ଚିଟ୍ଟାଗଙ୍ଗ ଟେଷ୍ଟ: ଶ୍ରୀଲଙ୍କା ପାଇଁ ସୁଯୋଗ

ସିଡ୍‌ନି: ଏଠାରେ ଚାଲିଥିବା ବାଂଲାଦେଶ ଓ ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ପ୍ରଥମ ତିନିଦିନ ବ୍ୟାଟ୍‌ସମ୍ୟାନ୍‌ଙ୍କ କବଳରେ ରହିଥିଲା ବେଳେ ଚତୁର୍ଥ ଦିବସରେ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଲା। ପ୍ରଥମ ତିନିଦିନ ମଧ୍ୟରେ ଉଭୟ ଦଳ ନିଜ ନିଜ ପ୍ରଥମ ପାଳିରେ ବଡ଼ ସ୍କୋର୍‌ କରିଥିଲା ବେଳେ ମ୍ୟାଚ୍‌ ଅମୀମାଂସିତ ମୁହାଁ ହୋଇଥିଲା। ହେଲେ ଶନିବାର ଚତୁର୍ଥ ଦିବସରେ ୧୦ ଓ୍ଵିକେଟ୍‌ ପତନ ମ୍ୟାଚ୍‌କୁ ମୀମାଂସା ଆଡ଼କୁ ଟାଣିନେଇଛି। ଏପରିକି ଶ୍ରୀଲଙ୍କା ପାଇଁ ବିଜୟ ସୁଯୋଗ ଆଣିଦେଇଛି। ବାଂଲାଦେଶ ପ୍ରଥମ ପାଳିରେ ୫୧୩ ରନ୍‌ କରିବା ପରେ ଶ୍ରୀଲଙ୍କା କୁଶାଲ ମେଣ୍ଡିସ୍‌ଙ୍କ ୧୯୬, ଧନଞ୍ଜୟ ଡି ସିଲ୍‌ଭାଙ୍କ ୧୭୩ ପରେ ରୋସେନ୍‌ ସିଲ୍‌ଭାଙ୍କ ୧୦୯, ଅଧିନାୟକ ଦୀନେଶ ଚାନ୍ଦିମଲ୍‌ଙ୍କ ୮୭, ଓ୍ଵିକେଟ୍‌ ରକ୍ଷକ ନିରୋସାନ୍‌ ଡିକ୍‌େଓ୍ଵଲାଙ୍କ ୬୨ ରନ୍‌ ବଳରେ ୭୧୩/୯ରେ ପାଳି ଘୋଷଣା କରିଦେଇଛି। ତାଇଜୁଲ୍‌ ଇସ୍‌ଲାମ ୪ ଓ ମେହେଦି ହାସନ୍‌ ମିରାଜ୍‌ ୩ ଓ୍ଵିକେଟ୍‌ ଦଖଲ କରିବା ସତ୍ତ୍ୱେ ଶ୍ରୀଲଙ୍କା ୨୦୦ ରନ୍‌ର ଅଗ୍ରଣୀ ପରେ ପାଳି ଘୋଷଣା କରିଦେଇଥିଲା। ଜବାବରେ ବାଂଲାଦେଶ ଚତୁର୍ଥ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତମିମି ଇକ୍‌ବାଲ୍‌ (୪୧), ଇମ୍ରୁଲ କେୟସ୍‌ (୧୯) ଓ ମୁସ୍‌ଫିକର ରହିମ୍‌ (୨)ଙ୍କ ଓ୍ଵିକେଟ୍‌ ହରାଇ ବାଂଲାଦେଶ ୮୧ ରନ୍‌ କରିଛି। ମୋମିନୁଲ୍‌ ହକ୍‌ ୧୮ ରନ୍‌ରେ ଅପରାଜିତ ରହିଛନ୍ତି। ରଙ୍ଗନା ହେରାଥ୍‌, ଦିଲ୍‌ରୁଓ୍ଵାନ୍‌ ପେରେରା ଓ ଲକ୍ଷ୍ମଣ ସନ୍ଦକନ୍‌ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି। ରବିବାର ପଞ୍ଚମ ତଥା ଶେଷ ଦିନ ବିଜୟ ପାଇଁ ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍‌ ଦରକାର ଥିଲା ବେଳେ ମ୍ୟାଚ୍‌ ବଞ୍ଚାଇବା ପାଇଁ ବାଂଲାଦେଶକୁ ଦିନ ତମାମ ଖେଳିବାକୁ ପଡ଼ିବ।

ସମ୍ବନ୍ଧିତ ଖବର