ବୀରେନ୍ଦ୍ର ଓ ଅରୂପାନନ୍ଦ ପାଇବେ ‘ଓସ୍‌ଜା’ ପୁରସ୍କାର

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି ବଡ଼ ସଫଳତା ପାଇଥିବା ଭାରତୀୟ ପୁରୁଷ ହକି ଦଳର ସଦସ୍ୟ ବୀରେନ୍ଦ୍ର ଲାକ୍ରା ଏବଂ ଓଡ଼ିଶା ବାସ୍କେଟବଲ୍‍ର କିଂବଦନ୍ତି ଅରୂପାନନ୍ଦ ରାଉତରାୟଙ୍କୁ ଚଳିତ ବର୍ଷର ଓସ୍‍ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ବାର୍ଷିକ ପୁରସ୍କାର ପ୍ରଦାନ କରାଯିବ। ଅର୍ଜୁନ ପୁରସ୍କାର ବିଜେତା ବୀରେନ୍ଦ୍ରଙ୍କୁ ୨୦୨୧ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‍ ଏବଂ ଅରୂପାନନ୍ଦଙ୍କୁ ଜୀବନବ୍ୟାପୀ ସେବା ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ୨୧ ତାରିଖ ଓସ୍‌ଜାର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ‘ଓସ୍‌ଜା’ ସଭାପତି ସନ୍ଦୀପ ମିଶ୍ର ଏକ ପ୍ରେସ୍‍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ବରିଷ୍ଠ ସଦସ୍ୟ ସୁଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ ସମିତି ୨୦୨୧ ବର୍ଷ ପାଇଁ ବୀରେନ୍ଦ୍ର ଏବଂ ଅରୂପାନନ୍ଦଙ୍କୁ ମନୋନୀତ କରିଛି। ଏହି ଦୁଇ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ବିଶେଷ ଟ୍ରଫି, ମାନପତ୍ର ଏବଂ ୨୫ ହଜାର ଟଙ୍କା ଦେଇ ସମ୍ମାନିତ କରାଯିବ। ୨୦୧୨ ଲଣ୍ଡନ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ବୀରେନ୍ଦ୍ର ଲାକ୍ରା ଦେଶର ଅନ୍ୟତମ ପ୍ରମୁଖ ଡିଫେଣ୍ଡର। ଭାରତୀୟ ହକି ଦଳର ସଫଳ ପ୍ରଦର୍ଶନରେ ଓଡ଼ିଶାର ଏହି ପ୍ରତିଭାଧାରୀଙ୍କ ଯୋଗଦାନ ଯଥେଷ୍ଟ ରହିଆସିଛି। ଅନ୍ୟପକ୍ଷରେ ଓଡ଼ିଶା ଓ ଭାରତୀୟ ବାସ୍କେଟବଲ୍‍ ଦୁନିଆର କିଂବଦନ୍ତି ହେଉଛନ୍ତି ଅରୂପାନନ୍ଦ ରାଉତରାୟ। ସର୍ଭିସେସ ଓ ଓଡ଼ିଶା ପାଇଁ ସେ ଖେଳିଛନ୍ତି। ଭାରତୀୟ ବାସ୍କେଟବଲ ବରିଷ୍ଠ ଦଳରେ ଖେଳିବାରେ ସେ ପ୍ରଥମ ଓଡ଼ିଆ। ଭାରତୀୟ ବରିଷ୍ଠ ଦଳର ପ୍ରଶିକ୍ଷକ ଭାବେ ବି ସେ ଦାୟିତ୍ୱ ତୁଲାଇଛନ୍ତି ଅନେକ ବର୍ଷ।

ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ଅନୁବନ୍ଧିତ ଓସ୍‍ଜା ୨୦୧୮ରୁ ବାର୍ଷିକ ପୁରସ୍କାର ପ୍ରଦାନ କରିଆସୁଛି। ପ୍ରଥମ ବର୍ଷ ବିଜେତା ଥିଲେ ହେପ୍ଟାଥଲନ୍‍ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍‍ ଓ ବର୍ଷିୟାନ ଫୁଟ୍‌ବଲର୍‍ ଦେବ ସିଂହ। ୨୦୧୯ରେ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ବିଜେତା ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ବ୍ରଜ ଭୂଷଣ ମହାନ୍ତି, ୨୦୨୦ରେ ପାରା ଆଥ୍‌ଲେଟ୍‌ ପ୍ରମୋଦ ଭଗତ ଓ ପଞ୍ଚାନନ ଗନ୍ତାୟତ ଏବଂ ୨୦୨୧ରେ ଚେସ୍‌ ଗ୍ରାଣ୍ଡ ମାଷ୍ଟର ସ୍ୱୟମ୍ସ ମିଶ୍ର ଓ ଦୌଡ଼କୁଦ ପ୍ରଶିକ୍ଷକ ଅରୁଣ ଦାସଙ୍କୁ ପ୍ରଦାନ କରାଯାଇଥିଲା ଓସ୍‍ଜା ବାର୍ଷିକ ସମ୍ମାନ।

ସମ୍ବନ୍ଧିତ ଖବର