ବିଚ୍ଛିନ୍ନାଞ୍ଚଳରେ ମାଓଦମନ ସମୀକ୍ଷା

ମାଲକାନଗିରି : ମାଓ ଦମନ ନିମନ୍ତେ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳର ବଡ଼ପଡ଼ା ସ୍ଥିତ ବିଏସ୍‌ଏଫ କ୍ୟାମ୍ପରେ ପ୍ରସ୍ତୁତ ହୋଇଛି ରଣନୀତି। ରୁଦ୍ଧଦ୍ୱାର ବୈଠକରେ ବର୍ତମାନର ପରିସ୍ଥିତି ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପରାମର୍ଶଦାତା କେ. ବିଜୟ କୁମାର ପ୍ରଥମେ ସମୀକ୍ଷା କରିଥିଲେ। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ.ସାଇନି, ବିଏସଏଫ କମାଣ୍ଡାଣ୍ଟ, ସିଆରପିଏଫ କମାଣ୍ଡାଣ୍ଟ, ମାଲକାନଗିରି ଏସପି ଜଗମୋହନ ମୀନା ପ୍ରମୁଖ ତାଙ୍କ ପରିସ୍ଥିତି ସଂପର୍କରେ ଅବଗତ କରାଇଥିଲେ। ବୈଠକରେ ବିଶେଷ କରି ମାଲକାନଗିରି ଜିଲ୍ଲାରେ ବଢୁଥିବା ମାଓ ହିଂସାକୁ ରୋକିବା ନେଇ ବିସ୍ତତ ଭାବେ ଆଲୋଚନା କରାଯାଇଥିଲା।

ବିଚ୍ଛିନ୍ନାଞ୍ଚଳରେ ମାଓବାଦୀଙ୍କ ପ୍ରଭାବ ଦିନକୁ ଦିନ ବଢୁଥିବା ଏବଂ ସୀମାନ୍ତରେ ମଧ୍ୟ ନକ୍ସଲ ପ୍ରତିଦିନ କିଛି କିିଛି ଅଘଟଣ ଘଟାଉଛନ୍ତି। ତେଣୁ ମାଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ନିମନ୍ତେ ଦୁର୍ଗମ ଅଂଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରିବାକୁ ଆଲୋଚନା କରାଯାଇଥିଲା। ଏଥିସହ ଗୁଇନ୍ଦା ବିଭାଗକୁ ଆହରୁ ମଜବୁତ କରାଯିବା ସହ ନକ୍ସଲ ରଣନୀତିରେ ପରିବର୍ତ୍ତନ ଦରକାର ବୋଲି କୁହାଯାଇଥିଲା। ଆସନ୍ତା ଡିସେମ୍ବର ୨ତାରିଖ ଠାରୁ ପିଏଲଜିଏ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ତେଣୁ ପୁଲିସକୁ ଚ୍ୟାଲେଞ୍ଜ ଦେଇ ମାଓବାଦୀ କୌଣସି ଅଘଟଣ ଘଟାଇବା ପାଇଁ ଚେଷ୍ଟା କରିପାରନ୍ତି। ତେଣୁ ପୂର୍ବରୁ ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଥିଲା।

ସୀମାନ୍ତ ଛତିଶଗଡରେ ଲଗାତାର ନକ୍ସଲଙ୍କ ମୃତ୍ୟୁ ହେଉଥିବା ବେଳେ ନକ୍ସଲ ଏକ ପ୍ରକାର ଘାଇଲା ବାଘ ପାଲଟି ଯାଇଛନ୍ତି। ତେଣୁ ପ୍ରତିଶୋଧ ପରାୟଣ ହୋଇ ନକ୍ସଲ ମାଲକାନଗିରିରେ ହିଂସା ଘଟାଇବା ପାଇଁ ଚେଷ୍ଟା କରିବେ। ନକ୍ସଲ ପ୍ରବଣ ଇଲାକାରେ ଆହୁରି ଅଧିକା କ୍ୟାମ୍ପ ପ୍ରତିଷ୍ଠା କରାଗଲେ ହୁଏତ ନକ୍ସଲଙ୍କ ଗତିବିଧି କମିପାରେ ବୋଲି ଅନୁମାନ କରି ସୁରକ୍ଷା ବଢାଇବା ପାଇଁ ଚିନ୍ତା କରାଯାଉଥିବା ଆଜିକାର ବୈଠକରୁ ଆଭାସ ମିଳିଥିଲା। ଏଥିସହ ଗୁରୁପ୍ରିୟା ସେତୁ ନିର୍ମାଣରେ ଯେପରି କୌଣସି ନକ୍ସଲ ହିଂସା ନଘଟେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମଧ୍ୟ ଆଲୋଚନା କରାଯାଇଥିବା ଜଣାପଡିଛି। ତେବେ ପ୍ରତିଥର ରୁଦ୍ଧଦ୍ୱାର ବୈଠକ କରାଯାଇ ରଣନୀତି ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ନକ୍ସଲ ବିଚ୍ଛିନ୍ନାଞ୍ଚଳରେ କିଛି ନା କିଛି ଅଘଟଣ ଘଟାଇବାରେ ସକ୍ଷମ ହୋଇପାରୁଛନ୍ତି।

ସମ୍ବନ୍ଧିତ ଖବର