ଚଣ୍ଡିଗଡ଼କୁ ୫୯-୦ରେ ପରାସ୍ତ କଲା କିସ୍‌

ସର୍ବଭାରତୀୟ କନିଷ୍ଠ ରଗ୍‌ବି ଆରମ୍ଭ

ବାରିପଦା: ବର୍ଷା ସତ୍ତ୍ୱେ ଆଜି ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ବାରିପଦା ଲ’ କଲେଜ ପଡ଼ିଆରେ ସର୍ବଭାରତୀୟ ୧୯ ବର୍ଷରୁ କମ୍‌ ରଗ୍‌ବି ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ପ୍ରଥମ ଦିନ ଓଡ଼ିଶା ଖେଳାଳିଙ୍କୁ ମିଶ୍ର ଫଳ ମିଳିଛି। ମହିଳା ବର୍ଗରେ କିସ୍‌ ଏକତରଫା ଭାବେ ଚଣ୍ଡିଗଡ଼କୁ ୫୯-୦ରେ ପରାସ୍ତ କରି ରଗ୍‌ବି ଖେଳରେ ନିଜର ଦବ୍‌ଦବା ବଜାୟ ରଖିଛି। ସେହିପରି ପୁରୁଷ ବର୍ଗରେ ମୟୂରଭଞ୍ଜ ରାଜସ୍ଥାନକୁ ୩୬-୦ରେ ପରାସ୍ତ କରି ଆୟୋଜକ ଜିଲ୍ଲା ଭାବେ ଗୌରବ ରଖିଛି। କିନ୍ତୁ ଭୁବନେଶ୍ୱର ପୁରୁଷ ଦଳ କେରଳଠାରୁ ୧୯-୧୨ରେ ହାରିଯାଇଛି। ସେହିପରି ମହିଳା ବର୍ଗରେ ହରିୟାଣା ଓ୍ଵାରିଅର୍‌ସ ଭୁବନେଶ୍ୱର ଆର୍‌ଏଫସିକୁ ୫-୦ରେ ଓ ବିହାର-ମୟୂରଭଞ୍ଜକୁ ଏକତରଫା ଭାବେ ୧୫-୦ରେ ପରାସ୍ତ କରିଛି। ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ପୁରୁଷ ବର୍ଗରେ ଚଣ୍ଡିଗଡ଼ ଓ୍ଵାରିଅର୍‌ସ ବିହାରକୁ ୧୦-୫, ଦିଲ୍ଲୀ ରିବେଲ୍‌ସ ଝାଡ଼ଖଣ୍ଡକୁ ୧୦-୦, ଜଙ୍ଗଲ କ୍ରୋଜ୍‌ ଛତିଶଗଡ଼କୁ ୩୧-୦, ହରିୟାଣା ବୁଲ୍‌ସ ପଞ୍ଜାବକୁ ୧୦-୦, ଦିଲ୍ଲୀ ହରିକେନ୍‌ସ ତେଲେଙ୍ଗାନାକୁ ୩୪-୦, ଏସ୍‌ ଫାଉଣ୍ଡେସନ୍‌ ହରିୟାଣା ଓ୍ଵାରିଅର୍‌ସକୁ ୧୯-୦ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ମହିଳା ବର୍ଗରେ ଦିଲ୍ଲୀ ହରିକେନ୍‌ସ ରାଜସ୍ଥାନକୁ ୨୫-୦ରେ ପରାସ୍ତ କରିଛି।

ଆଗ ଧାଡ଼ିରେ ସ୍ଥାନ ପାଇଲେନି ପ୍ରବୋଧ
ଆଜିର ଉଦ୍‌ଘାଟନୀ ସମାରୋହରେ ପୂର୍ବତନ ଜାତୀୟ ହକି ଅଧିନାୟକ ତଥା ରାଜ୍ୟର ଗର୍ବ ଗୌରବ ପ୍ରବୋଧ ତିର୍କିଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ଆଗ ଧାଡ଼ିରେ ତାଙ୍କୁ ବସିବାର ସୁଯୋଗ ମିଳିନଥିଲା। ସମସ୍ତ ଅତିଥିଙ୍କୁ କହିବାର ସୁଯୋଗ ମିଳିଥିଲେ ମଧ୍ୟ ପ୍ରବୋଧଙ୍କୁ କହିବା ପାଇଁ ସୁଯୋଗ ନଦେବା ବିଭିନ୍ନ ରାଜ୍ୟରୁ ଆସିଥିବା ଖେଳାଳିଙ୍କୁ ମଧ୍ୟ ବିସ୍ମିତ କରିଥିଲା। ଜଣେ ପୂର୍ବତନ ଜାତୀୟ ଅଧିନାୟକଙ୍କୁ ମଞ୍ଚରେ ପଛ ଧାଡ଼ିରେ ବସାଇବା ଓ କହିବାକୁ ସୁଯୋଗ ନଦେବାକୁ ନାପସନ୍ଦ କରିଛନ୍ତି କ୍ରୀଡ଼ାପ୍ରେମୀ।

ସମ୍ବନ୍ଧିତ ଖବର