେ ଗତବର୍ଷ ପର୍ଯ୍ୟନ୍ତ ଶୀର୍ଷ ଗ୍ରେଡ୍‌ରେ ସ୍ଥାନ ପାଇ ଆସିଥିବା ଦୁଇ ପ୍ରମୁଖ ଖେଳାଳି ମହେନ୍ଦ୍ର ସିଂହ ଧୋନି ଓ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଏଥର ଖସି ଯାଇଛନ୍ତି। ଏହି ଦୁଇ ଜଣଙ୍କ ସମେତ ୭ ଖେଳାଳି ଗ୍ରେଡ୍‌-ଏରେ ସାମିଲ ହୋଇଛନ୍ତି। ଏମାନେ ବାର୍ଷିକ ୫ କୋଟି ଲେଖାଏଁ ପାଇବେ। ସେହିପରି ଗ୍ରେଡ୍‌-ବି ଓ ଗ୍ରେଡ୍‌-ସିରେ ମଧ୍ୟ ୭ ଜଣ ଲେଖାଏଁ ସ୍ଥାନ ପାଇଛନ୍ତି। ଗ୍ରେଡ୍‌-ବି ଖେଳାଳିଙ୍କୁ ୩ କୋଟି ଏବଂ ଗ୍ରେଡ୍‌-ସି ଖେଳାଳିଙ୍କୁ ବାର୍ଷିକ ୧ କୋଟି ଲେଖାଏଁ ଟଙ୍କା ମିଳିବ। ଅନ୍ୟପକ୍ଷରେ ମହିଳା କ୍ରିକେଟର୍‌ଙ୍କ ବାର୍ଷିକ ଚୁକ୍ତି ତାଲିକାରେ ବିଶ୍ୱକପ୍‌ ତାରକା ମିତାଲି ରାଜ୍‌, ଝୁଲଣ ଗୋସ୍ୱାମୀ, ହର୍‌ମନ୍‌ପ୍ରୀତ୍‌ କର ଏବଂ ସ୍ମୃତି ମାନ୍ଧାନା ଶୀର୍ଷ ଗ୍ରେଡ୍‌ରେ ସାମିଲ ହୋଇଛନ୍ତି। ବାର୍ଷିକ ଚୁକ୍ତି ଅନୁଯାୟୀ ଏହି ମହିଳା ଖେଳାଳିମାନେ ୫୦ ଲକ୍ଷ ଲେଖାଏଁ ଟଙ୍କା ବୋର୍ଡଠୁ ପାଇବେ। ଗ୍ରେଡ୍‌ ଏ+ (୭ କୋଟି): ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ଵନ୍‌, ଭୁବନେଶ୍ୱର କୁମାର, ଜସ୍‌ପ୍ରିତ୍‌ ବୁମ୍‌ରା। ଗ୍ରେଡ୍‌ ଏ (୫ କୋଟି): ରବିଚନ୍ଦ୍ରନ୍‌ ଅଶ୍ୱିନ୍‌, ରବୀନ୍ଦ୍ର ଜାଦେଜା, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରହାଣେ, ମହେନ୍ଦ୍ର ସିଂହ ଧୋନି, ରିଦ୍ଧିମାନ ଶାହା। ଗ୍ରେଡ୍‌ ବି (୩ କୋଟି): ଲୋକେଶ ରାହୁଲ୍‌, ଉମେଶ ଯାଦବ, କୁଲ୍‌ଦୀପ୍‌ ଯାଦବ, ୟୁଜ୍‌ବେନ୍ଦ୍ର ଚହଲ୍‌, ହାର୍ଦିକ୍‌ ପାଣ୍ଡ୍ୟା, ଦୀନେଶ କାର୍ତିକ, ଈଶାନ୍ତ ଶର୍ମା। ଗ୍ରେଡ୍‌ ସି (୧ କୋଟି): କେଦାର ଯାଦବ, ମନୀଷ ପାଣ୍ଡେ, ଅକ୍ଷର ପଟେଲ, କରୁଣ ନାୟାର, ସୁରେଶ ରାଇନା, ପାର୍ଥିବ ପଟେଲ, ଜୟନ୍ତ ଯାଦବ।

ସମ୍ବନ୍ଧିତ ଖବର