ବ୍ରାଭୋ ଆହତ; ଦୁଇ ସପ୍ତାହ ଖେଳିପାରିବେନି

ବ୍ରାଭୋଙ୍କୁ ବୋଲିଂ ନଦେବାର କାରଣ କହିଲେ ଧୋନି

ସାର୍‌ଜା: ଚଳିତ ଆଇପିଏଲ୍‌ରେ ଖରାପ ସମୟ ଦେଇ ଗତି କରୁଥିବା ମ‌ହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଦଳକୁ ପୁଣି ଏକ ଝଟ୍‌କା ଲାଗିଛି। ଏହାର ଡେଥ୍‌ ଓଭର ବୋଲିଂ ବିଶେଷଜ୍ଞ ଡ୍ବେନ୍‌ ବ୍ରାଭୋ ଆହତ ହୋଇଛନ୍ତି। ଏପରିକି ଦୁଇ ସପ୍ତାହ ପାଇଁ ଖେଳିନପାରନ୍ତି ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍‌ ଫ୍ଲେମିଂ କହିଛନ୍ତି। ତଥାପି ଆଗକୁ ତାଙ୍କ ଆହତର ପୁନଃଆକଳନ କରାଯିବ ବୋଲି ସିଏସ୍‌କେର ୫ ୱିକେଟ୍‌ ପରାଜୟ ପରେ କହିଛନ୍ତି ଫ୍ଲେମିଂ।

ଶନିବାର ଦିଲ୍ଲୀ କ୍ୟାପିଟାଲ୍‌ସ (ଡିସି) ବିପକ୍ଷ ମ୍ୟାଚ୍‌ ବେଳେ ଆହତ ହେବା ଏବଂ ଫାଇନାଲ୍‌ ଓଭର ବୋଲିଂ ନକରିବା ଯୋଗୁଁ ସିଏସ୍‌କେ ପରାଜୟ ବରଣ କରିଥିଲା। ଶେଷ ଓଭରରେ ବିଜୟ ପାଇଁ ୧୭ ରନ୍‌ ଦରକାର ହେଉଥିଲା ବେଳେ ବ୍ରାଭୋଙ୍କ ଅସମର୍ଥ ଯୋଗୁଁ ରବୀନ୍ଦ୍ର ଜାଦେଜା ବୋଲିଂ କରିଥିଲେ। ଆଉ ସେହି ଓଭରରେ ବାମହାତୀ ଅଲ୍‌ରାଉଣ୍ଡର ଅକ୍ଷର ପଟେଲ ହିଁ ଜାଦେଜାଙ୍କୁ ପ୍ରହାର କରି ଦିଲ୍ଲୀକୁ ବିଜୟ ଭେଟି ଦେଇଥିଲେ। ତେବେ ବ୍ରାଭୋଙ୍କ ଡାହାଣ ପଟ ମାଂସପେଶୀ ଟାଣି ଧରିଥିଲା। ଏହା ଏତେ ଗୁରୁତର ଥିଲା ଯେ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ଅନ୍ତିମ ଓଭର ବୋଲିଂ କରିପାରୁନଥିବାରୁ ସେ ମଧ୍ୟ ଖୁବ୍‌ ନିରାଶ ହୋଇପଡ଼ିଥିଲେ। ଫଳରେ ଦଳ ପାଇଁ ତାଙ୍କ ଚିନ୍ତା କେତେ ତାହା ଅନୁମେୟ ବୋଲି କହିଛନ୍ତି ଫ୍ଲେମିଂ। ବ୍ରାଭୋ ଆହତ ହୋଇ ପଡ଼ିଆ ଛାଡ଼ିବା ପରେ ସିଏସ୍‌କେ ବାମହାତୀ ସ୍ପିନର ଜାଦେଜାଙ୍କୁ ଅନ୍ତିମ ଓଭର ବୋଲିଂ ଦେଇଥିଲା। ଜାଦେଜାଙ୍କୁ ଶେଷ ଓଭର ବୋଲିଂ ଦେବାର କୌଣସି ଯୋଜନା ଆମର ନଥିଲା। ହେଲେ ଦୁର୍ଭାଗ୍ୟବଶତଃ ବ୍ରାଭୋଙ୍କ ଆହତ ପରେ ଦଳ ବାଧ୍ୟ ହୋଇ ଜାଦେଜାଙ୍କୁ ବୋଲିଂ ଦେଇଥିଲା। ତାଙ୍କ ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା।

କିନ୍ତୁ ଅକ୍ଷର ପଟେଲ ଅବିଶ୍ବସନୀୟ ସଟ୍ ଖେଳି ଆମ ହାତରୁ ବିଜୟ ଛଡ଼ାଇ ନେଇଥିଲେ ବୋଲି ଫ୍ଲେମିଂ କହିଛନ୍ତି। ଶିଖର ଧାୱନ୍‌ ଭଲ ଖେଳିଲେ। ହେଲେ ସେହି ଅଭିଜ୍ଞ ବାମହାତୀ ବ୍ୟାଟ୍‌ସମ୍ୟାନ୍‌ଙ୍କ କେତେକ କ୍ୟାଚ୍‌ ହାତଛଡ଼ା କରିବା ଆମକୁ ମୂଲ୍ୟ ଦେବାକୁ ପଡ଼ିଲା। ସେ ତାଙ୍କର ପ୍ରଥମ ଆଇପିଏଲ୍‌ ଶତକ ଜମାଇବା ସାଙ୍ଗକୁ ଦିଲ୍ଲୀକୁ ବିଜୟ ଦ୍ବାରରେ ପହଞ୍ଚାଇ ଦେଇଥିଲେ ବୋଲି ଫ୍ଲେମିଂ କହିଛନ୍ତି। ସେ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳିଥିଲେ। ଆବଶ୍ୟକ ରନ୍‌ ରେଟ୍‌କୁ ବଜାୟ ରଖୁଥିଲେ। ଯଦି ଆମେ ତାଙ୍କୁ ଆଉଟ୍‌ କରିଦେଇଥାଆନ୍ତୁ, ତାହାଲେ ମଧ୍ୟକ୍ରମ ଓ ନିମ୍ନକ୍ରମରେ ଚାପ ପ୍ରୟୋଗ କରିପାରିଥା’ନ୍ତୁ। ତିନି ଚାରିଟି କ୍ୟାଚ୍‌ ଛାଡ଼ିନଥିଲେ ମ୍ୟାଚ୍‌ ମଧ୍ୟ ଭିନ୍ନ ଫଳ ଦେଇଥା’ନ୍ତା ବୋଲି କହିଛନ୍ତି ଫ୍ଲେମିଂ। ଆମ ଦଳ (ସିଏସ୍‌କେ) ୫/୧୭୯ରେ ପହଞ୍ଚି ଭଲ କରିଥିଲା। ଶେଷ ଭାଗରେ ବଡ ସର୍ଟ ଖେଳିବାରୁ ସମ୍ଭବ ହୋଇଥିଲା। ଏହା ମଧ୍ୟ ମ୍ୟାଚ୍‌ ଜିତିବା ଭଳି ସ୍କୋର୍‌ ଥିଲା। ମାତ୍ର କ୍ୟାଚ୍‌ ହାତଛଡ଼ା କରିବା ଏବଂ ବ୍ରାଭୋ ଡେଥ୍‌ ବୋଲିଂ କରିନପାରିବା ଆମ ପରାଜୟର କାରଣ ଥିଲା ବୋଲି କହିଛନ୍ତି ଫ୍ଲେମିଂ। ଅଧିନାୟକ ଧୋନି ମଧ୍ୟ ପ୍ରଶିକ୍ଷକ ଫ୍ଲେମିଂଙ୍କ ସହ ଏକମତ ହୋଇଛନ୍ତି। ବ୍ରାଭୋ ଆହତ ଥିବାରୁ ତାଙ୍କ ସ୍ଥାନରେ ଜାଦେଜାଙ୍କୁ ବୋଲିଂ ଦେବାକୁ ବାଧ୍ୟ ହୋଇଥିଲି ବୋଲି ଧୋନି ମ୍ୟାଚ୍ ପରବର୍ତ୍ତୀ ସାକ୍ଷାତକାରରେ କହିଥିଲେ।

ସମ୍ବନ୍ଧିତ ଖବର