ଲାଞ୍ଚ ନେଇ ବନ୍ଧାହେଲେ ରାଜସ୍ବ ନିରୀକ୍ଷକ

ନିରାକାରପୁର : ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରାଜସ୍ବ ବିଭାଗର ଜଣେ ଆର୍‌ଆଇ(ରାଜସ୍ବ ନିରୀକ୍ଷକ)। ଏକ ଦଲିଲରୁ ପଟା କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ଅଚ୍ୟୁତପୁର ପଞ୍ଚାୟତର ଆର୍‌ଆଇ ଗୌରାଙ୍ଗ ଶବରଙ୍କୁ ଗିରଫ କରାଯାଇଛି।

ସୂଚନାନୁଯାୟୀ, ଛଣଗିରି ପଞ୍ଚାୟତ ଦେଉଳି ଗ୍ରାମର ଦୀପକ କୁମାର ପ୍ରଧାନ ଦଲିଲରୁ ପଟା କରିବା ପାଇଁ ରାଜସ୍ବ ନିରୀକ୍ଷକଙ୍କୁ ଆବେଦନ କରିଥିଲେ। ଆର୍‌ଆଇ ତାଙ୍କୁ ୮ହଜାର ଟଙ୍କା ନଦେଲେ ପଟା ହୋଇପାରିବ ନାହିଁ ବୋଲି କହିଥିଲେ। ଫଳରେ ଦୀପକ ଭୁବନେଶ୍ବର ଭିଜିଲାନ୍ସ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଆଜି ଦୀପକ ଆର୍‌ଆଇଙ୍କୁ ୮ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା। ଭୁବନେଶ୍ବର ଭିଜିଲାନ୍ସ ଡିଏସ୍‌ପି ଶ୍ରୀକାନ୍ତ ବେହେରା, ଇନ୍ସପେକ୍ଟର ସରିତା ତ୍ରିପାଠୀଙ୍କ ସମେତ ଏକ ୧୨ ଜଣିଆ ଟିମ୍‌ ଏହି ଚଢ଼ଉରେ ସାମିଲ ଥିଲେ। ଅନୁରୂପଭାବେ ଗିରଫ ଆର୍‌ଆଇଙ୍କ ବାଣପୁରସ୍ଥିତ ବାସଭବନରେ ମଧ୍ୟ ଚଢ଼ଉ କରାଯାଇଛି। ଖବର ଲେଖାହେଲା ବେଳକୁ ଚଢ଼ଉର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର