ସୁପର୍‌ ଜିଆଣ୍ଟ୍ସର ବଡ ବିଜୟ

ପୁଣେ: ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ ଜରିଆରେ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟ୍ସ ଶନିବାର ୭୫ ରନ୍‌ର ବଡ଼ ବ୍ୟବଧାନରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଏଥି ସହିତ ସୁପର୍‌ ଜିଆଣ୍ଟ୍ସ ୧୧ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହ ପୁଣି ଥରେ ପଏଣ୍ଟ ଟେବୁଲ୍ ଶୀର୍ଷକୁ ଉଠିଛି। ୨ ଥର ବିଜେତା କେକେଆର୍‌ ଏକାଦଶ ମ୍ୟାଚ୍‌ରୁ ସପ୍ତମ ପରାଜୟ ସହ ଏକ ପ୍ରକାର ପ୍ଲେ ଅଫ୍ ଦୌଡ଼ରୁ ବାଦ୍‌ ପଡିଛି। ଶନିବାର କିନ୍ତୁ ପ୍ରଥମ ଦଳ ଭାବେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍‌‌ ଦୌଡ଼ରୁ ବାଦ୍‌ ପଡ଼ିଥିଲା। ଶନିବାର ମ୍ୟାଚ୍‌ରେ ସୁପର୍‌ ଜିଆଣ୍ଟ୍ସ ୧୭୬ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରିଥିଲା। ଜବାବରେ କେଏଲ୍ ରାହୁଲଙ୍କ ପେସ୍‌ ବାହିନୀ କେକେଆର୍‌କୁ ୧୦୧ ରନ୍‌ରେ ଅଲ୍ ଆଉଟ୍ କରି ଦେଇଥିଲେ। ମୋହସିନ୍‌ ଖାନ୍‌, ଅଭେସ୍‌ ଖାନ୍‌, ଜାସନ୍ ‌ହୋଲ୍ଡର, ଦୁଷ୍ମନ୍ତ ଚାମିରା ମିଳିତ ଭାବେ ୮ ୱିକେଟ୍ ଅକ୍ତିଆର କରିଥିଲେ। ଅଭେସ୍‌ ଖାନ୍ କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ମ୍ୟାଚ୍‌ ଅବସରରେ ସୁନିଲ ନାରାୟଣ ତୃତୀୟ ଖେଳାଳି ଭାବେ ଆଇପିଏଲ୍‌ରେ ୧୦୦୦ରୁ ଊର୍ଧ୍ବ ରନ୍‌ ଓ ୧୦୦ରୁ ଊର୍ଧ୍ବ ୱିକେଟ୍ କ୍ଲବ୍‌ର ସଦସ୍ୟ ପାଲଟିଥିଲେ। ପୂର୍ବରୁ ଏହି କ୍ଲବ୍‌ରେ ଡ୍ବାନ୍ ବ୍ରାଭୋ ଓ ରବୀନ୍ଦ୍ର ଜାଦେଜା ଥିଲେ।

ରାହୁଲ ଓ ମାଭିଙ୍କ ଅଲୋଡ଼ା କୀର୍ତ୍ତି

ଚଳିତ ଆଇପିଏଲ୍‌ରେ ଶନିବାର ପରସ୍ପର ବିରୋଧରେ ଖେଳିଥିବା ଦୁଇ ଭାରତୀୟ ଖେଳାଳି କେଏଲ୍ ରାହୁଲ ଓ ଶିବମ ମାଭି ବ୍ୟକ୍ତିଗତ ଭାବେ ଅଲୋଡ଼ା କୀର୍ତ୍ତିମାନ କରିଛନ୍ତି। ଚଳିତ ଋତୁରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଅଧିନାୟକ କେଏଲ୍‌ ରାହୁଲ ତୃତୀୟ ଥର ପାଇଁ ଶୂନରେ ଆଉଟ୍ ହୋଇଛନ୍ତି। ୱାଙ୍ଖ୍‌ଡେରେ ଦୁଇ ଥର ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରଥମ ବଲ୍‌ରେ ଆଉଟ ‌ହୋଇଥିବା ରାହୁଲ ଶନିବାର ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ କୌଣସି ବଲ୍ ସମ୍ମୁଖୀନ ହେବା ପୂର୍ବରୁ ରନ୍‌ ଆଉଟ୍ ହୋଇଯାଇଥିଲେ। ୱାଙ୍ଖ୍‌ଡେର ଉଭୟ ମ୍ୟାଚ୍‌ରେ ଲକ୍ଷ୍ନୌ ହାରିଯାଇଥିଲା। ଅନ୍ୟପକ୍ଷରେ ଲକ୍ଷ୍ନୌ ପାଳିର ୧୯ତମ ଓଭର ବୋଲିଂ କରିଥିବା ଯୁବ ଦ୍ରୁତ ବୋଲର ଶିବମ ମାଭି ୫ ଛକାର ଶିକାର ହୋଇ ମୋଟ ୩୦ ରନ୍‌ ବ୍ୟୟ କରିଥିଲେ। ପ୍ରଥମ ୩ ବଲ୍‌କୁ ମାର୍କସ ଷ୍ଟୋଇନିସ୍‌ ଛକା ମାରିବା ପରେ ଚତୁର୍ଥ ବଲରେ ଆଉଟ୍ ହୋଇଯାଇଥିଲେ। ତେବେ ଶେଷ ଦୁଇ ବଲ୍‌କୁ ଜାସନ୍ ହୋଲ୍‌ଡର ଛକା ମାରିବାରେ ସକ୍ଷମ ହୋଇଥିଲେ। ଆଇପିଏଲ୍‌ ଇତିହାସରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଏହା ଥିଲା ସର୍ବାଧିକ ରନ୍‌ ବ୍ୟୟ ଓଭର। ୨୦୧୮ରେ କୋଲକାତାରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୨୮ ରନ୍‌ ଏବଂ ସେହିବର୍ଷ ଦିଲ୍ଲୀରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୯ ରନ୍‌ ବ୍ୟୟ କରିଥିଲା ଏହି ଦୁଇ ଥର ବିଜେତା ଦଳ। ସବୁଠାରୁ ବଡ଼ ସଂ‌ଯୋଗ ହେଉଛି ଏହି ସମସ୍ତ ୩ ଥର ଯାକ ବୋଲର ଥିଲେ ଶିଭମ ମାଭି।

ଶନିବାର ରାତିର ଏହି ମ୍ୟାଚ୍‌ରେ ପ୍ରଥମ ଓଭରରେ ରାହୁଲ ଆଉଟ୍ ହୋଇଯିବା ସତ୍ତ୍ବେ କ୍ବିଣ୍ଟନ୍ ଡି’କକ୍ ଏବଂ ଦୀପକ ହୁଦା ମାତ୍ର ୬.୩ ଓଭରରୁ ୭୧ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। କୃନାଲ ପାଣ୍ଡ୍ୟା ସଂଘର୍ଷ କରିଥିଲେ। କିନ୍ତୁ ମାର୍କସ ଷ୍ଟୋଇନିସ୍ ଓ ଜାସନ୍ ହୋଲ୍ଡର ସୁପର୍‌ ଜିଆଣ୍ଟ୍ସକୁ ୧୭୬ ରନ୍‌ରେ ପହଞ୍ଚାଇ ଦେଇଥିଲେ। ୨୦ତମ ଓଭରରେ ଟିମ୍ ସାଉଦି ମାତ୍ର ୪ ରନ୍‌ ଦେବା ଅଧିକ ବଡ଼ ସ୍କୋର୍‌ରୁ ଲକ୍ଷ୍ନୌକୁ ରୋକିଦେଇଥିଲା। ଦୁଇ ୱେଷ୍ଟଇଣ୍ଡିଜ୍ ବୋଲର୍‌ ସୁନିଲ ନାରାୟଣ (୧/୨୦) ଏବଂ ଆନ୍ଦ୍ରେ ରସେଲ୍‌ (୨/୨୨) ପ୍ରଭାବୀ ବୋଲିଂ କରିଥିଲେ।

ସମ୍ବନ୍ଧିତ ଖବର