ପୂଜାରାଙ୍କ ୱିକେଟ୍ ନେଇ ବିଦର୍ଭ ସୁଦୃଢ଼

ରଣଜୀ ଟ୍ରଫି ଫାଇନାଲ୍

ନାଗପୁର: ନାଗପୁରର ବିଦର୍ଭ କ୍ରିକେଟ୍‌ ସଂଘ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲ୍‌ର ରୋମାଞ୍ଚ ବଢ଼ି ବଢ଼ି ଚାଲିଛି। ବିଦର୍ଭ ପ୍ରଥମ ପାଳିରେ ୩୧୨ ରନ୍ କରିବା ପରେ ପ୍ରତିପକ୍ଷ ସୌରାଷ୍ଟ୍ରର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରାଙ୍କୁ ମାତ୍ର ୧ ରନ୍‌ରେ ପ୍ୟାଭିଲିୟନ ଫେରାଇ ଦୃଢ଼ ସ୍ଥିତିରେ ରହିଛି। ଗତଥରର ବିଜେତା ବିଦର୍ଭର ଅଭିଜ୍ଞ ସ୍ପିନର ଆଦିତ୍ୟ ସରୱାତେ (୨୦-୬-୫୫-୩) ସୋମବାର ପୂଜାରାଙ୍କ ସମେତ ତିନିଟି ୱିକେଟ୍ ନେଇ ସୌରାଷ୍ଟ୍ରକୁ ଦୋହଲାଇ ଦେଇଛନ୍ତି। ସେହିଭଳି ଚା’ ପାନ ବିରତି ପରେ ଅନ୍ୟତମ ସ୍ପିନର ଅକ୍ଷୟ ୱାଖରେ ଆଉ ଦୁଇଟି ୱିକେଟ୍ ଅକ୍ତିଆର କରି ବିଦର୍ଭ ପଲ୍ଲା ଭାରି କରି ଦେଇଥିଲେ। ସୋମବାର ଦ୍ବିତୀୟ ଦିନର ଖେଳ ଶେଷ ବେଳକୁ ସୌରାଷ୍ଟ୍ର ୫ ୱିକେଟ୍ ହରାଇ ୧୫୮ ରନ୍ କରିଛି। ଫଳରେ ପାଖରେ ଅଧା ଦଳ ଥାଇ ବିଦର୍ଭଠାରୁ ଆଉ ୧୫୪ ରନ୍ ପଛରେ ରହିଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ୱିକେଟ୍ ରକ୍ଷକ ସ୍ନେଲ ପଟେଲ ୮୭ ଏବଂ ପ୍ରେରକ ମଙ୍କଡ଼ ୧୬ ରନ୍ କରି ଅପରାଜିତ ରହିଛନ୍ତି। ତଥାପି ପିଚ୍ ଓ ପରିବେଶ ଦୃଷ୍ଟିରୁ ବିଦର୍ଭ ପଲ୍ଲା ପୂରା ଭାରି ରହିଛି। ପୂଜାରାଙ୍କ ୱିକେଟ୍ ହିଁ ସୋମବାର ବିଦର୍ଭ ‌ବୋଲରଙ୍କ ପାଇଁ ସବୁଠାରୁ ବଡ଼ ସଫଳତା ଥିଲା। ଏହା ପୂର୍ବରୁ ସରୱାତେ ଅବଶ୍ୟ ହାର୍ଭିକ ଦେଶାଇ (୧୦) ଓ ବିଶ୍ବରାଜ ଜାଦେଜା (୧୩)ଙ୍କୁ ପ୍ୟାଭିଲିୟନ ଫେରାଇ ସାରିଥିଲେ। ଚା’ ପାନ ବରତିର ଗୋଟିଏ ଓଭର ପୂର୍ବରୁ ବ୍ୟାଟିଂ କରିବାକୁ ଆସିଥିବା ପୂଜାରାଙ୍କୁ ୱାସିମ ଜାଫରଙ୍କ ହାତରେ କ୍ୟାଚ୍ କରାଇ ସେ କିନ୍ତୁ ସୌରାଷ୍ଟ୍ରକୁ ସଙ୍କଟ ଭିତରକୁ ଠେଲି ଦେଇଥିଲେ। ଏହା ପରେ ଅର୍ପିତ ବାସବଦା (୧୩) ଓ ସେଲଡନ୍ ଜ୍ୟାକସନ୍ (୯) ୱାଖରେଙ୍କ ଶିକାର ହୋଇଥିଲେ। ମାତ୍ର ୨୦ ମିନିଟ୍ ଭିତରେ ସୌରାଷ୍ଟ୍ର ତିନିଟି ୱିକେଟ୍ ଫିଙ୍ଗି ଦେଇଥିଲା।
ପୂର୍ବରୁ ରବିବାର ମ୍ୟାଚ୍‌ର ପ୍ରଥମ ଦିନରେ ୨୦୦ ରନ୍‌ରେ ୭ ୱିକେଟ୍ ହରାଇ ସଂଘର୍ଷ କରୁଥିବା ବିଦର୍ଭ ତା’ର ଶେଷ ତିନି ୱିକେଟ୍‌ରେ ଆଉ ୧୧୨ ରନ୍ ଯୋଡ଼ି ନେଇଥିଲା। ଲାଞ୍ଜ ଭାଗରେ ଥିବା ଖେଳାଳି ଲଢ଼ିବା ପରେ ଏକ ସମ୍ମାନଜନକ ସ୍କୋର କରି ନେଇଥିଲା। ସୋମବାର ପ୍ରଥମ ଏକ ଘଣ୍ଟା ଖେଳରେ ସୌରାଷ୍ଟ୍ର ବୋଲର ପ୍ରଭାବହୀନ ରହିବା ଏହାର ଅନ୍ୟତମ ପ୍ରମୁଖ କାରଣ ବି ଥିଲା। ରବିବାରର ଅପରାଜିତ ବ୍ୟାଟ୍ସମ୍ୟାନ୍ ଅକ୍ଷୟ କାର୍ନେକର (୭୩) ନିଜ ଦ୍ବିତୀୟ ପ୍ରଥମଶ୍ରେଣୀ ଅର୍ଧଶତକ ଅର୍ଜନ କରି ବିଦର୍ଭ ସ୍କୋରକୁ ୩୦୦ ରନ୍ ପାର କରାଇ ଦେଇଥିଲେ। ସେହିଭଳି ଅନ୍ୟତମ ଅପରାଜିତ ବ୍ୟାଟ୍ସମ୍ୟାନ୍ ଅକ୍ଷୟ ୱାଖରେ ୩୪ ଓ ଉମେଶ ଯାଦବ ୧୩ ରନ୍‌ର ମହତ୍ବପୂର୍ଣ୍ଣ ଯୋଗଦାନ କରିଥିଲେ।
ସଂକ୍ଷିପ୍ତ ସ୍କୋର: ବିଦର୍ଭ ୧୨୦.୨ ଓଭରରେ ୩୧୨ (ଅକ୍ଷୟ କାର୍ନେକର ୭୩*, ଅକ୍ଷୟ ୱାଦକର ୪୫, ମୋହିତ କାଲେ ୩୫, ଅକ୍ଷୟ ୱାଖରେ ୩୪, ଜୟଦେବ ଉନାଦକଟ ୩/୫୪, ଚେତନ ସକାରିଆ ୨/୪୪)। ସୌରାଷ୍ଟ୍ର ୫୯ ଓଭରରେ ୧୫୮/୫ (ସ୍ନେଲ୍ ପଟେଲ ୮୭, ବିସଭରାଜ ଜାଦେଜା ୧୮, ଚେତେଶ୍ବର ପୂଜାରା ୧, ଆଦିତ୍ୟ ସରୱାତେ ୩/୫୫, ଅକ୍ଷୟ ୱାଖରେ ୨/୪୨)।

ସମ୍ବନ୍ଧିତ ଖବର