କୋଭିଡ୍-୧୯ ପରର ଉତ୍ସବ ପାଳନ, ଝଲକ ଦେଖାଇଲେ ଆଣ୍ଡରସନ୍

ଲଣ୍ଡନ: ହାଇ ଫାଇଭ୍ ନାହିଁ କି କୋଳାକୋଳି ନାହିଁ। ମଥାକୁ ମଥା ଘଷିବାର ତ’ ପ୍ରଶ୍ନ ଉଠୁନି। କେବଳ କହୁଣୀକୁ କହୁଣୀ ଲଗାଇ ଏବଂ ମୁହଁରେ ହସ ଫୁଟାଇ ଉତ୍ସବ ପାଳନ। କୋଭିଡ୍-୧୦ ପରେ କ୍ରିକେଟ୍ ପଡ଼ିଆରେ ୱିକେଟ୍ ଉତ୍ସବ ପାଳନ ଠିକ୍ ଏଭଳି ହେବ। ଯାହାର ଝଲକ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ ଦେଇଛନ୍ତି। ଏକ ଅଭ୍ୟାସ ମ୍ୟାଚ୍ ବେଳେ ଆଣ୍ଡରସନ୍ ସାଥୀ ଖେଳାଳିଙ୍କ ସହ ଏଭଳି ଉତ୍ସବ ପାଳନ କରୁଛନ୍ତି। ଇସିବି (ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ) ନିଜ ଟ୍ବିଟର ପୃଷ୍ଠାରେ ଏହାର ଏକ ଭିଡିଓ ମଧ୍ୟ ପ୍ରକାଶ କରିଛି। ଏଥିରେ ଆଣ୍ଡରସନ୍ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍ ଜୋ ଡେନଲିଙ୍କୁ ଆଉଟ୍ କରିବା ପରେ ସାଥୀ ଖେଳାଳିଙ୍କ କହୁଣୀକୁ କହୁଣୀ ଲଗାଇ ଉତ୍ସବ ପାଳନ କରୁଛନ୍ତି। ୱିକେଟ୍ ରକ୍ଷକ ବେନ୍ ଫୋକ୍ସ ଅଭ୍ୟାସ ଗତ ଭାବେ ହାତ ଉଠାଇ ହାଇ ଫାଇଭ୍ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଆଣ୍ଡରସନ୍ କହୁଣୀ ଲଗାଇ ନିଜ ଖୁସିକୁ ଜାହିର କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଅନ୍ୟ ଏକ ଫଟୋରେ ଆଣ୍ଡରସନ୍ ମ୍ୟାଚ୍ ବେଳେ ବହୁବାର ହାତରେ ସାନିଟାଇଜର ଲଗାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ୍ ୮ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ସାଉଥମ୍ପଟନରେ ଇଂଲଣ୍ଡ ଏବଂ ମା‌ଞ୍ଚେଷ୍ଟରରେ ୱେଷ୍ଟଇଣ୍ଡିଜ୍ ଅଭ୍ୟାସ କରୁଛି। ଏଥିରେ ଉଭୟ ଦଳ ନିଜ ନିଜ ଖେଳାଳିଙ୍କୁ ଦୁଇଟି ଦଳରେ ବିଭକ୍ତ କରି ଅଭ୍ୟାସ ଚଳାଇଛନ୍ତି।

ସମ୍ବନ୍ଧିତ ଖବର