କୋହଲି, ଧୋନିଙ୍କ ସହ ୬ ଜଣଙ୍କୁ ବିଶ୍ରାମ

ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ପାଇଁ ଦଳ ଘୋଷିତ ସୁନ୍ଦର, ଶଙ୍କର, ସିରାଜ୍‌, ହୁଦା, ପନ୍ତ୍‌ ସାମିଲ ରୋହିତ ଅଧିନାୟକ, ଧଓ୍ଵନ୍‌ ଉପଅଧିନାୟକ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ ୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଆୟୋଜିତ ନିଦାସ ଟ୍ରଫି ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ପୂର୍ବ ଅନୁମାନ ଅନୁଯାୟୀ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା ଦଳରୁ ଅଧିନାୟକ ବିରାଟ କୋହଲି, ଓ୍ଵିକେଟ୍‌ରକ୍ଷକ ମହେନ୍ଦ୍ର ସିଂହ ଧୋନି, ଦୁଇ ଦ୍ରୁତ ବୋଲର ଭୁବନେଶ୍ୱର କୁମାର, ଜସ୍‌ପ୍ରିତ୍‌ ବୁମ୍‌ରା,ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟାଙ୍କ ସହିତ ଚାଇନାମ୍ୟାନ୍‌ ସ୍ପିନର କୁଲ୍‌ଦୀପ୍‌ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି। ଏହି ୬ ଜଣଙ୍କୁ ବିଶ୍ରାମ ଦିଆଯାଇଥିଲା ବେଳେ ସେମାନଙ୍କ ସ୍ଥାନରେ ନୂଆ ୫ ଜଣଙ୍କୁ ସୁଯୋଗ ଦିଆଯାଇଛି। ଦୁଇ ଅଲ୍‌ରାଉଣ୍ଡର ଓ୍ଵାସିଂଟନ୍‌ ସୁନ୍ଦର ଓ ବିଜୟ ଶଙ୍କର, ଦ୍ରୁତ ବୋଲର ମହମ୍ମଦ ସିରାଜ୍‌, ବ୍ୟାଟ୍‌ସମ୍ୟାନ୍‌ ଦୀପକ ହୁଦା ଏବଂ ଓ୍ଵିକେଟ୍‌ ରକ୍ଷକ ଋଷଭ ପନ୍ତ୍‌ ନୂଆ ଖେଳାଳି ଭାବେ ଘୋଷିତ ୧୫ ଜଣିଆ ଦଳରେ ସାମିଲ ହୋଇଛନ୍ତି। କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା କାମଚଳା ଅଧିନାୟକ ମନୋନୀତ ହୋଇଥିଲା ବେଳେ ତାଙ୍କ ସାଥୀ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଉପଅଧିନାୟକ ରହିଛନ୍ତି। ଲମ୍ବା ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ଅଧିକାଂଶ ଖେଳାଳି ବିଶ୍ରାମ ଚାହିଁଥିଲା ବେଳେ କେତେକଙ୍କୁ ଆଗାମୀ ଜୁଲାଇରେ ଇଂଲଣ୍ଡ ଗସ୍ତକୁ ଦୃଷ୍ଟିରେ ରଖି ଆମେ ବିଶ୍ରାମ ଦେଇଛୁ ବୋଲି ମନୋନୟନ ସମିତି ଅଧ୍ୟକ୍ଷ ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି। ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ଗସ୍ତରେ ସମସ୍ତ ୧୧ (୩ ଟେଷ୍ଟ, ୫ ଦିନିକିଆ ଓ ୩ ଟେ୍ଵଣ୍ଟି-୨୦) ମ୍ୟାଚ୍‌ ଖେଳିଥିଲା ବେଳେ କୋହଲି ଓ ଭୁବନେଶ୍ୱର କୁମାର ୧୦ ଲେଖାଏଁ ମ୍ୟାଚ୍‌ ଖେଳିଥିଲେ। ଧୋନି ମଧ୍ୟ ବିଶ୍ରାମ ପାଇଁ ଆବେଦନ କରିଥିଲେ। ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଖେଳାଳିମାନେ ମଧ୍ୟ ଆଇପିଏଲ୍‌ ଖେଳିବେ। ସେହି ଦୃଷ୍ଟିରୁ ପ୍ରମୁଖ ଖେଳାଳିଙ୍କୁ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଥିବା ପ୍ରସାଦ କହିଛନ୍ତି। ନୂଆ କରି ସୁଯୋଗ ପାଇଥିବା ବରୋଦାର ହୁଦା ଓ ତାମିଲନାଡୁର ବିଜୟ ଭାରତୀୟ-ଏ ଦଳର ନିୟମିତ ସଦସ୍ୟ ରହି ଆସୁଛନ୍ତି। ଏବର ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ପାଇଁ ଏହି ଦୁଇ ଜଣ ମଧ୍ୟ ଭାରତୀୟ ଦଳର ସଦସ୍ୟ ଥିଲେ। ପନ୍ତ୍‌ ଘରୋଇ ପ୍ରତିଯୋଗିତାରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ତେଣୁ ବରିଷ୍ଠ ଦଳରେ ସେମାନଙ୍କୁ ସୁଯୋଗ ଦିଆଗଲା ବୋଲି ପ୍ରସାଦ କହିଛନ୍ତି। ଘରୋଇ ଶ୍ରୀଲଙ୍କା, ଭାରତ ଓ ବାଂଲାଦେଶକୁ ନେଇ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଆୟୋଜିତ ହେବ। ପ୍ରତ୍ୟେକ ଦଳ ପରସ୍ପର ସହ ଦୁଇଥର ଲେଖାଏଁ ମ୍ୟାଚ୍‌ ଖେଳିବେ।

ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ୍‌ (ଉପଅଧିନାୟକ), ଲୋକେଶ ରାହୁଲ୍‌, ସୁରେଶ ରାଇନା, ମନୀଷ ପାଣ୍ଡେ, ଦୀନେଶ କାର୍ତିକ, ଦୀପକ୍‌ ହୁଦା, ଓ୍ଵାସିଂଟନ୍‌ ସୁନ୍ଦର, ୟୁଜ୍‌ବେନ୍ଦ୍ର ଚହଲ୍‌, ଅକ୍ଷର ପଟେଲ, ବିଜୟ ଶଙ୍କର, ସାର୍ଦୁଲ ଠାକୁର, ଜୟଦେବ ଉନାଦ୍‌କଟ୍‌, ମହମ୍ମଦ ସିରାଜ୍‌, ଋଷଭ ପନ୍ତ୍‌।

ସମ୍ବନ୍ଧିତ ଖବର