ଅଲିମ୍ପିକ୍ସରୁ ବାଦ ପଡ଼ିବ ଭାରୋତ୍ତୋଳନ!

ନୂଆଦିଲ୍ଲୀ: ଭବିଷ୍ୟତ ଅଲିମ୍ପିକ୍‌ କ୍ରୀଡ଼ାରେ ଭାରୋତ୍ତୋଳନ ତା’ର ସ୍ଥାନ ହରାଇପାରେ। ଆନ୍ତର୍ଜାତିକ ଭାରୋତ୍ତୋଳନ ସଂଘ (ଆଇଡବ୍ଲୁଏଫ୍‌) ବିପକ୍ଷରେ ତା’ର ଚାଲିଥିବା ତଦନ୍ତକୁ ନେଇ ଏଭଳି ଆଶଙ୍କା ସୃଷ୍ଟି ହୋଇଛି ବୋଲି ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି (ଆଇଓସି) କହିଛି। ଗତ ସସ୍ତାହର ଏକ ସ୍ବତନ୍ତ୍ର ରିପୋର୍ଟରୁ ଜଣାପଡ଼ିଛି ଯେ ଦଶନ୍ଧୀ ଦଶନ୍ଧୀ ଧରି ଭାରୋତ୍ତୋଳନ ସଂଘ ଦୁର୍ନୀତିରେ ଛନ୍ଦି ହୋଇରହିଛି। ପୂର୍ବତନ ସଭାପତି ତାମସ ଆଜନ୍‌ଙ୍କ ଅମଳରୁ ହିଁ ଆଇଡବ୍ଲୁଏଫ୍‌ ଦୁର୍ନୀତିର ଗନ୍ତାଘର ପାଲଟିଛି। ଏଥିରେ ଭୋଟ କିଣା, ଡୋପିଂ କଳଙ୍କ ଏବଂ ୧୦.୪ ମିଲିୟନ୍‌ ଡଲାର ନଗଦ ଅର୍ଥର ହିସାବ ନମିଳିବା ସାମିଲ ରହିଛି। ଏପରିକି ନଗଦ ଅର୍ଥ କାରବାରକୁ ଆଜନ୍‌ ନିଜ ନିୟଂତ୍ରଣର ମେସିନ୍‌ ଭାବେ ବ୍ୟବହାର କରୁଥିଲେ ବୋଲି ଗୁରୁତର ଅଭିଯୋଗ ଆସିଛି। ସେ ଆଇଡବ୍ଲୁଏଫ୍‌ ଆକାଉଣ୍ଟରୁ ବିପୁଳ ପରିମାଣର ଅର୍ଥ ମନଇଛା ଉଠାଉଥିଲେ ଏବଂ ଡୋପ୍‌ କଳଙ୍କ ପାଇଁ ଜରିମାନା ଅର୍ଥ ମଧ୍ୟ ଆଜନ୍‌ଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଯାଉଥିଲା। ତେବେ ଆଇଓସିର ଜନୈକ ପୂର୍ବତନ ସଦସ୍ୟ ତଥା ୭୦ ଦଶକର ମଧ୍ୟଭାଗରୁ ଆଇଡବ୍ଲୁଏଫ୍‌ ସହ ଜଡ଼ିତ ଥିବା ୮୧ ବର୍ଷ ବୟସ୍କ ଅଜାନ୍‌ ଏଭଳି କୌଣସି ଦୁର୍ନୀତିକୁ ଅସ୍ବୀକାର କରିଛନ୍ତି। ଆଜନ୍‌ ପ୍ରଥମେ ଆଇଡବ୍ଲୁଏଫ୍‌ର ମହାସଚିବ ଥିଲେ ଏବଂ ପରେ ୨୦୦୦ ମସିହାରୁ ସଭାପତି ରହିଆସିଥିଲେ। ସେ ଗତ ଏପ୍ରିଲରେ ଇସ୍ତଫା ଦେଇଛନ୍ତି।

ଅନ୍ୟପକ୍ଷରେ ଗତ ସପ୍ତାହରେ ମିଳିଥିବା ୧୨୧ ପୃଷ୍ଠା ବ୍ୟାପୀ ତଦନ୍ତ ରିପୋର୍ଟକୁ ଦେଖି ଆମେ ଖୁବ୍‌ ବ୍ୟଥିତ ଓ ମ୍ରିୟମାଣ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆଇଓସି ଅଧ୍ୟକ୍ଷ ଥୋମାସ୍‌ ବାକ୍‌। ଫଳରେ ଭାରୋତ୍ତୋଳନ ଆଗକୁ ଅଲିମ୍ପିକ୍ସରେ ତା’ର ସ୍ଥାନ ହରାଇବା ଆଶଙ୍କାରେ ପଡ଼ିଯାଇଛି ବୋଲି ବାକ୍‌ କହିଛନ୍ତି। ଆଇଓସି ମଧ୍ୟ ଆଗାମୀ ବର୍ଷ ଆୟୋଜିତ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଆଇଡବ୍ଲୁଏଫ୍‌ର କୌଣସି ଅଧିକାରୀଙ୍କୁ ସ୍ବୀକୃତି ମଞ୍ଜୁର କରିବ ନାହିଁ ବୋଲି ବାକ୍‌ ସ୍ପଷ୍ଟ କରିଛନ୍ତି। ସେହି ସମସ୍ତ ଅଧିକାରୀମାନେ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ବୈଠକରେ ମଧ୍ୟ ଉପସ୍ଥିତ ରହିପାରିବେନି ବୋଲି ବାକ୍‌ କହିଛନ୍ତି।

ସମ୍ବନ୍ଧିତ ଖବର