ବାରବାଟୀରେ ବେଙ୍ଗଲ ରାଜ୍‌: ଦ୍ବିତୀୟ ପାଳି ପରାଜୟ ସହ ଓଡ଼ିଶାର ଅଭିଯାନ ଶେଷ

ରଣଜୀ ଟ୍ରଫି: ମୁମ୍ବାଇଠୁ ପାଳି ଓ ୧୦୬ ରନ୍‌ରେ ହାରିଲା

ଭୁବନେଶ୍ବର: ଦୁର୍ବଳ ବୋଲି˚ ଓ ବିପର୍ଯ୍ୟସ୍ତ ବ୍ୟାଟି˚ ଯୋଗୁଁ ଓଡ଼ିଶା ଚଳିତ ରଣଜୀ ଟ୍ରଫିରେ କ୍ରମାଗତ ପାଳି ପରାଜୟ ବରଣ କରିଛି। ପୂର୍ବ ମ୍ୟାଚ୍‌ରେ ସୌରାଷ୍ଟ୍ରଠୁ ପାଳି ଓ ୧୩୧ ରନ୍‌ରେ ପରାଜୟ ବରଣ କରିଥିବା ଓଡ଼ିଶା ରବିବାର ମୁମ୍ବାଇଠାରୁ ମଧ୍ୟ ପାଳି ଓ ୧୦୬ ରନ୍‌ରେ ହାରିଯା‌ଇଛି। ମୁମ୍ବାଇର ପ୍ରଥମ ପାଳି ସ୍କୋର୍‌ ୫୩୨/୯ (ଘୋଷିତ) ଜବାବରେ ଓଡ଼ିଶା ୨୮୪ ଓ ୧୪୦ ରନ୍‌ କରିପାରିଥିଲା। ଏଥି ସହିତ କେବଳ ଗୋଆ ସହ ମ୍ୟାଚ୍‌ ଅମୀମାଂସିତ ରଖି ପାଳି ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ଅକ୍ତିଆର କରିଥିବା ଓଡ଼ିଶା ଗ୍ରୁପ୍‌-ଡି’ରେ ତୃତୀୟ ସ୍ଥାନ ସହ ଅଭିଯାନ ଶେଷ କରିଛି। ତୃତୀୟ ତଥା ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଉଭୟ ମୁମ୍ବାଇ ଓ ସୌରାଷ୍ଟ୍ର ବିଜୟ ହାସଲ କରିଥିଲେ ମଧ୍ୟ ସର୍ବାଧିକ ପଏଣ୍ଟ ବ୍ୟବଧାନରେ ମୁମ୍ବାଇ ହିଁ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗୋଆ ଚତୁର୍ଥ ତଥା ଶେଷ ସ୍ଥାନରେ ରହିଛି।

ଅହମଦାବାଦରେ ଖେଳାଯାଇଥିବା ମ୍ୟାଚ୍‌ର ରବିବାର ତଥା ଶେଷ ଦିନରେ ମୁମ୍ବାଇ ବୋଲରମାନେ ଓଡ଼ିଶା ଦ୍ବିତୀୟ ପାଳିକୁ ମାତ୍ର ୧୪୦ ରନ୍‌ରେ ସଫା କରିଦେଇଥିଲେ। ପ୍ରଥମ ପାଳିରେ ୨୮୪ ରନ୍‌ କରିଥିବା ଓଡ଼ିଶା ପକ୍ଷରୁ ଦ୍ବିତୀୟ ପାଳିରେ ଅଭିଷେକ ରାଉତ (୫୯, ୭୧ ବଲ୍‌, ୯ ଚୌକା) ଏକମାତ୍ର ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ଅଂଶୁମାନ ରଥ (୩୪) ଓ ଦେବାଶିଷ ସାମନ୍ତରାୟ (୨୨) ଦୁଇ ଅଙ୍କ ଛୁଇଁଥିଲେ। ଅଧିନାୟକ ଶୁଭ୍ରାଂଶୁ ‌ସେନାପତି (୩), ଶାନ୍ତନୁ ମିଶ୍ର (୧), ଗୋବିନ୍ଦ ପୋଦାର (୧), ରାଜେଶ ଧୂପର (୪), ରାଜେଶ ମହାନ୍ତି (୬), ଜୟନ୍ତ ବେହେରା (୨) ଏବଂ ପପୁ ରାୟ (୦) ନିରାଶ କରିଥିଲା ବେଳେ ପ୍ରଶାନ୍ତ ରାଣା (୭) ଅପରାଜିତ ରହିଥିଲେ। ମୁମ୍ବାଇ ପକ୍ଷରୁ ସାମ୍‌ସ ମୁଲାନି (୧୮-୪-୬୪-୫), ତନୁଷ କୋଟିଆଁ (୮-୦-୩୧-୩) ଏବଂ ସିଦ୍ଧାର୍ଥ ରାଉତ (୧୩-୧-୪୪-୨) ସମସ୍ତ ୧୦ ୱିକେଟ୍‌ ବାଣ୍ଟିନେବାରୁ ଓଡ଼ିଶା ଦ୍ବିତୀୟ ପାଳିରେ ମାତ୍ର ୪୨ ଓଭରରେ ଆତ୍ମସମର୍ପଣ କରିଥିଲା।

ସ˚କ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ପାଳି ୨୮୪ (ଶାନ୍ତନୁ ମିଶ୍ର ୮୯, ଗୋବିନ୍ଦ ପୋଦ୍ଦାର ୩୭, ଅଭିଷେକ ରାଉତ ୩୯, ରାଜେଶ ମହାନ୍ତି ୩୯, ମୋହିତ ଅବସ୍ତି ୩/୬୬, ଧାଵଲ କୁଲକର୍ଣ୍ଣି ୨/୪୨, ସାମ୍‌ସ ମୁଲାନି ୨/୫୩, ତନୁଷ କୋଟିଆନ ୨/୬୮। ମୁମ୍ବାଇ ପ୍ରଥମ ପାଳି ୫୩୨/୯ ଘୋଷଣା (ପୃଥ୍ବୀ ସ’ ୫୩, ଅର୍ମାନ ଜାଫର ୧୨୫, ସରଫରାଜ ଖାନ୍‌ ୧୬୫, ଆଦିତ୍ୟ ତାରେ ୭୨, ସାମ୍‌ସ ମୁଲାନି ୭୦, ରାଜେଶ ମହାନ୍ତି ୩/୧୨୩, ପ୍ରଶାନ୍ତ ରଣା ୨/୯୭, ଜୟନ୍ତ ବେହେରା ୨/୧୩୭, ପପୁ ରାଏ ୨/୧୨୨। ଓଡ଼ିଶା ଦ୍ବିତୀୟ ପାଳି ୪୨ ଓଭରରେ ୧୪୦ (ଅ˚ଶୁମାନ ରଥ ୩୪, ଅଭିଷେକ ରାଉତ ୫୯, ଦେବାଶିଷ ସାମନ୍ତରାୟ ୨୨, ସାମ୍‌ସ ମୁଲାନି ୫/୬୪, ସିଦ୍ଧାର୍ଥ ରାଉତ ୨/୪୪, ତନୁଷ କୋଟିଆଁ ୩/୩୧)।

ବାରବାଟୀରେ ବେଙ୍ଗଲ ରାଜ୍‌
କଟକର ବାରବାଟୀ ଷ୍ଟାଡିୟମରେ ଚଣ୍ତିଗଡ଼କୁ ପରାସ୍ତ କରି ବେଙ୍ଗଲ ଚଳିତ ରଣଜୀ ଟ୍ରଫି ଏଲିଟ୍‌ ଗୁପ୍‌-ବି’ରୁ ନକ୍‌ ଆଉଟ୍‌ ସ୍ଥାନ ପକ୍କା କରିଛି। ପ୍ରଥମ ପାଳିରେ ୪୩୭ ରନ୍‌ କରିବା ପରେ ଦ୍ବିତୀୟ ପାଳିକୁ ୧୧୮/୮ରେ ଘୋଷଣା କରିଥିଲା ବେଙ୍ଗଲ। ଏହାପରେ ଚଣ୍ଡିଗଡ଼ ପ୍ରଥମ ପାଳିକୁ ୨୦୬ ରନ୍‌ରେ ଅଟକାଇ ଦେଇଥିବା ବୋଲରମାନେ ଦ୍ବିତୀୟ ପାଳିକୁ ୨୬୦ ରନ୍‌ରେ ସଫା କରିଦେଇଥିଲେ। ଫଳରେ ବେଙ୍ଗଲ ୧୫୨ ରନ୍‌ ବ୍ୟବଧାନରେ ମ୍ୟାଚ୍‌ ଜିତିନେଇଥିଲା। ଏହି ବିଜୟ ସହ ସର୍ବାଧିକ ୧୮ ପଏଣ୍ଟ୍‌ ପାଇ ବେଙ୍ଗଲ ନକ୍‌ଆଉଟ୍‌କୁ ଉନ୍ନୀତ ହୋଇଥିଲା। ପୂର୍ବଦିନ ଭୁବନେଶ୍ବରର ବିକାଶ ପଡ଼ିଆରେ ବରୋଦାକୁ ୪୩ ରନ୍‌ରେ ହରାଇଥିବା ହାଇଦ୍ରାବାଦ (୧୨ ପଏଣ୍ଟ) ନକ୍‌ଆଉଟ୍‌ରୁ ବଞ୍ଚିତ ରହିଥିଲା।

ସମ୍ବନ୍ଧିତ ଖବର