ଆଇପିଏଲ୍‌ରୁ ଅବସର ନେଲେ ବ୍ରାଭୋ: ସିଏସ୍‌କେ ବୋଲିଂ ପ୍ରଶିକ୍ଷକ ନିଯୁକ୍ତ

ଚେନ୍ନାଇ : ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଲ୍‌ରାଉଣ୍ଡର ‌ଡ୍ବେନ୍‌ ବ୍ରାଭୋ ଶୁକ୍ରବାର ଆଇପିଏଲ୍‌ରୁ ଅବସର ଘୋଷଣା କରିଛନ୍ତି। ଅବସର ପରେ ପରେ ଏହି କିଂବଦନ୍ତି ୱେଷ୍ଟ୍ଇଣ୍ଡିଜ୍‌ ଅଲ୍‌ରାଉଣ୍ଡରଙ୍କୁ ସିଏସ୍‌କେ ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଦଳର ବୋଲିଂ ପ୍ରଶିକ୍ଷକ ଲକ୍ଷ୍ମୀପତି ବାଲାଜୀ ବ୍ୟକ୍ତିଗତ କାରଣ ପାଇଁ ଗୋଟିଏ ବର୍ଷ ଦଳଠୁ ଦୂରେଇ ରହିବାରୁ ୨୦୨୩ ସଂସ୍କରଣ ପୂର୍ବରୁ ତାଙ୍କ ସ୍ଥାନରେ ସିଏସ୍‌କେ ବ୍ରାଭୋଙ୍କୁ ଏହି ନିଯୁକ୍ତି ଦେଇଛି। ୨୦୦୮ରୁ ଆଇପିଏଲ୍‌ ଖେଳି ଆସୁଥିବା ବ୍ରାଭୋ ଏହି ଧନି କ୍ରିକେଟ୍‌ ଲିଗ୍‌ର ସର୍ବାଧିକ ୱିକେଟ୍‌ ହାସଲକାରୀ। ସେ ୧୬୧ ମ୍ୟାଚ୍‌ ଖେଳି ୧୮୩ ୱିକେଟ୍‌ ନେଇଛନ୍ତି।

ଏହି ଅଲ୍‌ରାଉଣ୍ଡର ମଧ୍ୟ ୧୩୦ ଷ୍ଟ୍ରାଇକ୍‌ରେଟ୍‌ରେ ୧୫୬୦ ରନ୍‌ କରିବା ସହ ‌ସିଏସ୍‌କେର ଅନେକ ବିଜୟରେ ନିଜର ଅବଦାନ ରଖିଥିଲେ। ସେ ଦୁଇ ଥର ପର୍ପଲ କ୍ୟାପ୍‌ (୨୦୧୩, ୨୦୧୫) ପାଇଥିଲେ। ୨୦୧୧ରୁ ସେ ସିଏସ୍‌କେ ପକ୍ଷରୁ ଖେଳି ଆସୁଥିଲେ। ସେ ଏହି ଦଳ ସହ ୨୦୧୧, ୨୦୧୮, ୨୦୨୧ ଆଇପିଏଲ୍‌ ଏବଂ ୨୦୧୪ ଚାମ୍ପିଅନ୍‌ ଲିଗ୍‌ ବିଜେତା ଟ୍ରଫି ଧରିବାର ଗୌରବ ପାଇଛନ୍ତି।

ସିଏସ୍‌କେ ପାଇ ସେ ୧୪୪ ମ୍ୟାଚ୍‌ ଖେଳି ୧୬୮ ୱିକେଟ୍‌ ଓ ୧୫୫୬ ରନ୍‌ କରିଛନ୍ତି। ‘‘ମୋର ଖେଳ ଜୀବନ ଶେ‌ଷ ହୋଇଛି। ଏବେ ମୁଁ ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଏବେ ବୋଲରଙ୍କ ପ୍ରଶିକ୍ଷକ ହେବି। ମୁଁ ଖେଳିଲା ବେଳେ ବୋଲରଙ୍କ ସହ କାମ କରିଛି ଏବଂ ବ୍ୟାଟର୍‌ଙ୍କୁ କିପରି ଅସୁବିଧାରେ ପକାଇ ପାରିବୁ ତାହା ନେଇ ଯୋଜନା କରିଛି। ତେଣୁ ଭାବୁନି ଏହି କାମ ‌କଷ୍ଟକର ହେବ। ‌ଏବେ କେବଳ ମୁଁ ପଡ଼ିଆ‌ର ଆଉ ମିଡ୍‌ ଅନ୍‌ କି ମିଡ୍‌ ଅଫ୍‌ରେ ଠିଆ ହେବାର ଦେଖାଯିବନି। କିନ୍ତୁ ଖେଳ ସହ ରହିବି। ଭାବିପାରୁନି ଆଇପିଏଲ୍‌ ଇତିହାସରେ ମୁଁ ସର୍ବାଧିକ ୱିକେଟ୍‌ ହାସଲକାରୀ। କିନ୍ତୁ ଆଇପିଏଲ୍‌ ଇତିହାସରେ ସ୍ଥାନ ପାଇଥିବାରୁ ବହୁତ ଖୁସି’’ ବୋଲି ଅବସର ପରେ ବ୍ରାଭୋ କହିଛନ୍ତି।

ସମ୍ବନ୍ଧିତ ଖବର