କେନ୍ଦ୍ରୀୟ ଚୁକ୍ତିରୁ ଛାଡ଼ ପାଇବେ ବୋଲ୍‌ଟ

ଅକ୍‌ଲାଣ୍ଡ: ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ୍‌ ବୋଲ୍‌ଟ ଜାତୀୟ କେନ୍ଦ୍ରୀୟ ଚୁକ୍ତିରୁ ଛାଡ଼ ପାଇବେ। ବୋଲ୍‌ଟଙ୍କ ଅନୁରୋଧକ୍ରମେ ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ରାଜି ହୋଇଯାଇଛି। ନିଜ ପରିବାର ସହ ଅଧିକରୁ ଅଧିକ ସମୟ ବିତାଇବା ଏବଂ ସାରା ବିଶ୍ବରେ ଚାଲିଥିବା ବିଭିନ୍ନ ଘରୋଇ ଲିଗ୍‌ରେ ଉପଲବ୍‌ଧ ହେବା ନେଇ ବୋଲ୍‌ଟ ନ୍ୟୁଜିଲାଣ୍ଡ କେନ୍ଦ୍ରୀୟ ଚୁକ୍ତିରୁ ଅପସରି ଯିବା ପାଇଁ ବୋର୍ଡକୁ ଅନୁରୋଧ କରିଥିଲେ। ବହୁ ବିଚାରବିମର୍ଶ ପରେ ବୋର୍ଡ ତାଙ୍କୁ ବାଦ୍‌ ଦେବା ପାଇଁ ରାଜି ହୋଇଛି। ଫଳରେ ନ୍ୟୁଜିଲାଣ୍ଡ ପକ୍ଷରୁ ବୋଲ୍‌ଟଙ୍କ ଆନ୍ତର୍ଜାତିକ କ୍ୟାରିୟରର ଅନ୍ତ ଘଟିବାର ଆଶଙ୍କା ଦେଖାଦେଇଛି। ସେ କେବେ ଜାତୀୟ ଦଳକୁ ଫେରିବେ କିମ୍ବା ଉପଲବ୍‌ଧ ହେବେ ସେ ନେଇ କୌଣସି ଆଭାସ ଦେଇନାହାନ୍ତି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ହ୍ବାଇଟ୍‌ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ୨୦୧୧ରେ ଟେଷ୍ଟ ପଦାର୍ପଣ କରିଥିବା ବୋଲ୍‌ଟ ଏବେ ବି ସବୁ ଫର୍ମାଟ୍‌ରେ ଅନ୍ୟତମ ଶ୍ରେଷ୍ଠ ବୋଲର ବିବେଚିତ ହେଉଛନ୍ତି। ତାଙ୍କ ସଫଳତା ପାଇଁ ଆମେ ଗର୍ବିତ ବୋଲି ନ୍ୟୁଜିଲାଣ୍ଡ ବୋର୍ଡ କହିଛି। ବୋଲ୍‌ଟ ନିଜ ୧୨ ବର୍ଷର ଆନ୍ତର୍ଜାତିକ କ୍ୟାରିୟର ମଧ୍ୟରେ ନ୍ୟୁଜିଲାଣ୍ଡ ପାଇଁ ୭୮ ଟେଷ୍ଟ୍‌, ୯୩ ଦିନିକିଆ ଏବଂ ୪୪ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

ସମ୍ବନ୍ଧିତ ଖବର