ମୁଷ୍ଟିଯୋଦ୍ଧା ସ୍ମାରକଙ୍କ ସଂଘର୍ଷ

ଭୁବନେଶ୍ବର: ସର୍ବାଧିକ ପୁରସ୍କାର ରାଶି ବିଶିଷ୍ଟ ଖେଳ ମଧ୍ୟରୁ ମୁଷ୍ଟିଯୁଦ୍ଧ ବା ବକ୍ସିଂ ଅନ୍ୟତମ। ସମଗ୍ର ବିଶ୍ବରେ ଏହାର କୋଟି କୋଟି ପ୍ରଶଂସକ ଅଛନ୍ତି। ମାଇକ୍ ଟାଇସନ ହୁଅନ୍ତୁ କିମ୍ବା ଫ୍ଲଏଡ୍ ମେ’ୱେଦର ଅଥବା ଇଭାଣ୍ଡର ହୋଲିଫିଲ୍ଡ, ଏ ସମସ୍ତ କିମ୍ବଦନ୍ତି ମୁଷ୍ଟିଯୋଦ୍ଧାଙ୍କର ଢେର ପ୍ରଶଂସକ ଭାରତରେ ବି ଅଛନ୍ତି। ଭାରତୀୟ ମୁଷ୍ଟିଯୁଦ୍ଧ ଦୁନିଆର ମଉଡ଼ମଣୀ ତଥା ଅଲିମ୍ପିଆନ୍ ବିଜେନ୍ଦର ସିଂହଙ୍କର ମଧ୍ୟ ଢେର ଲୋକପ୍ରିୟତା ରହିଛି। ପେସାଦାର ଦୁନିଆରେ ପାଦ ରଖିବା ପରେ ବିଜେନ୍ଦର ଅପରାଜେୟ ରହି ଦେଶ ତଥା ଜାତିର ନାଁ ରଖିଛନ୍ତି। ହେଲେ ଦୁର୍ଭାଗ୍ୟଜନକ ଭାବେ ଓଡ଼ିଶାରେ ମୁଷ୍ଟିଯୁଦ୍ଧ ଏକ ଆଗଧାଡ଼ିର ଖେଳ ଭାବେ ପରିଚିତ ହୁଏନି। ତଥାପି ଏହି ବିପଜ୍ଜନକ ତଥା ଶକ୍ତି ଓ ସାମର୍ଥ୍ୟଭରା ଖେଳକୁ ପେସା ଓ ନିଶା କରିବାକୁ ଅଣ୍ଟା ଭିଡିଛନ୍ତି ପୁରୀ ସହରର କୁମ୍ଭାରପଡ଼ା ବାସିନ୍ଦା ତଥା ଓଡ଼ିଶାର ଉଦୀୟମାନ ମୁଷ୍ଟିଯୋଦ୍ଧା ସ୍ମାରକ ରଞ୍ଜନ ସାହୁ। ସ୍ମାରକ ଏବେସୁଦ୍ଧା ଦୁଇଟି ଜାତୀୟ ପଦକ ଜିତିଛନ୍ତି। ଖେଲୋ ଇଣ୍ଡିଆ କ୍ରୀଡ଼ାରେ ପଦକ ଜିତିବାରେ ସେ ରାଜ୍ୟର ପ୍ରଥମ ମୁଷ୍ଟିଯୋଦ୍ଧା। ପୁରୀ ମୁଷ୍ଟିଯୁଦ୍ଧ ଏକାଡେମିରୁ ପ୍ରଶିକ୍ଷଣ ନେଇ ନିଜକୁ ଜଣେ ପ୍ରତିଭାବାନ ମୁଷ୍ଟିଯୋଦ୍ଧା ଭାବେ ଗଢ଼ି ପାରିଛନ୍ତି। ଉନ୍ନତ ପ୍ରଶିକ୍ଷଣ, ସୁବିଧା ସୁଯୋଗ ଓ ପ୍ରୋତ୍ସାହନ ପାଇଲେ ସେ ନିଶ୍ଚିତ ଭାବେ ବରିଷ୍ଠ ସ୍ତରରେ ମଧ୍ୟ ଓଡ଼ିଶା ପାଇଁ ପଦକ ଜିତି ପାରିବେ। କେବଳ ସ୍ମାରକ ନୁହନ୍ତି, ଓଡ଼ିଶାରେ ଏମିତି ସହସ୍ରାଧିକ ଖେଳାଳି ଅଛନ୍ତି, ଯେଉଁମାନେ ମୁଷ୍ଟିଯୁଦ୍ଧ ରିଙ୍ଗ୍‌ରେ କମାଲ କରିବାକୁ ସକ୍ଷମ। ହେଲେ ସରକାରୀ ଉଦାସୀନତା ସହ ରାଜ୍ୟରେ ଅନ୍ୟ ଖେଳ ଭଳି ମୁଷ୍ଟିଯୁଦ୍ଧର ପ୍ରଚାର ପ୍ରସାର କିମ୍ବା ପ୍ରୋତ୍ସାହନର ବ୍ୟବସ୍ଥା ନଥିବାରୁ ସେମାନେ ଅଧାରୁ ଖେଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ବିଡ଼ମ୍ବନାର ବିଷୟ ଯେ ଗତ ପାଞ୍ଚ ବର୍ଷ ହେବ ରାଜ୍ୟ କ୍ରୀଡ଼ା ଛାତ୍ରାବାସରୁ ମୁଷ୍ଟିଯୁଦ୍ଧ ଖେଳକୁ ବାଦ ଦିଆଯାଇ ସାରିଛି।

ସଂପ୍ରତି ଯୁକ୍ତ ୩ରେ ପଢ଼ୁଥିବା ସ୍ମାରକ ପିଲାଟି ବେଳୁ ମୁଷ୍ଟିଯୁଦ୍ଧ ପ୍ରତି ଆକର୍ଷିତ ହୋଇଥିଲେ। ପୁରୀର ଜାଗାଘର ମାହୋଲ ତଥା ପିତାଙ୍କ ପ୍ରେରଣା ପାଇଁ ସେ ମୁଷ୍ଟିଯୁଦ୍ଧରେ ପାଦ ଥାପିବାର ସାହସ କିଶୋରାବସ୍ଥାରେ କରିଥିଲେ। ୨୦୧୭ ମସିହାରେ ସେ ପ୍ରଥମ ଥର ପାଇଁ ଜାତୀୟ କନିଷ୍ଠ ମୁଷ୍ଟିଯୁଦ୍ଧରେ ଅଂଶଗ୍ରହଣ କରି କାଂସ୍ୟ ପଦକ ହାସଲ କରିଥିଲେ। ସେହିଭଳି ଗୁଆହାଟୀ ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଅଂଶଗ୍ରହଣ କରି ଆଉ ଏକ କାଂସ୍ୟ ପଦକ ଅମଳ କରିଥିଲେ। ୨୦୧୮ ଜାତୀୟ ଯୁବ ମୁଷ୍ଟିଯୁଦ୍ଧ ଓ ୨୦୧୯ ଜାତୀୟ ଯୁବ ମୁଷ୍ଟିଯୁଦ୍ଧରେ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଏଥରର ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିନିଧିତ୍ବ କରି ଦୁଇଟି ଲଢ଼େଇ ଜିତିଥିଲେ। ହେଲେ ହାତରେ ଆଘାତ ଲାଗିବାରୁ ତୃତୀୟ ଲଢ଼େଇରୁ ଓହରିବାକୁ ବାଧ୍ୟ ହୋଇଥିଲେ। ସଂପ୍ରତି କରୋନା ପାଇଁ ଲକଡାଉନ୍ ଚାଲିଥିବାରୁ ସ୍ମାରକ ନିଜ ଘରେ ଅଭ୍ୟାସ ଜାରି ରଖିଛନ୍ତି। ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ଦେବା ସହ ବିଭିନ୍ନ ଶାରୀରିକ ଅଭ୍ୟାସ କରୁଛନ୍ତି। କରୋନା କାଳରେ ସ୍ବାସ୍ଥ୍ୟବାନ ଓ ସୁରକ୍ଷିତ ରହିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେହିଭଳି ରାଜ୍ୟ ଛାତ୍ରାବାସରେ ପୁଣି ଥରେ ମୁଷ୍ଟିଯୁଦ୍ଧକୁ ସାମିଲ କରିବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ସ୍ମାରକଙ୍କ ପିତା ସୁଦର୍ଶନ ସାହୁ ପୁରୀ ମୁଷ୍ଟିଯୁଦ୍ଧ ଏକାଡେମିର ପ୍ରଶିକ୍ଷକ ଥିଲା ବେଳେ ମା’ ରଶ୍ମି ସାହୁ ଜଣେ ସ୍କୁଲ ଶିକ୍ଷୟତ୍ରୀ।

ସମ୍ବନ୍ଧିତ ଖବର