ଭାରତୀୟ ହକି ହୃତ ଗୌରବ ଫେରିପାଇବ: ରିଜିଜୁ

‘ଓଡ଼ିଶାବାସୀଙ୍କ କ୍ରୀଡ଼ାପ୍ରେମକୁ ସଲାମ’

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଭାରତୀୟ ହକିର ଭବିଷ୍ୟତ ବେଶ୍‌ ଉଜ୍ଜ୍ବଳ ବୋଲି ମତ ରଖିଥିଲେ। ସେ ମଧୢ କ୍ରୀଡ଼ା ବିକାଶ ନେଇ ଓଡ଼ିଶା ସରକାର ନେଉଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶ˚ସା କରିଥିଲେ। ସେହିଭଳି ଓଡ଼ିଶାବାସୀଙ୍କ ହୃଦୟରେ କ୍ରୀଡ଼ାପ୍ରତି ଥିବା ଭଲପାଇବା ଏବ˚ ସମର୍ଥନକୁ ସେ ଭୂୟଶୀ ପ୍ରଶ˚ସା କରିଥିଲେ। କଳିଙ୍ଗ ଷ୍ଟାଡିୟମରେ ସ୍ଥାପିତ ହୋଇଥିବା ବିଭିନ୍ନ ହାଇପର୍ଫମାନ୍ସ ସେଣ୍ଟର ପରିଦର୍ଶନ କରିବା ପରେ ଗଣମାଧୢମ ପ୍ରତିନିଧିଙ୍କୁ ସାକ୍ଷାତକାର ଦେଇ ରିଜିଜୁ କହିଥିଲେ ଯେ ପ୍ରଥମ କଥା ହେଲା ମୁଁ ଏଠାକୁ ଭାରତୀୟ ପୁରୁଷ ଏବ˚ ମହିଳା ଦଳକୁ ଉତ୍ସାହିତ କରିବାକୁ ଆସିଛି। ଆଶା କରୁଛି ଉଭୟ ଦଳ ଟୋକିଓ ଟ୍ବେଣ୍ଟି-୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ। ମୁଁ ସ୍ଥିର ନିଶ୍ଚିତ ଯେ ଆଗାମୀ ସମୟରେ ଭାରତୀୟ ହକି ତା’ର ହୃତ ଗୌରବ ଫେରି ପାଇବ। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ମୋ କର୍ତ୍ତବ୍ୟ ଓ ଦାୟିତ୍ବ ହେଉଛି ଆମ ପିଲାମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଏବ˚ ସମର୍ଥନ ଦେବା। ଦ୍ବିତୀୟରେ ଓଡ଼ିଶା ସରକାର ଏବ˚ ଓଡ଼ିଶାବାସୀ ଯେଭଳି ଭାବେ କ୍ରୀଡ଼ା ଏବ˚ କ୍ରୀଡ଼ାବିତଙ୍କୁ ସମର୍ଥନ ଏବ˚ ସହଯୋଗ ଦେଉଛନ୍ତି, ତାହା ମୋ ମନ ଜିତି ନେଇଛ। ବ୍ୟକ୍ତିଗତ ଭାବେ ମୁଁ ଏଥିନେଇ ଓଡ଼ିଶା ସରକାର ସର୍ବୋପରି ଏଠାକାର କ୍ରୀଡ଼ାପ୍ରେମୀ ଜନତାଙ୍କୁ ଧନ୍ୟବାଦ ଦେବି। ଓଡ଼ିଶା ସରକାର ଗତ କିଛି ବର୍ଷ ଧରି ଭାରତୀୟ କ୍ରୀଡ଼ାର ଉନ୍ନତି ଲାଗି ଅନେକ ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି। ସେଥିପାଇଁ ଓଡ଼ିଶାକୁ ଅଧିକରୁ ଅଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାର ଅଧିକାର ମିଳୁଛି। ଆମେ ମଧୢ ଆଗକୁ ଓଡ଼ିଶାକୁ ଅଧିକରୁ ଅଧିକ ସମର୍ଥନ ଦେବାକୁ ଯୋଜନା କରିଛୁ। ଯେ କୌଣସି ଖେଳ ପ୍ରଶ˚ସକଙ୍କ ବିନା ସମର୍ଥନରେ ଆଗକୁ ବଢ଼ି ପାରିବ ନାହିଁ। ସାଧାରଣ ଲୋକଙ୍କ ସମର୍ଥନ ଏବ˚ ଭଲ ପାଇବା ବଳରେ ହିଁ କ୍ରୀଡ଼ାର ବିକାଶ ହେବ। ସବୁ ପ୍ରକାର ଖେଳକୁ ଭଲ ପାଇବା ଏବ˚ ସମର୍ଥନ ଦେଇ ଆସୁଥିବାରୁ ଓଡ଼ିଶାବାସୀ ଅଭିନନ୍ଦନର ପାତ୍ର। ସେମାନଙ୍କ ଉତ୍ସାହ ଅତୁଳନୀୟ। ଏହା କେବଳ ଓଡ଼ିଶା ନୁହଁ, ଭାରତୀୟ କ୍ରୀଡ଼ା ପାଇଁ ମଧୢ ବହୁତ ଭଲ।

ଟୋକିଓ ଅଲିମ୍ପିକ୍ସ ଭାରତର ସଫଳତମ ହେବ
ରିଜିଜୁ ଟୋକିଓରେ ଭାରତ କେତେ ପଦକ ଜିତିବ ସେ ସ˚ଖ୍ୟାର ପୂର୍ବାନୁମାନ କରିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଏଥିନେଇ ସେ କହିଥିଲେ ଯେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତ କେତେ ପଦକ ଜିତିବ ତାହା ଆକଳନ କରିବା ଜଣେ ମନ୍ତ୍ରୀଙ୍କ ପାଇଁ ଅତ୍ୟନ୍ତ କଷ୍ଟକର। ତେବେ ଆମ ପାଖରେ ଯେତିକି ପ୍ରତିଭା ଅଛନ୍ତି, ସେମାନଙ୍କୁ ଯେମିତି ସବୁ ପ୍ରକାର ସୁବିଧା ସୁଯୋଗ ମିଳେ, ତାହା ମୋ ଦାୟିତ୍ବ। ଭାରତ ସରକାର, କ୍ରୀଡ଼ା ବିଭାଗ ଏବ˚ ଭାରତୀୟ ଅଲିମ୍ପିକ୍ସ ସ˚ଘ ଦେଶର ବିଭିନ୍ନ କ୍ରୀଡ଼ା ସ˚ଗଠନ ସହ ମିଶି ଟୋକିଓରେ ଯେମିତି ଆମେ ପୂର୍ବାପେକ୍ଷା ଅଧିକ ପଦକ ଜିତିବା, ସେ ଦିଗରେ କାର୍ଯ୍ୟ କରୁଛୁ। ଆଶା କରୁଛି ଏହି ଅଲିମ୍ପିକ୍ସ ଭାରତ କ୍ରୀଡ଼ା ଇତିହାସରେ ସଫଳତମ ଅଲିମ୍ପିକ୍ସ ହେବ। ୨୦୨୪ ପ୍ୟାରିସ ଏବ˚ ୨୦୨୮ ଲସଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଆମେ ଏବେଠାରୁ ଳକ୍ଷ୍ୟ ଧାର୍ଯ୍ୟ କରି ସାରିଲୁଣି। କାରଣ ଏଥିଲାଗି ଆମ ପାଖରେ ସମୟ ଅଛି। ଏହି ଦିଗରେ ଆମେ କାର୍ଯ୍ୟ ଆରମ୍ଭ କରି ସାରିଛୁ। ଆଗକୁ ମୁଁ ଅଧିକରୁ ଅଧିକ ଥର ଓଡ଼ିଶା ଆସିବାକୁ ଚାହିଁବି। ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରି କ୍ରୀଡ଼ା ବିକାଶ ଲାଗି ମିଳିତ ଭାବେ ପଦକ୍ଷେପ ନେବୁ। ଓଡ଼ିଶାରେ ଖେଲୋ ଇଣ୍ତିଆର ଆୟୋଜନ ନେଇ ରିଜିଜୁ କିଛି କହିବାକୁ ମନା କରି ଦେଇଥିଲେ। ଖେଲୋ ଇଣ୍ତିଆ ଏକ ବହୁତ ବଡ଼ କ୍ରୀଡ଼ା ଆୟୋଜନ। ଏଥିନେଇ ମୁଁ ପୃଥକ ଭାବେ ମୋ ଆଭିମୁଖ୍ୟ ସ୍ପଷ୍ଟ କରିବି ବୋଲି ସେ କହିଥିଲେ।

ପୁଣି ଧମାଲ କଲା ଵାନ୍‌ ଟିମ୍‌ ଵାନ୍‌ ଡ୍ରିମ୍‌
ଭାରତୀୟ ହକିର ଦୃଢ଼ ସମର୍ଥକ ‘ଵାନ୍‌ ଟିମ୍‌ ଵାନ୍‌ ଡ୍ରିମ୍‌’ ଦଳକୁ ମଧୢ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। ସାରା ଦେଶର ୭୦ରୁ ଅଧିକ ସଦସ୍ୟ ଥିବା ଏହି ପ୍ରଶ˚ସକ ବାହିନୀ ଦର୍ଶକ ଗ୍ୟଲେରିରେ ମୁଖ୍ୟ ଆକର୍ଷଣ ପାଲଟିଥିଲେ। ଏହି ଦଳରେ ବିଦେଶରୁ ଆସିଥିବା କେତେକ ହକିପ୍ରେମୀ ମଧୢ ଥିଲେ। ‘ଵାନ୍‌ ଟିମ୍‌ ଵାନ୍‌ ଡ୍ରିମ୍‌’ ଦଳକୁ ଗତବର୍ଷର ହକି ବିଶ୍ବକପ୍‌ ବେଳେ ମଧୢ ଦେଖିବାକୁ ମିଳିଥିଲା। ଭାରତୀୟ ମହିଳା ସହ ପୁରୁଷ ଦଳ ମଧୢ ଅଲିମ୍ପିକ୍ସ ପାଇଁ ଏଠାରୁ ଟିକେଟ ହାସଲ କରିବ ବୋଲି ଏହି ଦଳର ସଦସ୍ୟମାନେ ଦୃଢ଼ତାର ସହ କହିଥିଲେ।

ସମ୍ବନ୍ଧିତ ଖବର