ବୋଲର୍‌ଙ୍କ ନିୟନ୍ତ୍ରଣରେ କୋଲ୍‌କାତା ମ୍ୟାଚ୍‌: ବିଦର୍ଭ ୧୮୪, କର୍ଣ୍ଣାଟକ ୩୬/୩

କୋଲ୍‌କାତା: ରଣଜୀ ଟ୍ରଫି ସେମିଫାଇନାଲ୍‌ ରବିବାରଠୁ ଆରମ୍ଭ ହୋଇଛି। କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ବିଦର୍ଭ-କର୍ଣ୍ଣାଟକ ଏବଂ ପୁନେର ମହାରାଷ୍ଟ୍ର କ୍ରିକେଟ୍‌ ସଂଘ ଷ୍ଟାଡିୟମରେ ବେଙ୍ଗଲ-ଦିଲ୍ଲୀ ମୁହାଁମୁହିଁ ହୋଇଛନ୍ତି। କୋଲ୍‌କାତା ମ୍ୟାଚ୍‌ ପ୍ରଥମ ଦିନ ବୋଲର୍‌ଙ୍କ ନିୟନ୍ତ୍ରଣରେ ରହିଥିଲା ବେଳେ ପୁନେରେ ବ୍ୟାଟ୍ସମ୍ୟାନ୍‌ ପ୍ରଭାବ ଅନୁଭୁତ ହୋଇଛି।

ରବିବାର କୋଲ୍‌କାତାରେ ବୋଲରଙ୍କ ଆଧିପତ୍ୟ ଯୋଗୁଁ ପ୍ରଥମ ଦିନ ୧୩ ଓ୍ଵିକେଟ୍‌ର ପତନ ଘଟିଛି। କର୍ଣ୍ଣାଟକ ବୋଲରମାନେ ବିଦର୍ଭ ପ୍ରଥମ ପାଳିକୁ ୧୮୪ ରନ୍‌ରେ ସଫା କରିଦେଇଥିଲେ। ବିଶେଷକରି ଅଭିମନ୍ୟୁ ମିଥୁନ ୫ ଏବଂ ଅଧିନାୟକ ବିନୟ କୁମାରଙ୍କ ୨ ଓ୍ଵିକେଟ୍‌ ବଳରେ କର୍ଣ୍ଣାଟକ ଭଲ ସ୍ଥିତି ପାଇଥିଲା। ବିଦର୍ଭ ପକ୍ଷରୁ ଆଦିତ୍ୟ ସରଓ୍ଵାତେ ୪୭, ଓ୍ଵାସିମ ଜାଫର ୩୯, ଗଣେଶ ସତୀଶ ୩୦ ଓ ଆର୍‌ ସଞ୍ଜୟ ୨୨ ରନ୍‌ କରିଥିଲେ। କର୍ଣ୍ଣାଟକ ପକ୍ଷରୁ ଶ୍ରୀନାଥ ଅରବିନ୍ଦ, ଷ୍ଟୁଆର୍ଟ ବିନ୍ନି ଓ ଶ୍ରେୟଶ ଗୋପାଳ ଅବଶିଷ୍ଟ ୩ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଜବାବରେ ବିଦର୍ଭ ବୋଲରମାନେ ମଧ୍ୟ କମାଲ୍‌ ଦେଖାଇଥିଲେ। ରାଜନୀଶ ଗୁରବାଣୀ ୯ ରନ୍‌ରେ ୨ ଏବଂ ଉମେଶ ଯାଦବ ୨୨ ରନ୍‌ରେ ଗୋଟିଏ ଓ୍ଵିକେଟ୍‌ ନେଇ କର୍ଣ୍ଣାଟକର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଛନ୍ତି। ରବିକୁମାର ସମର୍ଥ (୬), ମୟଙ୍କ ଅଗ୍ରଓ୍ଵାଲ୍‌ (୧୫) ଓ ଦିଗା ନଶ୍ଚଲ (୦) ପାଭିଲିୟନ୍‌ ଫେରି ଯାଇଥିଲା ବେଳେ କର୍ଣ୍ଣାଟକ ପ୍ରଥମ ଦିନ ଶେଷ ସୁଦ୍ଧା ୩ ଓ୍ଵିକେଟ୍‌ ହରାଇ ୩୬ ରନ୍‌ କରିଛି। କରୁଣ ନାୟର (୬*) ଏବଂ ଚିଦାମ୍ବରମ୍‌ ଗୌତମ (୯*) କ୍ରିଜ୍‌ରେ ଥିଲା ବେଳେ କର୍ଣ୍ଣାଟକ ଏବେ ବି ୧୪୮ ରନ୍‌ ପଛରେ ରହିଛି।

ବେଙ୍ଗଲ୍‌ ୨୬୯/୭
ପୁନେରେ ଖେଳାଯାଉଥିବା ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ବେଙ୍ଗଲ୍‌ ପ୍ରଥମ ଦିନ ଷ୍ଟମ୍ପ୍‌ ଅପସାରଣ ବେଳକୁ ୭ ଓ୍ଵିକେଟ୍‌ ହରାଇ ୨୬୯ ରନ୍‌ କରିଛି। ସୁଦୀପ ଚାଟାର୍ଜୀ (୮୩) ଅର୍ଧଶତକ ହାସଲ କରିଥିଲା ବେଳେ ଋତିକ ଚାଟାର୍ଜୀ (୪୭), ଅଭିଷେକ ରମଣ (୩୬), ଅନୁସ୍ତୁପ ମଜୁମଦାର (୩୨) ଏବଂ ମନୋଜ ତିଓ୍ଵାରୀ (୩୦) ଉପଯୋଗୀ ପାଳି ଖେଳିଥିଲେ। ଶ୍ରୀବତ୍ସ ଗୋସ୍ୱାମୀ (୧୯) ଏବଂ ଅମୀର ଗନି (୪) ବ୍ୟାଟିଂ ଜାରି ରଖିଛନ୍ତି। ଦିଲ୍ଲୀ ପକ୍ଷରୁ ସଫଳ ବୋଲର ଭାବେ ନଭଦୀପ ସାଇନ୍‌ ଓ ମନନ ଶର୍ମା ୨ ଲେଖାଏଁଁ ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର