ଗୋପୀଚାନ୍ଦ ବାଡମିଣ୍ଟନ ଏକାଡେମୀର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ , ୧ ବର୍ଷରେ ସଂପୂର୍ଣ୍ଣ ହେବ

ଭୁବନେଶ୍ୱର : ରାଜ୍ୟରେ ବ୍ୟାଡମିଣ୍ଟନ ପ୍ରତିଭାମାନଙ୍କୁ ବିକଶିତ କରିବା ଲକ୍ଷ୍ୟରେ ଡାଲମିଆ ସିମେଣ୍ଟ ଗୋପୀଚାନ୍ଦ ବ୍ୟାଡ଼୍‌ମିଣ୍ଟନ୍‌ ଏକାଡେମୀର ଶିଳାନ୍ୟାସ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, ଭାରତୀୟ ବ୍ୟାଡ଼୍‌ମିଣ୍ଟନ୍‌ ଟିମ୍‌ର ମୁଖ୍ୟ ଜାତୀୟ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ ଏବଂ ଡାଲମିଆ ଭାରତ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା କର୍ପୋରେଟ୍‌ ଆଫେୟାର୍ସ ଗ୍ରୁପ୍‌ ହେଡ଼୍‌ ହର୍ମିତ ସିଂହ ସେଠୀ ଉପସ୍ଥିତ ଥିଲେ। ଏହି ଉପକ୍ରମ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବ ବିଭାଗ (ଡିଏସ୍‌ଓ୍ୱାଇଏସ୍‌) ଏବଂ ପୁଲେଲା ଗୋପୀଚାନ୍ଦ ବ୍ୟାଡ଼୍‌ମିଣ୍ଟନ୍‌ ଫାଉଣ୍ଡେସନ୍‌ର ଭାଗିଦାରିତାରେ କରାଯାଇଛି।

ଶିଳାନ୍ୟାସର ଏକ ବର୍ଷ ମଧ୍ୟରେ ଏକାଡ଼େମୀର ନିର୍ମାଣ ସମ୍ପୂର୍ଣ୍ଣ ହେବ। ଏକାଡ଼େମୀରେ ୧୦ଟି ବ୍ୟାଡ଼୍‌ମିଣ୍ଟନ୍‌ କୋର୍ଟ, ଜିମ୍ନାସିୟମ୍‌, ଖେଳାଳି, ପ୍ରଶିକ୍ଷକ ଓ ସହଯୋଗୀ କର୍ମଚାରୀମାନଙ୍କ ପାଇଁ ଭୋଜନ ଓ ରହଣୀ ବ୍ୟବସ୍ଥା ରହିବ। ଏକାଡ଼େମୀ ବ୍ୟାଡ଼୍‌ମିଣ୍ଟନ୍‌ ଏଚ୍‌ପିସିର ସଂଚାଳନ ଏବଂ କାର୍ଯ୍ୟ ପରିଚାଳନା, ମରାମତି, ରକ୍ଷଣାବେକ୍ଷଣ ଏବଂ ତତ୍ତ୍ୱାବଧାନ ପାଇଁ ଏକକ ଭାବରେ ସମ୍ପୂର୍ଣ୍ଣ ଦାୟୀ ରହିବ। ଏଥିସହ ଏକାଡ଼େମୀ ଯୁବ ପ୍ରତିଭାମାନଙ୍କର ବିକାଶ ପାଇଁ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ନିମନ୍ତେ କୋଚିଂ ଶିବିର ସୁବିଧା ପ୍ରଦାନ କରିବା ସହିତ ଜାତୀୟ ଏବଂ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ ଏବଂ ଉପସ୍ଥାପନ ମଧ୍ୟ କରିବ। ଏକାଡ଼େମୀ ବିଶ୍ୱସ୍ତରୀୟ ଦକ୍ଷ ପ୍ରଶିକ୍ଷକ ଏବଂ କ୍ରୀଡ଼ା ବୃତ୍ତିଧାରୀମାନଙ୍କ ସହଯୋଗରେ ଉଚ୍ଚ ସ୍ତରର ପ୍ରଶିକ୍ଷଣ ଏବଂ ତାଲିମ ପ୍ରଦାନ କରିବ।ଏହି ଏକାଡ଼େମୀ ଅନ୍ତଃରାଷ୍ଟ୍ରୀୟ ମାନର ହେବଏବଂ ଅନ୍ତଃରାଷ୍ଟ୍ରୀୟ ମାନର ଉତ୍କୃଷ୍ଟତା ହାସଲ କରିବା ପାଇଁ ଖେଳାଳିମାନଙ୍କୁ ସହଯୋଗ ଏବଂ ପ୍ରୋତ୍ସାହନ ଦେବା ପାଇଁ ଉନ୍ନତ କ୍ରୀଡ଼ା ସୁବିଧା ପ୍ରଦାନ କରିବ।
ବ୍ୟାଡ଼୍‌ମିଣ୍ଟନ୍‌ର ଏହି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପାଇଁ ଡିଏସ୍‌ଓ୍ୱାଇଏସ୍‌ ପ୍ରାୟ ୪ ଏକର ଜମି ଲିଜ୍‌ ପ୍ରଦାନ କରିବ। ଏଥିପାଇଁ ହୋଇଥିବା ବୁଝାମଣା ପତ୍ର ଅନୁଯାୟୀ, ପୁଲେଲା ଗୋପୀଚାନ୍ଦ ବ୍ୟାଡ଼୍‌ମିଣ୍ଟନ୍‌ ଫାଉଣ୍ଡେସନ୍‌ (ପିଜିବିଏଫ୍‌) ଏବଂ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼୍‌ ନୀତିଗତ ଭାବରେ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡ଼୍‌ମିଣ୍ଟନ୍‌ ଏକାଡ଼େମୀ ନାମଅଧୀନରେ ଏକତ୍ର ସହଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର