‘କ୍ରିକେଟ୍‌ ମୋ ରକ୍ତରେ ଅଛି; ଫେରିବାରେ ଅସୁବିଧା ନାହିଁ’

ଦକ୍ଷିଣ ଆଫ୍ରିକା ଗଲା ଭାରତୀୟ ଦଳ

ମୁମ୍ବାଇ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍‌ ଦଳ ବୁଧବାର ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିଛି। ଉପମହାଦେଶ ବାହାରେ ଟେଷ୍ଟ ଜିତିବା ଭାରତୀୟ ଦଳ ପାଇଁ ଆହ୍ଵାନ ପାଲଟିଥିଲା ବେଳେ ଅଧିନାୟକ କୋହଲି କିନ୍ତୁ ଆଗାମୀ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଅବସରରେ କାହାରିକୁ କିଛି ବି ପ୍ରମାଣ ଦେବାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବିବାହ ପରେ କ୍ରିକେଟ୍‌କୁ ଫେରିବା ପ୍ରସଙ୍ଗରେ କୋହଲି କହିଥିଲେ, କ୍ରିକେଟ୍‌ ମୋ ରକ୍ତରେ ଅଛି, ଖେଳିବା ମୋ ପାଇଁ କଷ୍ଟସାଧ୍ୟ ନୁହେଁ। ଏବେ ଆମ ସମସ୍ତଙ୍କ ନଜର କେବଳ ଖେଳିବା ଉପରେ ରହିଛି ବୋଲି କୋହଲି କହିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ଆସନ୍ତା ଜାନୁଆରି ୫ ତାରିଖରୁ ଆରମ୍ଭ ହେବ। ସବୁଠୁ ବଡ଼ କଥା ହେଲା ଗତ ୨୫ ବର୍ଷ ଧରି ଦକ୍ଷିଣ ଆଫ୍ରିକାରେ ଭାରତ ଆଦୌ ଟେଷ୍ଟ ଶୃଙ୍ଖଳା ଜିତିପାରିନାହିଁ। ତଥାପି ଦକ୍ଷିଣ ଆଫ୍ରିକାରେ ଭାରତ ମାତ୍ର ଦୁଇଟି ଟେଷ୍ଟ ଜିତିଛି। ୨୦୧୦-୧୧ରେ ଶୃଙ୍ଖଳାକୁ ୧-୧ରେ ଅମୀମାଂସିତ ରଖିବା ଭାରତୀୟ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ରହିଛି। ଅତୀତରେ ଉପମହାଦେଶ ବାହାରେ ଦଳ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ଏବର ଦଳ ଜବରଦସ୍ତ ପ୍ରଦର୍ଶନ କରିବାର ବିଶ୍ୱାସ ରହିଥିବା କୋହଲି ବୁଧବାର ଭାରତ ଛାଡ଼ିବା ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି। ଆମର ଦାୟିତ୍ୱ ହେଲା କେବଳ ଦକ୍ଷିଣ ଆଫ୍ରିକା ଯାଇ ସେଠାରେ ଖେଳିବା ଏବଂ ଶତପ୍ରତିଶତ ପ୍ରୟାସ ଦେବା। ସେଥିପାଇଁ କାହାରିକୁ କିଛି ବି ପ୍ରମାଣ ଦେବାକୁ ଚାହୁନାହୁଁ ବୋଲି କୋଲି ରୋକ୍‌ଠୋକ୍‌ କହିଛନ୍ତି। ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ କିମ୍ବା ଭାରତରେ ହେଉପଛେ, ପ୍ରତିପକ୍ଷ ଯିଏ ହେଉନା କାହିଁକି ଆମର ସେଥିରେ ଚିନ୍ତା କରିବାର ନାହିଁ। ଆମେ ଖେଳିବୁ ଓ ଭଲ ପ୍ରଦର୍ଶନ ଦେବୁ ଏହାହିଁ ଆମର କର୍ତବ୍ୟ ଓ ଦାୟିତ୍ୱ। ମାନସିକ ଓ ଶାରିରୀକ ଭାବେ ସୁସ୍ଥ ରହି ପ୍ରତିପକ୍ଷର ଆହ୍ଵାନକୁ ସାମ୍‌ନା କରିବା ପାଇଁ ଆମେ ଏବେ ପ୍ରସ୍ତୁତ ବୋଲି କୋହଲି କହିଛନ୍ତି। ମୁଁ ଥରେ ମାତ୍ର ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଖେଳିଛି। ୨୦୧୩-୧୪ରେ ଜୋହାନ୍‌ସବର୍ଗରେ ଶତକ ମଧ୍ୟ ହାସଲ କରିଥିଲି। ଏବେ ଆଗକୁ ବଢ଼ିବାକୁ ଚାହେଁ। ଦଳରେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରହାଣେଙ୍କ ଭଳି ଖେଳାଳି ରହିଥିବାରୁ କିଛି ବି ସୁଯୋଗ ଆମ ପାଖରେ ରହିବ। ପୁଣି ଯୁବ ଦ୍ରୁତ ବୋଲରମାନେ ମଧ୍ୟ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇବାର ସାମର୍ଥ ରଖିଛନ୍ତି। ତେବେ ଡେଲ୍‌ ଷ୍ଟେନ୍‌, ମର୍ନି ମର୍କେଲ ଓ କାଗିସୋ ରବାଡାଙ୍କୁ ନେଇ ଘରୋଇ ଦଳର ବୋଲିଂ ଆକ୍ରମଣ ଖୁବ୍‌ ଶାଣୀତ ବୋଲି କୋହଲି ସ୍ୱୀକାର କରିଛନ୍ତି। ତଥାପି ଆମେ ଭଲ ଖବର ନେଇ ସ୍ୱଦେଶ ଫେରିବୁ ବୋଲି କୋହଲି କହିଛନ୍ତି।

ସମ୍ବନ୍ଧିତ ଖବର