ମଙ୍କିଗେଟ୍ ବିବାଦରେ ଭଜିଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଥିଲା: କୁମ୍ବଲେ

‘ଗସ୍ତରୁ ଓହରିବାର ବିକଳ୍ପ ଥିଲା, ହେଲେ ଆମେ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଥିଲୁ’

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ୨୦୦୭-୦୮ ଅଷ୍ଟ୍ରେଲିଆ ଗସ୍ତ ଅନେକ ଦୃଷ୍ଟିରୁ ବିବାଦୀୟ ହୋଇଥିଲା। ସିଡ୍‌ନି ଟେଷ୍ଟ୍‌ରେ ଭାରତୀୟ ସ୍ପିନର ହରଭଜନ ସିଂହ ଓ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଆଣ୍ଡ୍ୟୁ ସାଇମଣ୍ଡ୍ସଙ୍କୁ ନେଇ ସୃଷ୍ଟି ହୋଇଥିବା ‘ମଙ୍କିଗେଟ୍ ବିବାଦ’ ସହ ୱେଷ୍ଟଇଣ୍ଡିଜ୍ ଅମ୍ପାୟାର ଷ୍ଟିଭ୍ ବକନରଙ୍କ ଅନେକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଆଜି ବି ଏହି ମ୍ୟାଚ୍ କ୍ରିକେଟ୍ ଜଗତର ଅନ୍ୟତମ କଳା ଅଧ୍ୟାୟ ହୋଇ ରହିଛି। ବିନା ପ୍ରମାଣରେ ହରଭଜନଙ୍କୁ ତିନିଟି ମ୍ୟାଚ୍‌ରୁ ବାସନ୍ଦ କରିବା ଏବଂ ପରେ ଏହାକୁ ମ୍ୟାଚ୍ ପାଉଣାର ୫୦ ପ୍ରତିଶତ ଜରିମାନାରେ ବଦଳାଇବା, ସେତେବେଳେ କ୍ରିକେଟ୍ ଜଗତରେ ଥିବା ଭେଦବାଦର ବଳିଷ୍ଠ ପ୍ରମାଣ ଥିଲା। ଏସବୁ ସତ୍ତ୍ବେ ଭାରତ କାହିଁକି ସେହି ଗସ୍ତରୁ ଓହରି ନଥିଲା, ଦୀର୍ଘ ୧୨ ବର୍ଷ ପରେ ତା’ର କାରଣ କହିଛନ୍ତି ତତ୍‌କାଳୀନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ। ସେହିଭଳି ହରଭଜନଙ୍କୁ ସେ କ୍ଲିନ୍ ଚିଟ୍ ଦେବା ସହ ତାଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଥିଲା ବୋଲି ମତ ରଖିଛନ୍ତି।

ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ୟୁ-ଟ୍ୟୁବ୍ କାର୍ଯ୍ୟକ୍ରମ ‘ଡିଆରଏସ୍ ୱିଥ୍ ଅଶ୍ବିନ୍‌’ରେ ଅଂଶଗ୍ରହଣ କରି କୁମ୍ବଲେ କହିଛନ୍ତି ଯେ ସିଡ୍‌ନି ଟେଷ୍ଟ୍ ବିବାଦ ପରେ ଗସ୍ତରୁ ଓହରିଯିବାର ବିକଳ୍ପ ଆମ ପାଖରେ ଥିଲା। ଏହାକୁ ପ୍ରଶଂସକ ମଧ୍ୟ ଗ୍ରହଣ କରିଥା’ନ୍ତେ। ହେଲେ ଆମେ ଉଦାହରଣ ସୃଷ୍ଟି କରିବାକୁ ଚାହୁଥିଲୁ। କଠିନ ପରିସ୍ଥିତିରେ ବଳକା ମ୍ୟାଚ୍ ଜିତି ସମସ୍ତଙ୍କୁ ଦେଖାଇ ଦେବାକୁ ଆଗ୍ରହୀ ଥିଲୁ। ଜଣେ ଅଧିନାୟକ ଭାବେ ଆପଣ ସାଧାରଣତଃ ପଡ଼ିଆ ଭିତର ନିଷ୍ପତ୍ତି ନେବାକୁ ପସନ୍ଦ କରନ୍ତି। ଏଠାରେ କିନ୍ତୁ ମୋତେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା, ଯାହା ପଡ଼ିଆ ବାହାର କଥା ଥିଲା। କ୍ରିକେଟ୍‌ର ବୃହତ୍ତର ସ୍ବାର୍ଥକୁ ଆଖି ଆଗରେ ରଖି ମୋତେ କିଛି ଗୋଟାଏ ଦୃଢ଼ ଓ ସ୍ବାଗତଯୋଗ୍ୟ ନିଷ୍ପତ୍ତି ନେବାର ଥିଲା।

ହରଭଜନଙ୍କ ବିରୋଧରେ ଆଇସିସି ନେଇଥିବା ନିଷ୍ପତ୍ତି ସଂପୂର୍ଣ୍ଣ ଭୁଲ ଥିଲା ବୋଲି ଦେଶ ପକ୍ଷରୁ ସର୍ବାଧିକ ୬୧୯ ଟେଷ୍ଟ୍ ୱି‌କେଟ୍ (୧୩୨ ମ୍ୟାଚ୍) ନେଇଥିବା ୪୯ ବର୍ଷୀୟ କୁମ୍ବଲେ ଏହି ଅବସରରେ ସ୍ପଷ୍ଟ କରି ଦେଇଥିଲେ। ‘‘ ଆମ ସମସ୍ତଙ୍କୁ ଏକ ଦଳ ଭାବେ ଏକାଠି ରହିବାର ଥିଲା। ହେଲେ ଆମେ ଗସ୍ତରୁ ଓହରିଯିବାକୁ ଚାହୁଥିଲୁ ବୋଲି ଚାରିଆଡ଼େ ଚର୍ଚା ହେଉଥିଲା, ଯାହାକୁ ସମ୍ମୁଖୀନ ହେବା ଆମ ପାଇଁ ଏକ ବଡ଼ ଆହ୍ବାନ ଥିଲା। ଗସ୍ତକୁ ଅଧାରୁ ଛାଡ଼ି ଚାଲି ଆସିଥିଲେ ସମ୍ଭବତଃ ଲୋକେ ଏହାକୁ ଗ୍ରହଣ କରି ନେଇଥା’ନ୍ତେ। ହେଲେ ଭାରତୀୟ ଦଳ ଭୁଲ କରିଥିଲା, ସେଥିପାଇଁ ସ୍ବଦେଶ ଫେରି ଆସିଲା ବୋଲି ଭାବନା ଜାଗ୍ରତ ହେବାର ଆଶଙ୍କା ବି ଥିଲା। ମୁଁ ଭାବୁଛି ଜଣେ ଅଧିନାୟକ ଓ ଦଳ ଭାବେ ଆମେ ସେଠାକୁ ଶୃଙ୍ଖଳା ଜିତିବାକୁ ଯାଇଥିଲୁ। ଦୁର୍ଭାଗ୍ୟଜନକ ଭାବେ ପ୍ରଥମ ଦୁଇ ଟେଷ୍ଟ୍‌ର ଫଳାଫଳ ଆମ ସପକ୍ଷରେ ଯାଇନଥିଲା। ଏଣୁ ପରବର୍ତ୍ତୀ ଦୁଇ ମ୍ୟାଚ୍ ଜିତି ଶୃଙ୍ଖଳାକୁ ଅମୀମାଂସିତ ରଖିବାର ଏକମାତ୍ର ବିକଳ୍ପ ଆମ ପାଖରେ ଥିଲା। ଘଡ଼ିସନ୍ଧି ମୁହୂର୍ତରେ ମୁଁ ମୋ ଦଳକୁ ପୂର୍ଣ୍ଣ ସମର୍ଥନ କରିଥିଲି। ଆମେ ଶୃଙ୍ଖଳା ଜାରି ରଖିବୁ ବୋଲି ମିଳିତ ଭାବେ ନିଷ୍ପତ୍ତି ନେଇଥିଲୁ। ପରବର୍ତ୍ତୀ ଦୁଇ ମ୍ୟାଚ୍ ଜିତିବା ହିଁ ଆମର ଏକମାତ୍ର ଲକ୍ଷ୍ୟ ଥିଲା। ଏହା ଦ୍ବାରା ହିଁ ଆମେ ଆମ ପ୍ରଶଂସକଙ୍କୁ ଶ୍ରେଷ୍ଠ ବାର୍ତ୍ତା ଦେଇପାରିବୁ ବୋଲି ଭା‌ବିଥିଲୁ’’ ବୋଲି କୁମ୍ବଲେ ସେହି ଦିନର କଥାକୁ ମନେ ପକାଇ କହିଥିଲେ।

ସୂଚନାଯୋଗ୍ୟ ଯେ ସିଡ୍‌ନି ଟେଷ୍ଟ୍ ବେଳେ ଭଜି ତାଙ୍କୁ ‘ମାଙ୍କଡ଼’ ସମ୍ବୋଧନ କରିଥିଲେ ବୋଲି ସାଇମଣ୍ଡ୍ସ ଅଭିଯୋଗ ଆଣିଥିଲେ। ଭଜି ଓ ଭାରତୀୟ ଦଳ ଏହାକୁ ଅସ୍ବୀକାର କରିଥିଲେ ମଧ୍ୟ ମ୍ୟାଚ୍ ରେଫରି ଭଜିଙ୍କୁ ତିନିଟି ମ୍ୟାଚ୍‌ରୁ ବାସନ୍ଦ କରିଥିଲେ। ଯାହାକୁ ଭାରତୀୟ ଦଳ ତୀବ୍ର ବିରୋଧ କରିଥିଲା। ଏପରିକି ପରବର୍ତ୍ତୀ ମ୍ୟାଚ୍ ଲାଗି ପର୍ଥ ଗସ୍ତ ନ କରି ସିଡ୍‌ନିରେ ଅଟକି ରହିଥିଲା। ଏହା ପରେ ନ୍ୟୁଜିଲାଣ୍ଡ ଉଚ୍ଚନ୍ୟାୟାଳୟର ବିଚାରପତି ମାମଲାର ବିଚାର କରି ଭଜିଙ୍କ ଉପରୁ ବାସନ୍ଦାଦେଶ ଉଠାଇ ଦେବା ସହ ମ୍ୟାଚ୍ ପାଉଣାର ମାତ୍ର ୫୦ ପ୍ରତିଶତ ଜରିମାନା କରିଥିଲେ। ସେପଟେ ସିଡ୍‌ନି ଟେଷ୍ଟ୍‌ରେ ଭାରତ ବିରୋଧରେ ବକନର କେତେକ ଭୁଲ ନିଷ୍ପତ୍ତି ଦେଇଥିଲେ। ନିକଟରେ ମଧ୍ୟ ସେ ଏକଥା ସ୍ବୀକାର କରିଛନ୍ତି। ତେ‌ବେ ତାଙ୍କ ଭୁଲ ପାଇଁ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌କୁ ୧୨୨ ରନ୍‌ରେ ହାରି ଯାଇଥିଲା। ପୂର୍ବରୁ ମେଲବର୍ନରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍‌କୁ ୩୩୭ ରନ୍‌ରେ ହାରି ସାରିଥିବାରୁ ସିଡ୍‌ନି ପରାଜୟ ପରେ ଭାରତ ୦-୨ରେ ପଛୁଆ ରହିଥିଲା। ତେବେ ପର୍ଥରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ୍‌କୁ ୭୨ ରନ୍ ଏବଂ ଆଡିଲେଡ୍‌ଠାରେ ଖେଳା ଯାଇଥିବା ଚତୁର୍ଥ ତଥା ଶେଷ ଟେଷ୍ଟ୍‌କୁ ଅମୀମାଂସିତ ରଖି ସମ୍ମାନର ସହ ଗସ୍ତ ଶେଷ କରିଥିଲା। ସେପଟେ କୁମ୍ବଲେ ୧୪ ଟେଷ୍ଟ୍‌ରେ ଭାରତର ନେତୃତ୍ବ ନେଇଥିଲେ। ସେଥିମଧ୍ୟରୁ ୩ଟିରେ ବିଜୟୀ ହୋଇଥିଲା ବେଳେ ୬ ମ୍ୟାଚ୍ ହାରିଥିଲେ। ୫ ଟେଷ୍ଟ୍ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର