ଅଷ୍ଟ୍ରେଲିଆରେ ଏଥର କୋହଲିଙ୍କ ଦଳକୁ କଡ଼ା ଟକ୍କର ମିଳିବ: ଦ୍ରାବିଡ଼

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତ ସ୍ମରଣୀୟ ରହିଥିଲା। ପ୍ରଥମ ଥର ପାଇଁ ଭାରତ ଟେଷ୍ଟ୍ ଶୃଙ୍ଖଳା (୨-୧) ଜିତିଥିଲା। ଏହି ସଫଳତା ସତ୍ତ୍ବେ ସେ ସମୟରେ ଅଷ୍ଟ୍ରେଲିଆ ଦଳରେ ଡେଭିଡ୍‌ ୱାର୍ନର ଓ ଷ୍ଟିଭେନ୍ ସ୍ମିଥ୍‌ ନ ଥିବାରୁ ଭାରତ ଏହା କରିପାରିଥିଲା ବୋଲି ବିତର୍କ ମଧ୍ୟ ହୁଏ। ଚଳିତ ବର୍ଷ ଶେଷ ଆଡକୁ ଭାରତ ପୁଣି ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଥିବାରୁ ଏଥର ବିରାଟ କୋହଲିଙ୍କ ଦଳକୁ କଡ଼ା ଟକ୍କର ମିଳିବ ବୋଲି ବିଶ୍ବାସ କରୁଛନ୍ତି ଭାରତୀୟ ବ୍ୟାଟିଂ କିବଂଦନ୍ତି ରାହୁଲ ଦ୍ରାବିଡ଼। ମୋ ମତରେ ଏହି ଶୃଙ୍ଖଳା ବଡ଼ ଉତ୍କଣ୍ଠାପୂର୍ଣ୍ଣ ହେବ। ବିଶେଷ କରି ଭାରତ ଗତଥର ବିଜୟୀ ହୋଇଥିବାରୁ ଅଷ୍ଟ୍ରେଲିଆ ଏଥିରେ ସଂଶୋଧନ ଆଣିବାକୁ ଚେଷ୍ଟା କରିବ। ଏହି ଶୃଙ୍ଖଳାକୁ ନେଇ ଢେର ଆଲୋଚନା ହେଲାଣି। ଅଷ୍ଟ୍ରେଲିଆ ଦଳକୁ ୱାର୍ନର ଓ ସ୍ମିଥ୍‌ ଫେରିଥିବାରୁ ବ୍ୟାଟିଂ ଦୃଢ଼ ହୋଇଛି। ଗତଥର ବ୍ୟାଟିଂ ବିପର୍ଯ୍ୟୟ କାରଣରୁ ହିଁ ସେମାନଙ୍କ ବୋଲରଙ୍କୁ ଢେର ସୁଯୋଗ ମିଳିନଥିଲା। ଏଥିର ସେଭଳି ଘଟିବ ନାହିଁ ବୋଲି ସେମାନେ ଆଶା ରଖିଥିବେ’ ବୋଲି ଦ୍ରାବିଡ଼ ପ୍ରକାଶ କରିଛନ୍ତି।

ଭାରତୀୟ ଦୃଷ୍ଟିକୋଣରୁ ଦେଖିଲେ ଦଳର ବୋଲିଂ ଗତ କିଛି ବର୍ଷ ହେବ ଉନ୍ନତି କରିଚାଲିଛି। ଏହି ଶୃଙ୍ଖଳା ନିଶ୍ଚିତ ବ୍ୟାଟ୍‌ ଓ ବଲ୍‌ ମଧ୍ୟରେ ଭଲ ଲଢ଼େଇ ଆଣିବ। ୱାର୍ନର ଓ ସ୍ମିଥ୍‌ଙ୍କ ପ୍ରଭାବ ସତ୍ତ୍ବେ ଭାରତ ନିକଟରେ ମଧ୍ୟ କଡ଼ ଆହ୍ବାନ ଦେବାକୁ ସାମର୍ଥ୍ୟ ରହିଛି‌ ବୋଲି ଦ୍ରାବିଡ଼ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଭାରତ-ଅଷ୍ଟ୍ରେଲିଆ ୪ ମ୍ୟାଚ୍ ଟେଷ୍ଟ୍‌ ଶୃଙ୍ଖଳା ଡିସେମ୍ବର ୩ରୁ ଆଡିଲେଡ୍‌ରେ ଆରମ୍ଭ‌ ହେବାକୁ ଦିନ ଧାର୍ଯ୍ୟ ହୋଇଛି। ଏହା ବାଦ୍‌ ୩ ଲେଖାଏଁ ଟି-୨୦ ଓ ଦିନିକିଆ ମଧ୍ୟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର