ଛେତ୍ରୀଙ୍କ ହ୍ୟାଟ୍ରିକ୍‌:ଫାଇନାଲ୍‌ରେ ବେଙ୍ଗାଲୁରୁ

ବେଙ୍ଗାଲୁରୁ: ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିିକ୍‌ରେ ବେଙ୍ଗାଲୁରୁ ଏଫ୍‌ସି ନିଜ ପଦାର୍ପଣ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର ପ୍ରଥମ ସେମିଫାଇନାଲ୍‌ର ଦ୍ୱିତୀୟ ଚରଣ ମ୍ୟାଚ୍‌ରେ ବେଙ୍ଗାଲୁରୁ ୩-୧ ଗୋଲ୍‌ରେ ପୁନେ ସିଟିକୁ ପରାସ୍ତ କରିଛି। ପୂର୍ବରୁ ପୁନେରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚ୍‌ ଗୋଲ୍‌ଶୂନ୍ୟ ଭାବେ ଅମୀମାଂସିତ ରହିଥିଲା। ଫଳରେ ଦୁଇଥାକିଆ ସେମିଫାଇନାଲ୍‌ରେ ବେଙ୍ଗାଲୁରୁ ଗୋଟିଏ ବିଜୟ ସହ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ରବିବାର ସ୍ଥାନୀୟ ଶ୍ରୀକାନ୍ତୀରଭା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ୧୫ ମିନିଟ୍‌ରେ ଛେତ୍ରୀ ଗୋଲ୍‌ ଦେଇ ପ୍ରଥମାର୍ଧାରେ ବେଙ୍ଗାଲୁରୁକୁ ଅଗ୍ରଣୀ କରିଥିଲେ। ସେହିଭଳି ଦ୍ୱିତୀୟାର୍ଧରେ ଛେତ୍ରୀ ୬୫ ମିନିଟ୍‌ରେ ଏକ ପେନାଲ୍‌ଟିକୁ ଗୋଲ୍‌ରେ ପରିଣତ କରି ୨-୦ରେ ଆଗୁଆ କରିଥିଲେ। ତେବେ ୮୨ ମିନିଟ୍‌ରେ ପୁନେର ଜୋନାତନ ଲୁକା ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। କିନ୍ତୁ ୮୯ ମିନିଟ୍‌ରେ ଛେତ୍ରୀ ଆଉ ଏକ ଗୋଲ୍‌ ଦେଇ ହ୍ୟାଟ୍ରିକ୍‌ କରିବା ସହ ଦଳକୁ ଫାଇନାଲ୍‌ରେ ପହଞ୍ଚାଇ ଦେଇଥିଲେ।

ସମ୍ବନ୍ଧିତ ଖବର