ରୁଷିଆ ରଥକୁ ରୋକିବା ଆଶାରେ କ୍ରୋଏସିଆ

ସୋଚି: ସୋଚିର ଫିସ୍ତ ଷ୍ଟାଡିୟମ ବିଶ୍ୱକପର ଏକାଧିକ ରୋମାଞ୍ଚକର ତଥା ସଂଘର୍ଷପୂର୍ଣ୍ଣ ମୁକାବିଲାର ମୁକସାକ୍ଷୀ ହୋଇ ସାରିଛି। ଏହି ଷ୍ଟାଡିୟମରେ ହିଁ ଶନିବାର ରାତିରେ ଚଳିତ ବିଶ୍ୱକପର ଶେଷ କ୍ୱାର୍ଟର ଫାଇନାଲ୍‌ ଆୟୋଜକ ରୁଷିଆ ଏବଂ କ୍ରୋଏସିଆ ମଧ୍ୟରେ ଖେଳାଯିବ। ଉଭୟ ରୁଷିଆ ଏବଂ କ୍ରୋଏସିଆ ପେନାଲ୍ଟି ସୁଟଆଉଟ୍‌ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରି-କ୍ୱାର୍ଟରରେ ରୁଷିଆ ଶକ୍ତିଶାଳୀ ସ୍ପେନ୍‌କୁ ହରାଇଥିଲା ବେଳେ କ୍ରୋଏସିଆ ଡେନମାର୍କ ପାଇଁ ଭାରି ସାବ୍ୟସ୍ତ ହୋଇଥିଲା। ସୋଭିଏତ୍‌ ସଂଘଠାରୁ ଅଲଗା ହେବା ପରେ ରୁଷିଆ ପ୍ରଥମ ଥର ପାଇଁ ବିଶ୍ୱକପର କ୍ୱାର୍ଟର ଫାଇନାଲ୍‌ ଖେଳିବ। ସେପଟେ କ୍ରୋଏସିଆ ଶେଷ ଥର ପାଇଁ  ୧୯୯୮ ମସିହାର ସେମିଫାଇନାଲ ଖେଳିଥିଲା। କ୍ରୋଏସିଆ ଲିଗ୍‌ ପର୍ଯ୍ୟାୟରେ ନାଇଜେରିଆ, ଆର୍ଜେଣ୍ଟିନା ଏବଂ ଆଇସଲାଣ୍ଡ ଭଳି ଦଳକୁ ଧୂଳି ଚଟାଇଥିଲା। ସେଥିପାଇଁ ଶନିବାର ଆୟୋଜକ ରୁଷିଆ ପାଇଁ ତାକୁ ହରାଇବା ଆଦୌ ସହଜ ହେବନି। ତେବେ ଘରୋଇ ପ୍ରଶଂସକଙ୍କ ସମର୍ଥନ ପାଇଁ  ରୁଷିଆ ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ପାଞ୍ଚଥର ବିଶ୍ୱକପ୍‌ ଖେଳିଥିବା କ୍ରୋଏସିଆ ତୃତୀୟ ଥର ପାଇଁ ଆୟୋଜକ ରାଷ୍ଟ୍ରକୁ ଭେଟିବ। ଗତ ଦୁଇ ମୁକାବିଲାରେ ସେମାନେ ୧୯୯୮ରେ ଆୟୋଜକ ଫ୍ରାନ୍ସଠାରୁ ହାରି ବିଦାୟ ନେଇଥିଲେ। ସେହିଭଳି ୨୦୧୪ର ଉଦଘାଟନୀ ମୁକାବିଲାରେ ଆୟୋଜକ ବ୍ରାଜିଲଠାରୁ ୦-୩ରେ ହାରିଥିଲା।

ସମ୍ବନ୍ଧିତ ଖବର