ଭାବିନା ମୋ ଗୌରବକୁ ଆଗେଇ ନେବାରୁ ଖୁସି: ଦୀପା

ଟୋକିଓ : ପ୍ରଥମ ଭାରତୀୟ ମହିଳା ଭାବେ ୨୦୧୬ ରିଓ ପାରାଲିମ୍ପିକ୍ସରେ ଦୀପା ମଲିକ ରୌପ୍ୟ ପଦକ ଜିତିଥିଲେ। ଭାବିନା ପଟେଲ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ଜିତି ଏହି ଧାରାକୁ ଆଗକୁ ନେଇଛନ୍ତି। ପାରା ଟେବୁଲ ଟେନିସ ଫାଇନାଲ୍‌ରେ ହାରି ଭାବିନା ରୌପ୍ୟ ଜିତି ପାରାଲିମ୍ପିକ୍ସରେ ପଦକ ଜିତିବା‌ରେ ଦ୍ବିତୀୟ ଭାରତୀୟ ମହିଳା ହୋଇଥିଲେ। ସଂପ୍ରତି ଭାରତୀୟ ପାରାଲିମ୍ପିକ୍ସ ସମିତି (ପିସିଆଇ)ର ସଭାପତି ଥିବା ଦୀପା ପ୍ରଥମ ଏବଂ ଏକମାତ୍ର ଭାରତୀୟ ମହିଳା ଭାବେ ପାରାଲିମ୍ପିକ୍ସରେ ପଦକ ବିଜେତା ଥିଲେ। ସେ ରିଓରେ ସଟ୍‌ପୁଟ୍‌ରେ ରୌପ୍ୟ ପଦକ ଜିତିଥିଲେ। ‌ରବିବାର ଭାବିନା ରୌପ୍ୟ ଜିତିବା ପରେ ପିସିଆଇର ସଭାପତି ତଥା ରିଓ ପଦକ ବିଜୟିନୀ ଦୀପା ବହୁତ ଖୁସି ହୋଇଯାଇଛନ୍ତି। ‌‘‘ମୁଁ ବହୁତ ଖୁସି, କାରଣ ଜଣେ ମହିଳା ପାରାଲିମ୍ପିକ୍ସରେ ମୋ ପଦକ ଜିତିବା ଗୌରବକୁ ଆଗେଇ ନେଇଛନ୍ତି। ଖାଲି ଏତିକି ନୁ‌ହେଁ ସେ ଜଣେ ହ୍ବିଲ୍‌ଚେୟାର କ୍ରୀଡ଼ାବିତ୍‌। କୌଣସି ଭାରତୀୟ ଭାବିନଥିଲେ ଯେ ‌ଟିଟିରେ ଆମେ ଭଲ ପ୍ରଦର୍ଶନ କରିବୁ। ଚୀନ୍‌ ଓ କୋରିଆ ଖେଳିଳିଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲୁ। ‌ଭାବିନା ଜଣେ ଅଭିଜ୍ଞ ପରି ନିଜର ପ୍ରଦର୍ଶନ ଦେବା ସହ ପ୍ରତି ମ୍ୟାଚ୍‌ରେ କିଛି କିଛି ଜ୍ଞାନ ମଧ୍ୟ ଗ୍ରହଣ କରୁଥିଲେ।

ମୁଁ ବହୁତ ଖୁସି ଯେ ଆଜି (୨୯ ଅଗଷ୍ଟ) ଜାତୀୟ କ୍ରୀଡ଼ା ଦିବସ ଏବଂ ଜଣେ ମହିଳା ଚଳିତ ପାରାଲିମ୍ପିକ୍ସରେ ପଦକ ଖାତା ଖୋଲିଛି। ଏବେ କେବଳ ଦୁଇ ଜଣ ମହିଳା ହ୍ବିଲ୍‌ଚେୟାର ଇଭେଣ୍ଟ୍‌ରେ ପଦକ ଜିତିଛନ୍ତି। ମୁଁ ଏଥିପାଇଁ ଅଧିକ ଖୁସି ଯେ ମୋ ଗୌରବକୁ ଭାବିନା ଅଗାକୁ ନେଇଛନ୍ତି’’ ବୋଲି ସଂପ୍ରତି ଟୋକିଓରେ ଖେଳାଳିମାନଙ୍କ ସହ ଥିବା ଦୀପା ପ୍ରକାଶ କରିଛନ୍ତି। ଆଗକୁ ମଧ୍ୟ ଆମ କ୍ରୀଡ଼ାବିତ୍‌ମାନେ ଅଧିକ ପଦକ ଜିତିବାର ଆଶା ରହିଛି। ବିନା ଚାପରେ ଖେଳିବାକୁ ସେମାନଙ୍କୁ ଉପଦେଶ ଦେଇଛି। ନିଜ ନିଜର ଶ୍ରେଷ୍ଠ ଦେବାକୁ ହିଁ ପରାମର୍ଶ ଦେଇଛି। ଆଜି ବି ଆଉ ଦୁଇ ପଦକ ଆମକୁ ମିଳିଛି। ପୁରୁଷ ଉଚ୍ଚ ଡିଆଁ (ଟି-୪୭)ରେ ନିଶାଦ କୁମାର ଏବଂ ପୁରୁଷ ଡିସ୍‌କସ୍‌ (ଏଫ୍‌-୫୨)ରେ ବିନୋଦ କୁମାର କାଂସ୍ୟ ଜିତି ଭାରତକୁ ଜାତୀୟ କ୍ରୀଡ଼ା ଦିବସରେ ଗୌରବାନ୍ବିତ କରିଛନ୍ତି’’ ବୋଲି ଦୀପା କହିଛନ୍ତି।

ସମ୍ବନ୍ଧିତ ଖବର