‘ଭୁବନେଶ୍ୱର ଘର ଭଳି ଲାଗେ’

ଇଂଲଣ୍ଡ ହକି ତାରକା ଆଡାମ ଡିକ୍ସନ ନିଜ ଷ୍ଟିକ୍‌ ଚାଳନାରେ ଅକାଧିକବାର କଳିଙ୍ଗ ଷ୍ଟାଡିୟମ୍‌ ଦର୍ଶକଙ୍କୁ ବିମୋହିତ କରିଛନ୍ତି। କଳିଙ୍ଗ ଲାନସର୍ସର ସଦସ୍ୟ ହୋଇ ଏକଦା ଓଡ଼ିଶାକୁ ଘର କରିଥିବା ଡିକ୍ସନ ଏବେ କିନ୍ତୁ ନିଜ ଦେଶକୁ ହକି ବିଶ୍ୱ ଲିଗ୍‌ ବିଜେତା କରିବା ଅଭିଯାନରେ ରହିଛନ୍ତି। ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ପାଇଁ ପୁରୁଣା ଘରକୁ ଫେରିବା ନେଇ ସେ ଯେତିକି ଉତ୍ସାହିତ ଅଛନ୍ତି, ୨୦୧୮ର ହକି ଇଣ୍ଡିଆ ଲିଗ୍‌ ସ୍ଥଗିତ ହେବା ନେଇ ସେତିକି ଦୁଃଖିତ ଅଛନ୍ତି। ହକି ବିଶ୍ୱ ଲିଗ୍‌ ଫାଇନାଲରେ ଇଂଲଣ୍ଡର ଭଲ ପ୍ରଦର୍ଶନ ନେଇ କିନ୍ତୁ ଢେର ଆଶାବାଦୀ ଅଛନ୍ତି ଡିକ୍ସନ। ସୋମବାର କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ଇଂଲଣ୍ଡ ଆନୁଷ୍ଠାନିକ ଭାବେ ଅଭ୍ୟାସ ଆରମ୍ଭ କରଥିବା ବେଳେ ଇଂଲିସ୍‌ ଜାତୀୟ ଦଳର ଏହି ଅଭିଜ୍ଞ ରକ୍ଷଣଭାଗ ଖେଳାଳିଙ୍କୁ ଭେଟିଥିଲେ ଦେବାଶିଷ ସୁନ୍ଦରାୟ
ସମ୍ବାଦ: କଳିଙ୍ଗ ଷ୍ଟାଡିୟମକୁ ଫେରି କେମିତି ଲାଗୁଛି?
ଡିକ୍ସନ୍‌: ବହୁତ ଭଲ ଲାଗୁଛି। ଏଠାରେ ଖେଳିଥିବା ହକି ଏବଂ କଟାଇଥିବା ସମୟ ସବୁବେଳେ ମୋ ଜୀବନର ଶ୍ରେଷ୍ଠ ମୁହୂର୍ତ ହୋଇ ରହିବ। ଭୁବନେଶ୍ୱର ଆସିଲେ ମୋତେ ଘରକୁ ଫେରିଲା ଭଳି ଲାଗେ। ମୁଁ ଏଠାକାର ଦର୍ଶକଙ୍କୁ ଜାଣିଛି। ସେମାନଙ୍କ ଭଲ ପାଇବା ଦେଖିଛି। ହକି ବିଶ୍ୱ ଲିଗ୍‌ ପାଇଁ ଏଠାରେ କିଛି ଦିନ ରହିବାର ସୌଭାଗ୍ୟ ମିଳୁଥିବାରୁ ବେଶ୍‌ ଉତ୍ସାହିତ ଅଛି।
ହକି ଇଣ୍ଡିଆ ଲିଗ୍‌ ସ୍ଥଗିତ ହେବା ଖବର ଆପଣଙ୍କୁ ବ୍ୟଥିତ କରିଥିଲା କି?
ଡିକ୍ସନ୍‌: ଦୁର୍ଭାଗ୍ୟଜନକ ଭାବେ ହକି ଇଣ୍ଡିଆ ଲିଗ୍‌ ୨୦୧୮ରେ ଆୟୋଜିତ ହେବନି। ମୁଁ ଭାବୁଛି ଅନ୍ତର୍ଜାତୀୟ ସୂଚୀ ଏବଂ ଆସନ୍ତାବର୍ଷର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଆୟୋଜକମାନେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ। ନିଶ୍ଚିତ ଭାବେ ମୋ ପାଇଁ ଏହା ଦୁଃଖଦ ଖବର ଥିଲା। ତା’ ଛଡ଼ା କଳିଙ୍ଗ ଲାନସର୍ସ ହାତରୁ ଲଗାତର ଦ୍ୱିତୀୟ ବର୍ଷ ବିଜେତା ହେବାର ସୁଯୋଗ ମଧ୍ୟ ଚାଲିଗଲା। ଦଳଗତ ସହ ବ୍ୟକ୍ତିଗତ ଭାବେ ମଧ୍ୟ ଏହା ମୋ ପାଇଁ ଏକ ଖରାପ ଖବର ଥିଲା।
ହକି ବିଶ୍ୱ ଲିଗ୍‌ ଫାଇନାଲ ପାଇଁ ଇଂଲଣ୍ଡ କିଭଳି ପ୍ରସ୍ତୁତି କରିଛି?
ଡିକ୍ସନ୍‌: ଏହି ପ୍ରତିଯୋଗିତା ଲାଗି ଗତ ତିନି ମାସ ହେଲା ଆମେ ବିଜ୍ଞାନ ସମ୍ମତ ଉପାୟରେ ପ୍ରସ୍ତୁତି ଚଳାଇଛୁ। ଜର୍ମାନି ସହ କେତେକ ମ୍ୟାଚ୍‌ ଖେଳିବା ସହ କଠିନ ପରିଶ୍ରମ ବି କରିଛୁ। ସେହିଭଳି ଏଠାକାର ତତଲା ଜୟବାୟୁରେ କିଭଳି ନିଜର ଶ୍ରେଷ୍ଠ ଦେଇ ପାରିବୁ ସେ ଅଭ୍ୟାସ କରି ଆସିିଛୁ। ଆପଣ ଜାଣିଥିବେ ଇଂଲଣ୍ଡରେ କାଠୁଆ ଜାଡ଼ ପଡ଼ିଥାଏ। ସଂପ୍ରତି ସେଠାରେ ତୁଷାର ପାତ ବି ହେଉଛି। ଏଠି କିନ୍ତୁ ତୁଳନାତ୍ମକ ଭାବେ ପାଗ ଗରମ ରହିଛି। ଭୁବନେଶ୍ୱର ଜଳବାୟୁ ବିଷୟରେ ଦଳର ସବୁ ସଦସ୍ୟ ଭଲ ଭାବରେ ଅବଗତ ଥିବାରୁ ଏହା ଆମ ପାଇଁ ଏକ ସମସ୍ୟା ହେବ ବୋଲି ଭାବୁ ନାହିଁ।
ହକି ବିଶ୍ୱ ଲିଗ୍‌ ଫାଇନାଲରେ ଇଂଲଣ୍ଡର ଆଶା ଓ ଲକ୍ଷ୍ୟ କ’ଣ ରହିବ
ଡିକ୍ସନ୍‌: ନିଶ୍ଚିତ ଭାବେ ଆମେ ଏଠାରେ ପଦକ ଜିତିବାକୁ ଚାହିଁବୁ। ହେଲେ ଆମେ ଜର୍ମାନି, ଭାରତ ଓ ଅଷ୍ଟ୍ରେଲିଆ ସହ କଷ୍ଟକର ଗ୍ରୁପ୍‌ରେ ଅଛୁ। ବିଶ୍ୱର ଶ୍ରେଷ୍ଠ ୮ ଦଳ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି। ଏଣୁ ଆଗରୁ କିଛି ବି ଭବିଷ୍ୟବାଣୀ କରିବା ସହଜ ନୁହେଁ।
କେଉଁ ଦଳକୁ ଇଂଲଣ୍ଡର ସବୁଠାରୁ ଶକ୍ତିଶାଳୀ ପ୍ରତିପକ୍ଷର ମାନ୍ୟତା ଦେବେ?
ଡିକ୍ସନ୍‌: ଭଲ ପ୍ରଶ୍ନ। ମୁଁ ଅଷ୍ଟ୍ରେଲିଆକୁ ନେଇ ଅଧିକ ରୋମାଞ୍ଚିତ। କଙ୍ଗାରୁ ଆହ୍ଵାନ ପାଇଁ ପୂର୍ଣ୍ଣ ପ୍ରସ୍ତୁତ। ଆପଣ ଜାଣିଥିବେ ଏବେ ଆସେସ୍‌ ଚାଲିଛି। କ୍ରିକେଟ୍‌ରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରସ୍ପରର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ। ହକିରେ ମଧ୍ୟ ବିଜୟ ପାଇଁ ମୁଁ ସେହି ବ୍ୟଗ୍ରତା ଦେଖିବାକୁ ଚାହେଁ। ତା’ ଛଡ଼ା ଅଷ୍ଟ୍ରେଲିଆ ହେଉଛି ଗତଥରର ବିଜେତା। ଚାମ୍ପିଅନ୍ସ ଟ୍ରଫି ବେଳେ ଭୁବନେଶ୍ୱରରେ ହୋଇଥିବା ଗତ ମୁକାବିଲାରେ ଆମେ ଆବଶ୍ୟ କଙ୍ଗାରୁ ଦଳକୁ ହରାଇଥିଲୁ। ଏଥର ସେହି ସଫଳତା ଦୋହରାଇ ପାରିଲେ ବହୁତ ଖୁସି ଲାଗିବ। ସଂପ୍ରତି ଅଷ୍ଟ୍ରେଲିଆକୁ ଆମେ ଆମର ସବୁଠାରୁ ବଡ଼ ପ୍ରତିବନ୍ଧକ ବୋଲି ଭାବୁଛୁ।
ଭାରତୀୟ ହକି ଦଳକୁ ଆପଣ କିଭଳି ଭାବେ ଆକଳନ କରିବେ?
ଡିକ୍ସନ୍‌: ଭାରତୀୟ ଦଳରେ ମୋର ଅନେକ ବନ୍ଧୁ ଅଛନ୍ତି। କଳିଙ୍ଗ ଲାନସର୍ସର ପୁରୁଣା ସାଥୀ ବୀରେନ୍ଦ୍ର ଲାକ୍ରା ଏବଂ ଦୀପସାନ ତିର୍କି ଦୀର୍ଘ ସମୟ ହେବ ନିଜ ମୂଲ୍ୟ ପ୍ରତିପାଦିତ କରିଆସୁଛନ୍ତି। ମୋଟ ଉପରେ କହିବାକୁ ଗଲେ ଭାରତୀୟ ଦଳ ଯୁବ ଏବଂ ବରିଷ୍ଠ ଖେଳାଳିଙ୍କୁ ନେଇ ବେଶ୍‌ ସନ୍ତୁଳିତ। ସେମାନେ ଭଲ କରିବେ ବୋଲି ମୋର ଆଶା।
ଓଡ଼ିଶାରେ ହକିକୁ ମିଳୁଥିବା ଭଲ ପାଇବା ନେଇ କ’ଣ କହିବେ
ଡିକ୍ସନ୍‌: ଏଠାକାର ଦର୍ଶକ ବିଶ୍ୱର ଶ୍ରେଷ୍ଠ। ୩-୪ ବର୍ଷ ତଳେ ମୁଁ ଚାମ୍ପିଅନ୍ସ ଟ୍ରଫି ଖେଳିବା ଲାଗି ଏଠାକୁ ଆସିଥିଲି। ଏଠାରେ ହକି ଇଣ୍ଡିଆ ଲିଗ୍‌ ବି ଖେଳିଛି। ହେଲେ ଆମ ଦଳରେ ସଂପ୍ରତି ଥିବା ଅଧିକାଂଶ ଖେଳାଳି କଳିଙ୍ଗ ଷ୍ଟାଡିୟମରେ ଖେଳିବାର ଅଭିଜ୍ଞତା ପାଇ ନାହାନ୍ତି। ଆମେ ସବୁବେଳେ ସେହି ବିଷୟରେ ସେମାନଙ୍କୁ କହୁଛୁ। ସେମାନେ ଏଥର ଭାରତରୁ ଭିନ୍ନ ଅନୁଭୂତି ନେଇ ସ୍ୱଦେଶ ଫେରିବେ ବୋଲି ଭାବୁଛି।

ସମ୍ବନ୍ଧିତ ଖବର