ଭିଲାଇ ଆଇଟିଏଫ୍‌ ଅନ୍ତର୍ଜାତୀୟ ଟେନିସ୍‌: ଦିଲୀପଙ୍କୁ ୩ ଟ୍ରଫି

ଭୁବନେଶ୍ବର: ଓଡ଼ିଆ ତାରକା ଦିଲୀପ ମହାନ୍ତି ଛତିଶଗଡ଼ର ଭିଲାଇଠାରେ ଆୟୋଜିତ ଆଇଟିଏଫ୍‌ ଅନ୍ତର୍ଜାତୀୟ ବରିଷ୍ଠ ଗ୍ରେଡ୍‌-୩ ଟେନିସ୍‌ ପ୍ରତିଯୋଗିତାରେ ତିନିଟି ପଦକ କରାୟତ କରିଛନ୍ତି। ପୂର୍ବରୁ ଅନ୍ୟାନ୍ୟ ବୟସ ବର୍ଗରେ ଏକାଧିକ ଟ୍ରଫି ଜିତିସାରିଥିବା ଦିଲୀପ ଏଠାରେ ପ୍ରଥମ ଥର ଲାଗି ୪୦ ବର୍ଷରୁ ଅଧିକ ବର୍ଗର ପୁରୁଷ ଏକକ ଟ୍ରଫି ହାତେଇଛନ୍ତି। ଏହା ବ୍ୟତୀତ ଦିଲୀପ ମଧ୍ୟ ୩୫ ବର୍ଷରୁ ଅଧିକ ବର୍ଗର ପୁରୁଷ ଯୁଗଳରେ ବିଜେତା ହୋଇଥିଲା ବେଳେ ୪୦ ବର୍ଷରୁ ଅଧିକ ବୟସ ବର୍ଗର ପୁରୁଷ ଯୁଗଳରେ ଉପବିଜେତା ହୋଇଛନ୍ତି। ୪୦ ବର୍ଷରୁ ଅଧିକ ବର୍ଗର ପୁରୁଷ ଏକକ ଫାଇନାଲ୍‌ରେ ଦିଲୀପ ୬-୨ ଓ ୬-୧ ସିଧାସଳଖ ସେଟ୍‌ରେ ଗୋବର୍ଧନ କୋହିନୁରଙ୍କୁ ପରାସ୍ତ କରିଥିଲା ବେଳେ ଏହି ବୟସ ବର୍ଗର ପୁରୁଷ ଯୁଗଳ ଫାଇନାଲ୍‌ରେ ସ୍ବର୍ଣ୍ଣଦୀପ ସିଂହ ଧୋଧିଙ୍କୁ ସାଥୀ କରିଥିବା ଦିଲୀପ ୬-୨, ୩-୬ ଓ ୪-୧୦ରେ ରୋହିତ ରାୱତ-ଜଗଦୀଶ ତନ୍‌ୱାର ଯୋଡ଼ିଠୁ ହାରିଯାଇଥିଲେ। ଅନ୍ୟପକ୍ଷରେ ୩୫ ବର୍ଷରୁ ଅଧିକ ବର୍ଗର ପୁରୁଷ ଯୁଗଳରେ କାନନ ସେଥୁଙ୍କୁ ସାଥୀ କରିଥିବା ଦିଲୀପ ଫାଇନାଲ୍‌ରେ ସିଧାସଳଖ ୭-୫ ଓ ୬-୪ ସେଟ୍‌ରେ ଦୀପକ ମର୍‌ୱା-ସଚିନ ପାଟିଲ ଯୋଡ଼ିକୁ ପରାସ୍ତ କରି ଟ୍ରଫି କରାୟତ କରିଥିଲେ।

ସର୍ବଭାରତୀୟ ଟେନିସ୍‌ ସଂଘ (ଆଇଟିଏଫ୍‌) ଓ ଛତିଶଗଡ଼ ରାଜ୍ୟ ଟେନିସ୍‌ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ୮୯ ପ୍ରତିଯୋଗୀ ଭାଗ ନେଇଥିଲା ବେଳେ ମୋଟ ୧୧୮ ମ୍ୟାଚ୍‌ ଖେଳାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ଭିଲାଇ ଇସ୍ପାତ କାରଖାନା (ସେଲ୍‌)ର ଇଡି ଏସ୍‌କେ ବସାର ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ସୌରଭ ମୁଖାର୍ଜୀ, ବିଏସ୍‌ଏଫ୍‌ ଡେପୁଟି କମାଣ୍ଡାଣ୍ଟ୍‌ ହର୍ମିତ୍‌ ସିଂହ ସଇନି, ଆଇଟିଏଫ୍‌ ସୁପରଭାଇଜର୍‌ ପ୍ରବୀଣ କୁମାର ନାୟକ, ରାଜେଶ ପାଟିଲ, ବିଏଲ୍‌ ମୌର୍ଯ୍ୟ, ଏସ୍‌ଡି ବର୍ମନ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର