ନାନଜିଙ୍ଗ୍ (ଚୀନ୍) : ବିଶ୍ୱ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରୁ ଭାରତୀୟ ଖେଲାଳି ସାଇନା ନେହ୍ଵାଲ୍, ଏଚ୍ ଏସ୍ ପ୍ରଣୀତଙ୍କ ସମେତ ଅଶ୍ୱିନୀ ପୋନ୍ନାପ୍ପା ଓ ସାତ୍ୱିକ ସାଇରାଜ ରେଡ୍ଡୀ ବିଦାୟ ନେଇଛନ୍ତି। ଲଗାତାର ୮ ଥର ଏହି ପ୍ରତିଯୋଗିତାର କ୍ୱାର୍ଟର୍ ଫାଇନାଲ୍ ପହଞ୍ଚି କିର୍ତିମାନ ରଚିଥିବା ସାଇନା ଶୁକ୍ରବାର କ୍ୱାର୍ଟର୍ ଫାଇନାଲ୍ରେ ୬-୨୧, ୧୧-୨୧ରେ ଅଲିମ୍ପିକ୍ ବିଜୟିନୀ ସ୍ପେନ୍ ଲଳନା କାରୋଲିନ୍ ମାରିନ୍ଙ୍କଠୁ ଏବଂ ପୁରୁଷ ଏକକରେ ପ୍ରଣୀତ ୧୨-୨୧, ୧୨-୨୧ରେ ଷଷ୍ଠ ମାନ୍ୟତା ଜାପାନ୍ର କେଣ୍ଟୋ ମୋମୋତାଙ୍କଠୁ ପରାସ୍ତ ହୋଇଥିଲେ। ମିଶ୍ରିତ ଯୁଗଳରେ ଅଶ୍ୱିନୀ-ସାତ୍ୱିକ ଯୋଡ଼ି ୧୭-୨୧, ୧୦-୨୧ରେ ଶୀର୍ଷ ମାନ୍ୟତା ଚୀନ୍ର ଝେଙ୍ଗ୍ ସିଓ୍ଵି-ହୁଆଙ୍ଗ୍ ୟାକ୍ୱିଙ୍ଗ୍ଙ୍କଠୁ ହାରି ଯାଇଥିଲେ। ମହିଳା ଏକକରେ ଅଲିମ୍ପିକ୍୍ ରୌପ୍ୟ ବିଜେୟିନୀ ପିଭି ସିନ୍ଧୁ ଏକ ମାତ୍ର ଭାରତୀୟ ଭାବେ କ୍ୱାର୍ଟର୍ ଫାଇନାଲ୍ ବାଧା ଅତିକ୍ରମ କରିଛନ୍ତି। ତୃତୀୟ ମାନ୍ୟତା ସିନ୍ଧୁ ୨୧-୧୭, ୨୧-୧୯ରେ ଅଷ୍ଟମ ମାନ୍ୟତା ଜାପାନ୍ର ନୋଜୋମି ଓକହୁରାଙ୍କୁ ହରାଇଥଲେ। ସେ ସେମିଫାଇନାଲ୍ରେ ଦ୍ୱିତୀୟ ମାନ୍ୟତା ଜାପାନ୍ର ଆକାନେ ଆମାଗୁଚିଙ୍କୁ ଭେଟିବେ।