ଚିତ୍ରକୋଣ୍ଡାର ଚର୍ଚିତ ଭକ୍ତ, ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣରେ ସ୍ବର୍ଣ୍ଣ

ଭୁବନେଶ୍ବର(ଦେବାଶିଷ ସୁନ୍ଦରାୟ): ଦିନଥିଲା ଚିତ୍ରକୋଣ୍ଡୋ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ଥିଲା। ଗମନା ଗମନ ଏବଂ ଯୋଗାଯୋଗର ଅଭାବ ପାଇଁ ବାହାର ଦୁନିଆଠାରୁ ଅଲଗା ହୋଇ ରହୁଥିଲା। ମାତ୍ର କିଛି ବର୍ଷ ତଳେ ହିଁ ମାଓ ପ୍ରବଣ ଅଞ୍ଚଳ ଭାବେ ଦେଶ ବିଦେଶରେ ବଦନାମ ହେଉଥିଲା ଚିତ୍ରକୋଣ୍ଡା। ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁର ଉଦଘାଟନ ପରେ ଏଠାକାର ଜୀବନ ଶୈଳୀ ଆପାତତଃ ବଦଳିଛି। ବିକାଶ ଚିତ୍ରକୋଣ୍ଡାର ଦ୍ବାରରେ ପହଞ୍ଚିଛି। ସେଥିପାଇଁ ଏହା ଏବେ ସ୍ବାଭିମାନ ଅଞ୍ଚଳ ଭବେ ପରିଚିତ ହେଲାଣି। ପାହାଡ଼ ପର୍ବତଘେରା ଓ ଅନୁନ୍ନତ ମାଲକାନଗିରି ଜିଲ୍ଲାର ସେହି ଚିତ୍ରକୋଣ୍ଡା ଏବେ ୧୬ ବର୍ଷୀୟ ଭାରୋତ୍ତୋଳକ ଭକ୍ତରାମ ଦେଷ୍ଟିଙ୍କ ପାଇଁ ଚର୍ଚାକୁ ଆସିଛି। ଭାରତୀୟ କନିଷ୍ଠ ଭାରୋ‌ତ୍ତୋଳନ ଦଳରେ ସ୍ଥାନ ପାଇ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭକ୍ତରାମ। ସେଥିପାଇଁ ଚିତ୍ରକୋଣ୍ଡା ସହ ସମଗ୍ର ମାଲକାନଗିରି ନୂଆ ପରିଚୟ ପାଇଛି। କ୍ରୀଡ଼ା ମାଧ୍ୟମରେ ଚିତ୍ରକୋଣ୍ଡା ପ୍ରତି ଥିବା ପୁରୁଣା‌ ଭାବନା ବଦଳାଇବାରେ ଭକ୍ତରାମ କିଛିଟା ସଫଳ ହୋଇଛନ୍ତି। ଭାରୋତ୍ତୋଳନ ଭକ୍ତିରେ ସମସ୍ତଙ୍କ ମନ ବି ଜିତୁଛନ୍ତି। ଅଷ୍ଟ୍ରେଲିଆର ସାମୋଆ ଦେଶର ରାଜଧାନୀ ଅପିଆଠାରେ ଚଳିତ ମାସ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିଅନସିପ‌ର ୧୭ ବର୍ଷରୁ କମ୍ ଭାରତୀୟ ଦଳରେ ସ୍ଥାନ ପାଇ ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣରେ ହିଁ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି ସେ। ଏହି ପ୍ରତିଯୋଗିତାରେ ସୁନା ଜିତିବେ ବୋଲି ଭକ୍ତରାମ ଏବଂ ତାଙ୍କ ପ୍ରଶିକ୍ଷିକା ସୀତା ଜେନା ଆଶାବାଦୀ ଥିଲେ। ଯାହାକୁ ଭକ୍ତରାମ ଅତି ସହଜରେ ପୂରଣ କରିଥିଲେ।

ଅଭାବୀ ଶୈଶବ
ଗରିବ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିବା ଭକ୍ତରାମ ବିନା ବିଜୁଳି ଆଲୁଅ ଏବଂ ବିଜ୍ଞାନ ସମ୍ମତ ପ୍ରଶିକ୍ଷଣର ଅଭାବ ସତ୍ତ୍ବେ ଓଡ଼ିଶା ସରକାରଙ୍କ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ଚୟନକର୍ତାଙ୍କୁ ପ୍ରଭାବିତ କରିଥିଲେ। ଫଳରେ ୨୦୧୩ ଡିସେମ୍ବରରେ ବ୍ରହ୍ମପୁରରେ ଥିବା ଭାରୋତ୍ତୋଳନ ଛାତ୍ରାବାସ‌ର ଅନ୍ତେବାସୀ ଭାବେ ଯୋଗ ଦେଇଥିଲେ। ପ୍ରଥମ ବର୍ଷ ସଚିନ୍ଦ୍ର ମାଝୀଙ୍କଠାରୁ ପ୍ରଶିକ୍ଷଣ ନେବା ପରେ ୨୦୧୫ରୁ ସେ ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳିକା ତଥା ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷିକା ସୀତା ଜେନାଙ୍କଠାରୁ ପ୍ରଶିକ୍ଷଣ ନେଇ ଆସୁଛନ୍ତି। ଭାରୋତ୍ତୋଳନ ପ୍ଲାଟଫର୍ମରେ ଭକ୍ତରାମଙ୍କ ଚମକ ପଛରେ ସୀତାଙ୍କର ବଳିଷ୍ଠ ହାତ ରହିଛି। ଚିତ୍ରକୋଣ୍ଡାର ଆରଏସସି-୪ ଗ୍ରାମରେ ୨୦୦୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଭକ୍ତରାମଙ୍କ ପିତା-ମାତା ସଦନ ଦେଷ୍ଟି ଓ ତୁଲ ଦେଷ୍ଟି ଚାଷବାଷ କରି ଜୀବିକା ନିର୍ବାହ କରନ୍ତି। ଅପା‌ଠୁଆ ଏବଂ ଅତ୍ୟନ୍ତ ଗରିବ ହୋଇଥିଲେ ମଧ୍ୟ ଏକଦା ପୁଅର ଭବିଷ୍ୟତ ନେଇ ଚିନ୍ତିତ ଥିବା ସଦନ ଓ ତୁଲ ଆଜି ଭକ୍ତରାମଙ୍କ ସଫଳତା ନେଇ ବେଶ୍ ଗର୍ବିତ।

ଓଡ଼ିଶା ଭାରୋତ୍ତୋଳନର ଭବିଷ୍ୟତ
ଭକ୍ତରାମ ୨୦୧୬ ମସିହାରେ ୱାରାଙ୍ଗଲରେ ଅନୁଷ୍ଠିତ ଜାତୀୟ କନିଷ୍ଠ ଭାରୋତ୍ତୋଳନରେ ସ୍ବର୍ଣ୍ଣ ପଦକ ଜିତି ଚର୍ଚାକୁ ଆସିଥିଲେ। ସେହିଭଳି ୨୦୧୮ରେ ଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ଖେଲୋ ଇଣ୍ଡିଆ ଗେମ୍ସରେ ମଧ୍ୟ ଏହି ସ୍ବର୍ଣ୍ଣିମ ସଫଳତାକୁ ‌ଦୋହରାଇ ଥିଲେ। ସେହିବର୍ଷ ନାଗପୁରରେ ଅନୁଷ୍ଠିତ କନିଷ୍ଠ ଏବଂ ଯୁବ ଜାତୀୟ ଭାରୋତ୍ତୋଳନରେ ସ୍ବର୍ଣ୍ଣ ସହ ଚଳିତ ବର୍ଷ ଦ୍ବିତୀୟ ଖେ‌ଲୋ ଇଣ୍ଡିଆ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇଥିଲେ। କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିବା ପରେ ଚଳିତ ବର୍ଷ ଜାନୁଆରିରେ ଅନୁଷ୍ଠିତ ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ଡାକରା ପାଇଥିଲେ। ସୁବିଧା ସୁଯୋଗ ତଥା ଉଚିତ ପ୍ରଶିକ୍ଷଣ ମିଳିଲେ ଭକ୍ତରାମ ଓଡ଼ିଶାର ଦ୍ବିତୀୟ ରବି କୁମାର ହୋଇ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି।

ମାଣ୍ଡିଆ ବିକି ପୁଅକୁ ଛାତ୍ରାବାସ ପଠାଇଥିଲେ ସଦନ
୨୦୧୮ରେ ମାଟ୍ରିକ୍ ପରୀକ୍ଷାରେ ବିଫଳ ହେବା ପରେ ଭକ୍ତରାମ ଖେଳ ଛାଡ଼ି ନିଜ ଗାଁକୁ ଫେରି ଯାଇଥିଲେ। କ୍ରୀଡ଼ା ପାଇଁ ପାଠ ପଢ଼ା ପ୍ରଭାବିତ ହେଉଛି ଭାବି ପିତା ସଦନ ମଧ୍ୟ ତାଙ୍କୁ ଚାଷବାସରେ ସହଯୋଗ କରିବା ପାଇଁ କହିଥିଲେ। ଭକ୍ତରାମଙ୍କ ମନରେ କିନ୍ତୁ ଭାରୋ‌ତ୍ତୋଳନ ପାଇଁ ସେହି ପୁରୁଣା ଦୁର୍ବଳତା ରହିଥିଲା। ପ୍ରଶିକ୍ଷିକା ସୀତାଙ୍କ ଅନୁରୋଧ ଏବଂ ପୁଅର ଇଚ୍ଛାକୁ ସମ୍ମାନ ଜଣାଇ ଶେଷରେ ସଦନ ତାକୁ ପୁଣି ଥରେ ଛାତ୍ରାବାସ ପଠାଇଥିଲେ। ତେବେ ବ୍ରହ୍ମପୁର ପଠାଇବା ଲାଗି ପାଖରେ ଟଙ୍କାଟିଏ ନଥିବାରୁ ସଂଚିତ ମାଣ୍ଡିଆ ବିକି ୩,୦୦୦ ଟଙ୍କା ଦେଇଥିଲେ ଭକ୍ତରାମଙ୍କୁ। ସେହି ପଇସା ନେଇ ଭକ୍ତରାମ ବ୍ରହ୍ମପୁର ଛାତ୍ରାବାସକୁ ଫେରି ପୁଣି ଥରେ ଅଭ୍ୟାସରେ ମନୋନିବେଶ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ସେହି ମାଣ୍ଡିଆ ମୂଲକୁ ଅମୂଲ କରିଥିଲେ ଭକ୍ତ। ଅଷ୍ଟ୍ରେଲିଆରୁ ଫେରିବା ପରେ ମୁଁ ତାଙ୍କୁ ପୁଣି ଥରେ ପାଠ ପଢ଼ା ଆରମ୍ଭ କରିବାକୁ କହିବି। ତାକୁ ନିଶ୍ଚିତ ଭାବେ ମ୍ୟାଟ୍ରିକ୍ ପାସ୍ କରାଇବି। ଖେଳ ଭଳି ପାଠପଢ଼ା ମଧ୍ୟ ମହତ୍ବପୂର୍ଣ୍ଣ ହୋଇଥିବାରୁ ଭକ୍ତରାମ ପଢ଼ା ପାଢ଼ି ଛାଡ଼ିବ ନାହିଁ ବୋଲି ଭାବବିହ୍ବଳ ସୀତା କହିଛନ୍ତି।

ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣରେ ସ୍ବର୍ଣ୍ଣ
ରାଜ୍ୟଗୋଷ୍ଠୀ ଭା‌ରୋତ୍ତୋଳନ ଥିଲା ଭକ୍ତରାମଙ୍କ ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା। ପଦାର୍ପଣରେ ହିଁ ସେ ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ସହ ସମଗ୍ର ଭାରତ ବର୍ଷକୁ ଗର୍ବିତ କରିଛନ୍ତି। ଭକ୍ତରାମ ୪୯ କିଲୋଗ୍ରାମ ବର୍ଗର ସ୍ନାଚ୍‌ରେ ୭୬ କିଲୋଗ୍ରାମ ଏବଂ କ୍ଲିନ୍‌ ଆଣ୍ଡ ଜର୍କରେ ୧୦୮ କିଲୋଗ୍ରାମ ସହ ମୋଟ ୧୮୪ କି‌େଲାଗ୍ରାମ ଭାରୋତ୍ତୋଳନ କରି ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ। ଏହି ପ୍ରତିଯୋଗିତା ଲାଗି ସେ ଜାନୁଆରି ୨୦ ତାରିଖରୁ ପାତିଆଲାରେ ରହି ପ୍ରସ୍ତୁତି କରୁଥିଲେ।

ଭକ୍ତଙ୍କ ଭାରୋତ୍ତୋଳନ ଭକ୍ତି ଅତୁଳନୀୟ: ସୀତା
ଭକ୍ତରାମଙ୍କ ଭିବଷ୍ୟତ ନେଇ ତାଙ୍କ ପ୍ରଶିକ୍ଷିକା ସୀତା ଜେନା ଢେର ଆଶାବାଦୀ ଅଛନ୍ତି। ଆଗକୁ ସେ ଭାରତ ପାଇଁ ବହୁ ପଦକ ଜିତିବ ବୋଲି ସୀତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭକ୍ତରାମର ସବୁଠାରୁ ବଡ଼ ଶକ୍ତି ହେଉଛି ତା’ ଏକାଗ୍ରତା। ଭାରୋତ୍ତୋଳନକୁ ସେ ଭଲ ପାଏ। ଏହି ଧାରା ଯଦି ବଜାୟ ରଖେ ଆଗକୁ ବରିଷ୍ଠ ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସେ ସଫଳତା ପାଇବ ବୋଲି ସୀତା କହିଛନ୍ତି। ସେହିଭଳି ଭକ୍ତରାମ ମଧ୍ୟ ଆଗାମମୀ ଏସିଆନ୍ ଚାମ୍ପିଅନସିପ୍ ପାଇଁ ମନୋନୀତ ହୋଇଥିବା ସେ ସୂଚନା ଦେଇଛନ୍ତି। ସୀତା ନିଜେ ଜଣେ ଅନ୍ତର୍ଜାତୀୟ ଭାରୋତ୍ତେଳନ ତାରକା ହୋଇଥିଲା ବେଳେ ପାଠପଢ଼ାରେ ମଧ୍ୟ ବେଶ୍ ଦକ୍ଷ ଥିଲେ।

ସମ୍ବନ୍ଧିତ ଖବର