ଆଇପିଏଲ୍‌ରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିଲି: ସାମି

କିଙ୍ଗ୍‌ଷ୍ଟନ୍: କ୍ରିକେଟ୍‌ରେ ବି ବର୍ଣ୍ଣବୈଷମ୍ୟ ଆକ୍ଷେପ ଭଳି ଘଟଣା ରହିଛି ବୋଲି କିଛି ଦିନ ତଳେ ଦୁଇ ୱେଷ୍ଟଇଣ୍ଡିଜ୍‌ ତାରକା କ୍ରିସ୍‌ ଗେଲ୍‌ ଓ ଡାରେନ୍‌ ସାମି କହିଥିଲା ବେଳେ ଭାରତର ଡୋଡୋ ଗଣେଶ ମଧ୍ୟ ଏଭଳି ଦୃଷ୍ଟାନ୍ତ ତାଙ୍କ କ୍ଷେତ୍ରରେ ଘଟିଥିବା କହିଥିଲେ। ହେଲେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଧ୍ୟ ଖେଳାଳିମାନେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିବା ଘଟଣା ଉପରୁ ପରଦା ଉଠାଇଛନ୍ତି ଡାରେନ୍‌ ସାମି। ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲା ବେଳେ ଏଭଳି ରଙ୍ଗ ଭେଦଭାବ ଆକ୍ଷେପର ସମ୍ମୁଖୀନ ହୋଇଥିଲି ବୋଲି ସେ ଅଭିଯୋଗ ବାଢ଼ିଛନ୍ତି। ଆଫ୍ରିକା-ଆମେରିକୀୟ ଜର୍ଜ ଫ୍ଲୟଡ୍‌ଙ୍କୁ ଆମେରିକାରେ ହତ୍ୟା ଘଟଣାକୁ ନେଇ ସାରା ବିଶ୍ବରେ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ଅଭିଯାନକୁ ସମର୍ଥନ ମିଳୁଥିଲା ବେଳେ ସାମି ଏଭଳି ଅଭିଯୋଗ ଉଠାଇଛନ୍ତି। ସନ୍‌ରାଇଜର୍ସ ଦଳରେ ଖେଳୁଥିଲା ବେଳେ ମୋତେ ‘କାଲୁ’ ବୋଲି ଡାକୁଥିବା ଶୁଣିଥିଲି। ମୋତେ ଏହି ନାମରେ ଡାକୁଥିଲା ବେ‌ଳେ ପେରେରାଙ୍କୁ ମଧ୍ୟ ସେହି ନାମ ଦେଉଥିଲେ। ମୁଁ ସେତେବେଳେ ଭାବୁଥିଲି କି ଏହାର ଅର୍ଥ ଶକ୍ତିଶାଳୀ ଷ୍ଟାଲିଅନ୍‌ ବୋଲି କହିଛନ୍ତି ସାମି। ମୋର ପୂର୍ବ ପୋଷ୍ଟ କିଛି ଅଲଗା କହୁଥିଲା ଏବଂ ମୁଁ ଖୁବ୍‌ ରାଗିଯାଇଥିଲି ବୋଲି ନିଜ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଟାରେ ସାମି ଲେଖିଛନ୍ତି। ଅବଶ୍ୟ କେତେବେଳେ କିଏ ଏଭଳି ମନ୍ତବ୍ୟ ଦେଇଥିଲେ ଠିକ୍‌ ଭାବେ ସେ କିଛି କହିନଥିଲେ। ହେଲେ ମୋତେ କାହିଁକି ‘କାଲୁ’ ଡାକୁଥିଲେ ତାହା ଏବେ ଭାବୁଛି।

ସାମି ଏବେ ବର୍ଣ୍ଣବୈଷମ୍ୟ ଘଟଣାକୁ ଗରୁତର ସହ ବିଚାର କରିବାକୁ ଆଇସିସିକୁ ଅନୁରୋଧ କରିଛନ୍ତି। ଏଭଳି ଭେଦଭାବ ଭଦ୍ର ଲୋକଙ୍କ ଖେଳ କ୍ରିକେଟ୍‌ର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଛି। ଆଇସିସି ସହିତ ଅନ୍ୟାନ୍ୟ ବୋର୍ଡମାନେ ମଧ୍ୟ ଏଦିଗରେ ଯତ୍ନବାନ ହେବାକୁ ସାମି ଆହ୍ବାନ ଦେଇଛନ୍ତି। ଏହାକୁ ସାମାଜିକ ଅନ୍ୟାୟ ବୋଲି ଅଭିହିତ କରିବା ସାଙ୍ଗକୁ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାମି କହିଛନ୍ତି। ଏଭଳି ଘଟଣା କେବଳ ଆମେରିକାରେ ନୁହେଁ, ବରଂ ଅନ୍ୟ ରାଷ୍ଟରେ ମଧ୍ୟ ଦେଖାଦେଉଛି ବୋଲି ସାମି କହିଛନ୍ତି।

ସମ୍ବନ୍ଧିତ ଖବର