ବାପା ଅନ୍ତର୍ଜାତୀୟ ବାସ୍କେଟ୍‌ବଲର୍‌, ପୁଅ ରଣଜୀ କ୍ରିକେଟର୍‌

ସୁନେଲି ଦିନକୁ ଝୁରୁଛନ୍ତି ସୁନିଲ ପଣ୍ଡା

ଭୁବନେଶ୍ବର: ଭାରତୀୟ ବାସ୍କେଟ୍‌ବଲ୍ ଦୁନିଆର ଅତି ପରିଚିତ ନାଁ’ଟିଏ ସୁନିଲ କୁମାର ପଣ୍ଡା। ଓଡ଼ିଶା ପୃଷ୍ଠଭୂମିର ଅନ୍ତର୍ଜାତୀୟ ବାସ୍କେଟ୍‌ବଲର୍‌, ଓଡ଼ିଆ ଭାଷା ବି କହନ୍ତି ପ୍ରାଞ୍ଜଳ। କିନ୍ତୁ ରାଜ୍ୟ ଭିତରେ ଅନେକଙ୍କ ପାଇଁ ଅଜଣା ଅଶୁଣା ଚେହେରାଟିଏ। ରାଜ୍ୟ ବାସ୍କେଟ୍‌ବଲ୍ ଜଗତର କିଛି ହାତଗଣତି ଲୋକଙ୍କୁ ଛାଡ଼ିଦେଲେ ସୁନିଲ କୁମାର ପଣ୍ଡାଙ୍କ କୃତିତ୍ବ, ନେତୃତ୍ବ ଏବଂ ତାଙ୍କ ପୁଅ ସଫଳ ରଣଜୀ କ୍ରିକେଟର୍‌ ସୁମିତ ପଣ୍ଡାଙ୍କ କାହାଣି ସମ୍ପର୍କରେ ଖୁବ୍ କ୍ବଚିତ୍‌ଙ୍କୁ ଜଣା। ଭାରତୀୟ ବାସ୍କେଟ୍‌ବଲ୍‌କୁ ପ୍ରାୟ ତିନି ଦଶନ୍ଦି ଧରି ରୁଦ୍ଧିମନ୍ତ କରିଥିବା ୭୩ ବର୍ଷୀୟ ସୁନିଲ ବାବୁଙ୍କ ଜୀବନଯାତ୍ରାର କାହାଣୀକୁ ନେଇ ‘ସମ୍ବାଦ’ର ବିଶେଷ ପ୍ରତିବେଦନ।

ଓଡ଼ିଶା ଓ ଓଡ଼ିଆ
ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଥିଲେ ବି ସୁନିଲ କୁମାର ପଣ୍ଡା ଓଡ଼ିଶାରେ ଲୋକପ୍ରିୟ ନଥିବାର କିଛି ଯୁକ୍ତିସଂଗତ କାରଣ ବି ରହିଛି। ପ୍ରଥମତଃ ଓଡ଼ିଆ ପରିବାରରୁ ଆସିଥିଲେ ମଧ୍ୟ ତାଙ୍କ ମୂଳ ଘର ଏବେ ଆଉ ଓଡ଼ିଶାରେ ନାହିଁ। ପଶ୍ଚିମବଙ୍ଗର ମିଦନାପୁର ଜିଲ୍ଲା ଅନ୍ତର୍ଗତ ଚୋରଚିତା ଗାଁ ତାଙ୍କ ମୂଳ ଘର। ଯାହାକି ବହୁ ପୂର୍ବରୁ ଓଡ଼ିଶାର ଥିଲା ବୋଲି ଦାବି କରାଯାଏ। ଦ୍ବିତୀୟ କଥାଟି ହେଲା ଓଡ଼ିଶା ପାଇଁ କେବେ ବି ଜାତୀୟ ସ୍ତରରେ ଖେଳିନଥିଲେ ସୁନିଲ କୁମାର ପଣ୍ଡା। ଖେଳାଳି ଜୀବନରେ ପ୍ରଷ୍ଫୁଟିତ ହେବା ମାତ୍ରେ ଜାମସେଦପୁର ଟିସ୍କୋରେ ଯୋଗଦେବା ଏବଂ ବିହାର ପାଇଁ ଜାତୀୟ ସ୍ତରରେ ଖେଳିବା ହିଁ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଥିଲା। ଓଡ଼ିଶା ଓ ଓଡ଼ିଆ ଭାଷା ସହିତ କିନ୍ତୁ ଭାବଗତ ସମ୍ପର୍କରେ ବନ୍ଧା ରହିଛନ୍ତି ଏହି ମହାନ ବାସ୍କେଟବଲର୍‌। ନିଜ ଖେଳ ଜୀବନ ଏବଂ ଅବସର ପରେ ଏବେ ଜାମସେଦପୁରରେ ଅବସ୍ଥାନ କରୁଛନ୍ତି ବିନା ଅବସୋସରେ। ‘ସମ୍ବାଦ’ ପ୍ରତିନିଧିଙ୍କ ସହ କଥା ହେବା ବେଳେ ସମ୍ପୂର୍ଣ୍ଣ ଓ ସ୍ପଷ୍ଟ ଭାବେ ଓଡ଼ିଆରେ ହିଁ କହିଥିଲେ ସବୁ କଥା।

ଡେଙ୍ଗା କୀର୍ତ୍ତିମାନ, ଲମ୍ବା ଖେଳ ଜୀବନ
ଏକଦା ଦେଶର ସବୁଠୁ ଡେଙ୍ଗା ବ୍ୟକ୍ତି ବିବେଚିଚ ହୋଇଥିଲେ ସୁନିଲ କୁମାର ପଣ୍ଡା (୭ ଫୁଟ୍‌ ୩.୫ ଇଞ୍ଚ/୨୨୨ ସେଣ୍ଟିମିଟର୍‌)। ଏବେ ବି‌ ଦେଶର ଡେଙ୍ଗା ବାସ୍କେଟବଲ୍‌ର କୀର୍ତ୍ତିମାନ ତାଙ୍କ ନାମରେ ରହିଛି। ୧୯୬୭ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୩ ଦଶନ୍ଧି ଧରି ଜାତୀୟ ବାସ୍କେଟ୍‌ବଲ୍ ପ୍ରତିଯୋଗିତାରେ ଖେଳିଥିଲେ। ପ୍ରାୟ ୨୫ଟି ଜାତୀୟ ପ୍ରତିଯୋଗିତାରେ ସେ ଖେଳିଥିଲେ। ୧୯୬୭ ମସିହାରେ ଟାଟା ଷ୍ଟିଲ୍‌ରେ ଯୋଗଦେବା ହିଁ ତାଙ୍କୁ ଭାରତୀୟ ଦଳରେ ପହଞ୍ଚାଇବାର ବାଟ ଦେଖାଇଥିଲା। ୧୯୭୭ରୁ ୧୯୯୧ ମସିହା ପର୍ଯ୍ୟନ୍ତ ଭାରତୀୟ ଦଳର ସଦସ୍ୟ ଥିଲେ। ଏହି ସମୟ ମଧ୍ୟରେ ୧୯୮୨ ଏସୀୟ କ୍ରୀଡ଼ାରେ ବି ଖେଳିଥିଲେ। ୫ ଥର ଏବିସି (ଏସୀୟ ବାସ୍କେଟବଲ୍‌ କନଫେଡେରେସନ୍‌) ପ୍ରତିଯୋଗିତା ସହିତ ମସ୍କୋ ଲିଗ୍‌ରେ ବି ପ୍ରତିନିଧିତ୍ବ କରିଥିଲେ। ୧୯୮୨ ଏସିଆଡ୍‌ ପୂର୍ବରୁ ସିଓଲ୍ ଗସ୍ତରେ ଭାରତୀୟ ଦଳର ନେତୃତ୍ବ ନେବାର‌ ସୌଭାଗ୍ୟ ବି ଜୁଟିଥିଲା।

କଟକରେ ଖେଳିଥିଲେ ଜାତୀୟ କ୍ରୀଡ଼ା
କେବଳ ବାସ୍କେଟବଲ୍ ନୁହେଁ ଦୌଡ଼କୁଦ ଦୁନିଆରେ ବି ପାଦ ଥାପିଥିଲେ ସୁନିଲ ବାବୁ। କଟକରେ ୧୯୭୦ରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ାରେ ସଟ୍‌ପୁଟ୍‌ ଓ ଡିସ୍‌କସ୍‌ ଇଭେଣ୍ଟ୍‌ରେ ଭାଗ ନେଇଥିଲେ। ଡିସ୍‌କସ୍‌ରେ ବି କାଂସ୍ୟ ପଦକ ହାସଲ କରିଥିଲେ। ୧୯୭୪ ମସିହା ପର୍ଯ୍ୟନ୍ତ ଉଭୟ ଇଭେ‌ଣ୍ଟ୍‌ରେ ଭାଗ ନେଇଥିଲେ। ତା’ପରଠୁ ସମ୍ପୂର୍ଣ୍ଣ ଭାବେ ବାସ୍କେଟ୍‌ବଲ୍ ଉପରେ ଏକାଗ୍ର ହୋଇ ଅନ୍ତର୍ଜାତୀୟ ପାଲଟିଥିଲେ। ବିହାର ଓ ଭାରତୀୟ‌ ବାସ୍କେଟ୍‌ବଲ୍‌କୁ ସେବା କରିବା ପରେ ଟିସ୍କୋରୁ ବରିଷ୍ଠ ପ୍ରବନ୍ଧକ (ଟିସ୍କୋ ସିକ୍ୟୁରିଟି) ଭାବେ ଅବସର ନେଇ ଏବେ ଜାମସେଦପୁରରେ ଅବସ୍ଥାନ କରୁଛନ୍ତି।

ଭାରତରେ ଖେଳ ଖତମ୍‌
ଭାରତୀୟ ବାସ୍କେଟ୍‌ବଲ୍‌ର ସୁନେଲି ଯୁଗରେ ହିଁ ଖେଳିଥିଲେ ସୁନିଲ ପଣ୍ଡା। ସତୁରି ଓ ଅଶି ଦଶକରେ ଏସୀୟ ସଫଳତା ଭଲ ରହୁଥିଲା। ୩/୪ ସ୍ଥାନ ପାଉଥିଲା। ଭାରତ ନିଜ ଇତିହାସରେ ଥରେ ମାତ୍ର ୧୯୮୦ ମସ୍କୋ ଅଲିମ୍ପିକ୍ସରେ ହିଁ ଖେଳିବାର ସୁଯୋଗ ପାଇପାରିଥିଲା। ଭାରତୀୟ ବାସ୍କେଟ୍‌ବଲ୍ ପାଇଁ ଏହା ପ୍ରଥମ ଏବଂ ଶେଷ ଅଲିମ୍ପିକ୍ସ ହୋଇରହିଛି। ଦୀର୍ଘ ୪୦ ବର୍ଷ ହେବ ଯୋଗ୍ୟତା ଅର୍ଜନର ନିକଟତର ବି ହୋଇପାରିନାହିଁ। ଏହାକୁ ନେଇ ବଡ଼ ବ୍ୟଥିତ ହୁଅନ୍ତି ସୁନିଲ ବାବୁ। ‘ସମ୍ବାଦ’ ସହିତ କଥା ହେବାବେଳେ କ୍ଷୋଭର ସହ କହିଥିଲେ ‘ଭାରତୀୟ ବାସ୍କେଟ୍‌ବଲ୍ ଖତମ ହୋଇଗଲାଣି। ମୋଟାମୋଟି ଭାବେ ଏହା ‘ଶୂନ’ରେ ପହଞ୍ଚିଗଲାଣି। ଦୁଇ ଦୁଇଟା ସଂଘ ପାଇଁ ଖେଳର ପତନ ଘଟିଛି, ରାଜନୀତି କାରଣରୁ ବାସ୍କେଟ୍‌ବଲ୍‌ ବୁଡିଯିବାକୁ ବସିଛି। ଭବିଷ୍ୟତ ମୋତେ ଅନ୍ଧକାରମୟ‌ ଦେଖାଯାଉଛି। ବ୍ୟକ୍ତିଗତ ଭାବେ ମୋର କିଛି ଅବସୋସ ନାହିଁ ବୋଲି କୁହନ୍ତି ସୁନିଲ୍ ବାବୁ। ୭୩ ବର୍ଷ ବୟସରେ ବି ବୁଲେଟ ଚଳାଇ ମାର୍କେଟିଂ କରୁଛି ବୋଲି ନିଜ ଫିଟ୍‌ନେସ୍‌ର ପ୍ରମାଣ ଦେବାକୁ ଯାଇ କହିଥିଲେ ଶ୍ରୀ ପଣ୍ଡା।

ସୁମିତ ରଣଜୀ ଅଧିନାୟକ
ସଫଳ ବାସ୍କେଟ୍‌ବଲର୍‌ ଭାବେ ନିଜ ପାଇଁ ପ୍ରତିଷ୍ଠା ଆଣିଥିବା ସୁନିଲ ପଣ୍ଡାଙ୍କ ଏକମାତ୍ର ପୁଅ ସୁମିତ ପଣ୍ଡା କିନ୍ତୁ ଖେଳିଥିଲେ କ୍ରିକେଟ୍‌। କେବଳ ଖେଳିନଥିଲେ ବରଂ ଭାରତର ଘରୋଇ କ୍ରିକେଟ୍‌ରେ ଜଣେ ପ୍ରତିଭାବାନ ଅଲରାଉଣ୍ଡର୍‌ ଭାବେ ବି ଉଭା ହୋଇଥିଲେ। ସୁମିତ ବିହାର, ବେଙ୍ଗଲ ଓ ଝାଡ଼ଖଣ୍ଡ ପାଇଁ ଘରୋଇ କ୍ରିକେଟ ଖେଳିଥିଲେ। ୧୯୯୬-୯୭ରୁ ୨୦୦୬-୦୭ ଋତୁ ମଧ୍ୟରେ ମୋଟ ୩୯ ପ୍ରଥମ‌ ଶ୍ରେଣୀ ମ୍ୟାଚ୍‌‌ ଖେଳିଥିଲେ। ୨୮ଟି ଲିଷ୍ଟ୍ ‘ଏ’ ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ରଣଜୀ ଟ୍ରଫିରେ ବି ଝାଡ଼ଖଣ୍ଡ ଦଳର ନେତୃତ୍ବ ନେଇଥିଲେ। ୧୯୯୮ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ବକପ୍‌ ଲାଗି ଭାରତୀୟ ଦଳ ସଦସ୍ୟ ଥିଲେ। ସୁମିତ ପଣ୍ଡାଙ୍କ ଅଧିନରେ ଖେଳି ମହେନ୍ଦ୍ର ସିଂହ ଧୋନି ଭାରତୀୟ ଦଳରେ ପହଞ୍ଚିଥିଲେ। ଭାରତରେ ଘରୋଇ କ୍ରିକେଟ୍ ଖେଳିବା ପରେ ଏବେ ପରିବାର ସହିତ ମ‌ାଞ୍ଚେଷ୍ଟର୍‌ରେ ଅବସ୍ଥାପିତ ହୋଇ ସେଠାକାର ଲିଗ୍‌ କ୍ରିକେଟ୍ ଖେଳୁଛନ୍ତି। ଉଭୟ ବାପପୁଅ ଅଲଗା ଖେଳ ଖେଳିଥିଲେ ବି ରାଜ୍ୟ ଦଳର ନେତୃତ୍ବ ନେବା ଏବଂ ଭାରତୀୟ ଦଳର ପ୍ରତିନିଧିତ୍ବ କରିବା ଭଳି ବିରଳ କୃତିତ୍ବ ବି ରଖିଛନ୍ତି।

ସମ୍ବନ୍ଧିତ ଖବର