ପୂରା ପଏଣ୍ଟ୍‌ ନେଲା ବେଲ୍‌ଜିୟମ

ଭୁବନେଶ୍ବର: ଓଡ଼ିଶା ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ରିଓ ଅଲିମ୍ପିକ ରୌପ୍ୟ ପଦକ ବିଜେତା ବେଲଜିୟମ ୨-୧ ଗୋଲ୍‌ରେ କାନାଡ଼ାକୁ ହରାଇ ପୁଲ୍ ‘ସି’ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୟୁରୋପୀୟ ଶକ୍ତି ବେଲ୍‌ଜିୟମ ଆଗରେ ଲାଟିନ ଆମେରିକୀୟ ସାମର୍ଥ୍ୟ କାନାଡ଼ା ସମ୍ପୂର୍ଣ୍ଣ ହାର୍‌ ମାନିଥିଲେ ମଧ୍ୟ ଶେଷ ଭାଗରେ ଗୋଟିଏ ଗୋଲ୍‌ ଦେଇ ସମ୍ମାନ ରଖିଥିଲା। ଚତୁର୍ଦଶ ବିଶ୍ବକପ୍‌ର ପ୍ରଥମ ଗୋଲ‌୍ କଳିଙ୍ଗ ପ୍ରଶଂସକ ଦେଖିଥିଲେ ତୃତୀୟ ମିନିଟରେ। ୧୯ ନମ୍ବର ଜର୍ସିରେ ଖେଳିଥିବା ଫେଲିକ୍ସ ଡିନାୟର ଚମତ୍କାର ଭାବେ ଏକ ଫିଲଡ୍ ଗୋଲ୍‌ ଦେଇ ଦଳକୁ ଆଗୁଆ କରିଦେଇଥିଲେ। ବେଲ୍‌ଜିୟମର ଶାଣିତ ଖେଳ ଓ ଉତ୍ତମ ବୁଝାମଣା ଜାରି ରହିବାରୁ କାନାଡ଼ା ବାଟ ପାଉନଥିଲା। ବେଲ୍‌ଜିୟମ ପ୍ରାଧାନ୍ୟ ବିସ୍ତାର କରିବା ସହିତ ଏହାର ସୁଫଳ ପାଇଥିଲା। ପ୍ରଥମ କ୍ବାର୍ଟର ସୁଦ୍ଧା ୧-୦ରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟରର ୨୨ ମିନିଟ୍‌ରେ ଆଉ ଏକ ଫିଲଡ୍ ଗୋଲ୍ ମଧ୍ୟ ବେଲ୍‌ଜିୟମର ଉନ୍ନତ ଅଗ୍ରଭାଗ ଦକ୍ଷତାକୁ ପ୍ରମାଣିତ କରିଥିଲା। ତାରକା ମଧ୍ୟଭାଗ ଖେଳାଳି ତଥା ବେଲ୍‌ଜିୟମ ଅଧିନାୟକ ଥମାସ ବ୍ରିଲ୍ସଙ୍କ ସୁନ୍ଦର ଗୋଲ୍‌ ତାଙ୍କ ଦଳକୁ ପ୍ରଥମାର୍ଧ ସୁଦ୍ଧା ୨-୦ରେ ଆଗୁଆ ରଖିଥିଲା। ପାର୍ଶ୍ବ ପରିବର୍ତନ ପରେ କାନାଡ଼ା କିଛିଟା ଆକ୍ରାମକ ଖେଳର ନମୂନା ଦେଖାଇଥିଲା। କିନ୍ତୁ ଗୋଲ୍‌ ଦେବାରେ ବିଶେଷ ସଫଳ ହୋଇନଥିଲା। ବରଂ ରକ୍ଷଣଭାଗକୁ ସୁରକ୍ଷିତ ରଖିବାରୁ ଏହି ପର୍ଯ୍ୟାୟରେ ଗୋଲ୍‌ ବରଣ କରିନଥିଲା। ଚତୁର୍ଥ ତଥା ଶେଷ କ୍ବାର୍ଟରରେ ମଧ୍ୟ ଏହି କୌଶଳ ଆପଣାଇ କାନାଡ଼ା ସଫଳ ହୋଇଥିଲା। ଏଥର କିନ୍ତୁ ଗୋଟିଏ ଗୋଲ୍‌ ଦେଇ କିଛି ସମୟ ପାଇଁ ସୁଯୋଗ ରଖିଥିଲା। ୧୯ ନମ୍ବର ଖେଳାଳି ମାର୍କ ପିୟରସନ୍ ପେନାଲଟି କର୍ନରରୁ ଦଳର ସାନ୍ତ୍ବନାମୂଳକ ଗୋଲ୍‌ଟିକୁ ୪୮ତମ ମିନିଟରେ ଦେଇଥିଲେ। ବେଲ୍‌ଜିୟମ କିନ୍ତୁ କାନାଡ଼ାର ଅବଶିଷ୍ଟ ପ୍ରୟାସକୁ ପଣ୍ଡ କରି ମ୍ୟାଚ୍‌କୁ ୨-୧ରେ ଜିତି ନେଇଥିଲା। ‌ବେଲ୍‌ଜିୟମର ଆର୍ଥର ଭାନ୍ ଡୋରେନ୍ ନିଜର ଚମତ୍କାର ଷ୍ଟିକ୍ ଚାଳନା ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମ୍ୟାଚ୍ ପୂର୍ବରୁ କିମ୍ବଦନ୍ତୀ ହକି ଖେଳାଳି ଦିଲୀପ ତିର୍କି, ହକି ଇଣ୍ଡିଆ ମହାସଚିବ ରାଜିନ୍ଦର ସିଂହ ଏବଂ ଏଫ୍‌ଆଇଏଚ୍ ଅଧିକାରୀମାନେ ଉଭୟ ଦଳର ଖେଳାଳିଙ୍କ ସହ କରମର୍ଦନ କରିବା ପରେ ଏହି ୧୮ ଦିନିଆ ହକି ବିଶ୍ବକପ୍ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର