ବିଜେନ୍ଦର ଆହତ: ୟୁଏସ୍‌ ପ୍ରୋ ପଦାର୍ପଣ ବିଳମ୍ବିତ

ନୂଆଦିଲ୍ଲୀ: ଭାରତୀୟ ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହଙ୍କ ୟୁଏସ୍‌ ପ୍ରୋ ପଦାର୍ପଣ ବିଳମ୍ବିତ ହେବ। ଲସ୍‌ ଏଞ୍ଜେଲ୍ସଠାରେ ଅଭ୍ୟାସ କରୁଥିବା ବେଳେ ବି‌ଜେନ୍ଦର ଆହତ ‌ହୋଇଛନ୍ତି। ଫଳରେ ଏପ୍ରିଲ ୧୨ ତାରିଖରେ ଆମେରିକାରେ ହେବାକୁଥିବା ପେସାଦାର ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାକୁ ସ୍ଥଗିତ ରଖିବାକୁ ସୋମବାର ନିଷ୍ପତ୍ତି ନିଆଯାଇଛି। ଅଲିମ୍ପିକ୍ ଓ ବିଶ୍ବ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରଥମ ପଦକ ଜିତିଥିବା ବିଜେନ୍ଦର ଷ୍ଟାପଲ୍ସ ସେଣ୍ଟର୍‌ରେ ୟୁଏସ୍‌ ପଦାର୍ପଣ କରିବାର ଥିଲା। ଏହି ପ୍ରତିଯୋଗିତା ୮ ରାଉଣ୍ଡ ହେବାକୁ ଥିଲା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ କିଏ ହେବ ସ୍ଥିର ହୋଇନଥିଲା। ୨୦୧୫ରେ ପେସାଗତ ମୁ‌ଷ୍ଟିଯୁଦ୍ଧ ଜୀବନ ଆରମ୍ଭ କରିଥିବା ବିଜେନ୍ଦର ଏ ପଯ୍ୟନ୍ତ ୧୦ ପ୍ରୋ ମୁକାବିଲାରେ ଅପରାଜିତ ରହିଛନ୍ତି। ଏଥିସହ ସେ ଡବ୍ଲୁ ବିଓ ଏସିଆ ପ୍ୟାସିଫିକ୍‌ ୱେଲ୍ଟରୱେଟ୍‌ ମୁକୁଟ ମଧ୍ୟ କରାୟତ କରିସାରିଛନ୍ତି। ଶୁକ୍ରବାର ମୁଁ ଅଭ୍ୟାସ କରୁଥିଲା ବେଳେ ବାମ ଆଖିରେ ଆଘାତ ଲାଗିଥିଲା। ଦୁଇଟି ଷ୍ଟିଜ୍‌ ପଡ଼ିଛି। ଆସନ୍ତା ଶୁକ୍ରବାର ଏହି ଦୁଇଟି ଷ୍ଟିଜ୍‌ ଖୋଲା ଯିବ ବୋଲି ଡାକ୍ତର କହିଛନ୍ତି। ‘ଏଭଳି ହେବାର ଥିଲା। ଭଗବାନ ଯାହା କରନ୍ତି ମଣିଷରେ ଭଲ ପାଇଁ। ଆଗକୁ ନିଶ୍ଚିତ ଭଲ ହେବ’ ବ‌ୋଲି ବିଜେନ୍ଦର କହିଛନ୍ତି। ସୂଚନାଯୋଗ୍ୟ ଯେ ବିଜେନ୍ଦର ୟୁଏସ୍‌ ପ୍ରୋ ଲାଗି ଲସ୍‌ ଆଞ୍ଜେଲସ୍ସଠାରେ ‘ଦ ୱାଇଲ୍ଡ କାର୍ଡ ବକ୍ସିଂ କ୍ଲବ୍‌’ରେ ଫ୍ରେଡି ରୋଚଙ୍କ ତତ୍ବାବଧାନରେ ପ୍ରଶିକ୍ଷଣ ନେଉଛନ୍ତି। ୩୨ ବର୍ଷୀୟ ରୋଚ ହେଉଛନ୍ତି ବିଶ୍ବର ଜଣେ ଶ୍ରେଷ୍ଠ ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ।

ସମ୍ବନ୍ଧିତ ଖବର