ବ୍ରହ୍ମପୁର: ବିଜୁ ପଟ୍ଟନାୟକ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ରେ ଭୁବନେଶ୍ୱର ରାମେଶ୍ୱର ସ୍ପୋର୍ଟିଂ ବ୍ରହ୍ମପୁର ଅକ୍ସଫୋର୍ଡ଼ କ୍ରିକେଟ୍ କ୍ଲବକୁ ପରାସ୍ତ କରି ବିଜେତା ହୋଇଛି। ରାମେଶ୍ୱର ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ଓଭର୍ରେ ୪ ଓ୍ଵିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ବିଶ୍ୱଜିତ ଭୂୟାଁ ମାତ୍ର ୩୭ଟି ବଲ୍ରୁ ୫୨ ରନ୍ର ଧୂଆଁଧାର ପାଳି ଖେଳିିଥିଲେ। ରଣଜୀ ଖେଳାଳି ପରେଶ ପଟେଲ ମଧ୍ୟ ବିସ୍ଫୋରକ ଖେଳ ଖେଳି ୩୨ଟି ବଲ୍ରେ ୫୦ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବ୍ରେ ଅକ୍ସଫୋର୍ଡ଼ ଦଳ ନିର୍ଧାରିତ ୨୦ ଓଭର୍ରେ ୬ ଓ୍ଵିକେଟ୍ ହରାଇ ୧୬୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଶ୍ରୀକାନ୍ତ ୪୭ ଓ ସତ୍ୟଜିତ ୪୬ ରନ୍ ସଂଗ୍ରହ କରିଥିଲେ। ରବିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ରାମେଶ୍ୱର ସ୍ପୋର୍ଟିଂ ୧୫ ରନ୍ରେ ବିଜୟୀ ହୋଇ ବିଜେତା ଆଖ୍ୟା ଅର୍ଜନ କରିଥିଲା। ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, କର୍ପୋରେଟର୍ ରଶ୍ମିତା ପାତ୍ର, ତ୍ରିପତି ପାତ୍ର, ବ୍ରହ୍ମପୁର ଷ୍ଟାଡ଼ିଅମ ଭାରପ୍ରାପ୍ତ ଅଧିକାରୀ ସଚ୍ଚିନ୍ଦ୍ର ଅତିଥି ଭାବେ ଯୋଗ ଦେଇ ପୁରାସ୍କାର ବିତରଣ କରିଥିଲେ। ରାମେଶ୍ୱର ସ୍ପୋର୍ଟିଂର ଅଧିନାୟକ ବିଶ୍ୱଜିତ ଭୂୟାଁ ଶୃଙ୍ଖଳା ଏବଂ ପରେଶ ପଟେଲ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଅୟୋଜକ ଆଲ୍ଫା ସ୍ପୋର୍ଟିଂ କ୍ଲବ ସମ୍ପାଦକ ବିଜୟ ସିଂ ସାମନ୍ତ ଓ ଅନ୍ୟ ସଦସ୍ୟବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ।