କୋଭିଡ୍-୧୯ ମହାମାରୀ ସଙ୍କଟ ଭିତରେ ସାଇାକେଲ୍ ଚାଳନାର ଅନୁକୂଳ ପ୍ରଭାବ ଓ ଫାଇଦାକୁ ତର୍ଜମା କରିବାର ସମୟ ଆସି ଯାଇଛି। ଏହି କ୍ଷେତ୍ରରେ ନେଦରଲ୍ୟାଣ୍ଡ୍ସକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ୟୁରୋପୀୟ ଦେଶରେ ଯେତିକି ଲୋକ ନାହାନ୍ତି ତା ଠାରୁ ଅଧିକ ସାଇକେଲ୍ ଅଛି। ନେଦରଲ୍ୟାଣ୍ଡ୍ସରେ ସାଇକେଲ ଚଲେଇବା ପାଇଁ ୨୩୦୦୦ ମାଇଲ ସୁରକ୍ଷିତ ରାସ୍ତା ତିଆରି ହେଇଛି ଏବଂ ଏଠାକାର ଶତକଡା ୨୫ ଭାଗ ଅଧିବାସୀ ଯିବାଆସିବା ସାଇକେଲେରେ କରନ୍ତି I କିନ୍ତୁ ଏହି ଆଦର୍ଶ ସମ୍ମାନ ଡଚ୍ ବାସିନ୍ଦାଙ୍କୁ ଆରାମରେ ମିଳିନଥିଲା, ବରଂ ଏହା ହେଉଛି ଏକ ଦଶନ୍ଧି ଧରି ଚାଲିଥିବା ଜନତା ଆନ୍ଦୋଳନର ଫଳ, ଯାହା ୭୦ ଦଶକରେ ଦେଖିବାକୁ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୧୯୭୨ ମସିହାର କଥା। ନେଦରଲ୍ୟାଣ୍ତରେ ଆରମ୍ଭ ହୋଇଥିଲା ‘Stop de Kindermoord’ (ପିଲାଙ୍କୁ ମାରିବା ବନ୍ଦ କରାଯାଇ) ଆନ୍ଦୋଳନ। ଏହା କେବଳ ପିଲାମାନଙ୍କର ଏକ ଆନ୍ଦୋଳନ ନଥିଲା, ବରଂ ବାପା ମା’ ଏବଂ ସମସ୍ତ ନାଗରିକଙ୍କ ପାଇଁ ପ୍ରଯୁଯ୍ୟ ଥିଲା। ଆନ୍ଦୋଳନର କାରଣ ଏହା ଥିଲା ଯେ ପ୍ରତିବର୍ଷ ନେଦରଲ୍ୟାଣ୍ଡ୍ସରେ ସଡକ ଦୁର୍ଘଟଣାରେ ୪୫୦ ଶିଶୁଙ୍କ ସହିତ ୩୦୦୦ ଲୋକ ମୃତ୍ୟୁ ବରଣ କରୁଥିଲେ। କାରଣ ଡଚ ସରକାର ୧୦୦ କିଲୋମିଟର ସୁରକ୍ଷିତ ସାଇକେଲ ରାସ୍ତା କରିବା ଅପେକ୍ଷା ୧ କିଲୋମିଟର ମୋଟର ଯାନ ଚଳାଚଳ ରାସ୍ତାକୁ ପ୍ରାଧାନ୍ୟ ଦେଉଥିଲେ। ଏହି ଆନ୍ଦୋଳନ ଚାଲିଥିବା ବେଳେ ଠିକ ବର୍ଷେ ପରେ ଅଚାନକ ତେଲ ଦର ବଢ଼ିବାକୁ ଲାଗିଲା। ଫଳ ସ୍ବରୂପ ନେଦରଲ୍ୟାଣ୍ଡ୍ସର ୩୦ ଲକ୍ଷ ଅଧିବାସୀ ଗାଡ଼ି ଛାଡି ସାଇକେଲ ଚଳାଇବାକୁ ପୁନଃବିଚାର କରିବାକୁ ବାଧ୍ୟ ହୋଇଥିଲେ। ସେଠାକାର ଜାତୀୟ ସରକାର କାର ବିହୀନ ରବିବାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ଧୀରେ ଧୀରେ ନେଦରଲ୍ୟାଣ୍ଡ୍ସରେ ସରକାର ନିଜ କାର୍ଯ୍ୟଧାରାରେ ବିରାଟ ପରିବର୍ତ୍ତନ ଆଣିଥିଲେ। ନେଦରଲ୍ୟାଣ୍ଡ୍ସରେ କାରକୁ ପ୍ରାଧାନ୍ୟ ନଦେଇ ସାଇକେଲ ବ୍ୟବହାର ପ୍ରତି ଧ୍ୟାନ ଦିଆଗଲା I ବର୍ତ୍ତମାନ ସଡକ ଦୁର୍ଘଟଣା ବହୁତ କମ ଏବଂ ସବୁଆଡେ ସୁରକ୍ଷିତ। ସାଇକେଲ ରାସ୍ତା ଲୋକ ମାନଙ୍କ ଯାତାୟାତର ମାଧ୍ୟମ ହୋଇପାରିଛି। ସେହିଭଳି ୨୦୧୭ ମସିହାରେ ମେକ୍ସିକୋ ସହରରେ ଭୂକମ୍ପ ହେଇଥିଲା। ସେତେବେଳେ ସାଇକେଲ ହିଁ ଏକମାତ୍ର ମାଧ୍ୟମ ସାଜିଥିଲା। ସ୍ୱେଚ୍ଛାସେବୀ, ଡାକ୍ତର ଇତ୍ୟାଦି ମାନଙ୍କ ଗମନା ଗମନ ପାଇଁ ମେକ୍ସିକୋ ସରକାର ଅପାତକାଳୀନ ଭିତ୍ତିରେ ଦୁଇ କୋଟି ଦଶ ଲକ୍ଷ ଅଧିବାସୀଙ୍କ ଗମନା ଗମନ ପାଇଁ ୮୦ କିଲୋମିଟର ଅସ୍ଥାୟୀ ସୁରକ୍ଷିତ ସାଇକେଲ ରାସ୍ତା ତିଆରି କରିଥିଲେ।
ଆଉ ନିକଟରେ ଚୀନର ଉହାନ ସହର ଯେଉଁଠାରେ ବିଶ୍ବର ପ୍ରଥମ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା ସେହି ସହର ଦୀର୍ଘ ୭୬ ଦିନ ତାଲାବନ୍ଦରେ ରହିବାପରେ ବର୍ତ୍ତମାନ ସହର ସମସ୍ତଙ୍କ ପାଇଁ ମୁକ୍ତ ହୋଇଛି। ଉହାନ ସହର ୭୬ ଦିନରେ କିପରି ଯାତାୟତ କରୁଥିଲା ଏହା ସମସ୍ତଙ୍କୁ ହୁଏତ ଚକିତ କରିପାରେ। ସାଇକେଲ ଥିଲା ଏଠାକାର ଯିବା ଆସିବାର ମାଧ୍ୟମ। ଭୂତାଣୁ ବିରୋଧରେ ଲଢ଼ୁଥିବା ବେଳେ ସ୍ୱେଚ୍ଛାସେବୀ ମାନେ ସାଇକେଲ ମାଧ୍ୟମରେ ଲୋକମାନଙ୍କୁ ଜରୁରୀ ସାମଗ୍ରୀ ଯୋଗାଉଥିଲେ। ମୋ ବାଇକ ସାଇକେଲ ଭଡ଼ାରେ ଦେଉଥିବା ସଂସ୍ଥାର ଗୋଟେ ସର୍ଭେରୁ ଜଣାପଡିଥିଲା ଲୋକ ମାନଙ୍କ ମଧ୍ୟର ସାଇକେଲ ଚଳାଚଳ ୧୦% ବଢିଛି। କେବଳ ଉହାନ ନୁହେଁ, ନ୍ୟୁୟର୍କ, ଫିଲାଡେଲଫିଆରେ ମଧ୍ୟ ସାଇକେଲ୍ ବ୍ୟବହାର ଆଶାଠାରୁ ଢେର ଉପରେ ରହିଥିଲା।
ଯେତେବେଳେ ସମଗ୍ର ବିଶ୍ବ ମାହାମାରୀ ସହିତ ଲଢ଼ୁଛି ଏବଂ ଏହାର ଆଗଧାଡ଼ିରେ ଥିବା ନେତାମାନେ ବାଟ ଖୋଜୁଛନ୍ତି, ଠିକ ସେତିକିବେଳେ ସାଇକେଲ ଅମୃତ ସଦୃଶ୍ୟ ସହର ବାସୀଙ୍କ ପାଇଁ ଆବିର୍ଭାବ ହୋଇଛି, ଯାହା ବର୍ତ୍ତମାନ ସହରାଞ୍ଚଳ ଗମନା ଗମନର ମୁଖ୍ୟ ମାଧ୍ୟମ ସାଜିଛି। ସମୟ ମଧ୍ୟ ଆସିଛି ବିଶ୍ଵର ସହରକୁ ଯେଉଁମାନେ ଚଳାଉଛନ୍ତି ସେମାନେ ଚିନ୍ତା ମଧ୍ୟ କରୁଛନ୍ତି, କେବଳ ବର୍ତ୍ତମାନ ନୁହେଁ ବରଂ ସାଇକେଲକୁ ନେଇ ସହରାଞ୍ଚଳ ଗମନା ଗମନର ବାଟ କେମିତି ଖୋଲିବ ସେ ଅନୁଧ୍ୟାନ ମଧ୍ୟ କରୁଛନ୍ତି। ଜର୍ମାନୀ ନିଜ ଦେଶର ସହଗୁଡିକରେ ଅସ୍ଥାୟୀ ଭାବେ ସୁରକ୍ଷିତ ସାଇକେଲ ରାସ୍ତା ପ୍ରସ୍ତୁତ କରୁଛି ଯେଉଁଠି ଦିନେ କାର ଚାଲୁଥିଲା ଅବା ରଖାଯାଉଥିଲା।
ଆଉ ଭୁବନେଶ୍ବର ମଧ୍ୟ ଏହି ମହାମାରୀରୁ କିଛି ଭଲ ଶିକ୍ଷା ଲାଭ କରୁ ଯାହା ସ୍ମାର୍ଟ ସିଟି ହେବାରେ ସହାୟକ ହେବ I ଭୁବନେଶ୍ବର ସ୍ମାର୍ଟ ସିଟି ପରୀକ୍ଷାରେ ଏକ ନମ୍ବର ଆଉ କୋଭିଡ୍-୧୯ର ହଟସ୍ପଟ ଥିଲା। ମନ୍ଦିର ମାଳିନୀ ସହର ପାଇଁ ଏହା ସତର୍କ ଘଣ୍ଟି। ଆଉ ବର୍ତ୍ତମାନ ଏବଂ ଆଗାମୀ ଦିନର ସହର ସାଇକେଲକୁ ନେଇ ଯୋଜନା କରିବାର ବେଳ ଆସିଛି। ଅନ୍ୟ ସହରଗୁଡିକ ଭଳି ଭୁବନେଶ୍ବର ମଧ୍ୟ ସାଇକେଲକୁ ସହରାଞ୍ଚଳ ଗମନା ଗମନର ସୁଗମ ପଥ ରହିବା ଆବଶ୍ୟକ। ଆଶା କରିବା ଭୁବନେଶ୍ବର ସହର ତୁରନ୍ତ ଲୋକାଭିମୁଖୀ ଏବଂ ସାମାଜିକ ଦୂରତ୍ବ ମାନଦଣ୍ଡକୁ ନଜରରେ ରଖି ସାଇକେଲ ରାସ୍ତା ଲାଗି ପଦକ୍ଷେପ ନେବେ। ଏହା ବି ସତ୍ୟ ସାଇକେଲ ବର୍ତ୍ତମାନ ଆଗ ଅପେକ୍ଷା ଅଧିକ ରାଜରାସ୍ତା ଓ ଗଳି କନ୍ଦିରେ ଗଡୁଛି। ଭବିଷ୍ୟତ ମହାମାରୀ ମୁକାବିଲା କରିବା ଏବଂ ସହରକୁ ପ୍ରସ୍ତୁତ ରଖିବାର ଭବିଷ୍ୟତକୁ ନଜରରେ ରଖି ଏହାର ସଦୁପଯୋଗ କରାଯାଉ।
– ଡକ୍ଟର ପୀୟୂଷ ରଞ୍ଜନ ରାଉତ
ସାଇକ୍ଲିଷ୍ଟ ଓ ସହରାଞ୍ଚଳ ଯୋଜନା ବିଶେଷଜ୍ଞ