ପିଙ୍କ ବଲ୍‌ ଟେଷ୍ଟ: ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ବିଜୟ ଠାରୁ ୪ ଓ୍ଵିକେଟ ଦୂରରେ ଭାରତ

କୋଲକାତା: ଭାରତରେ ଆୟୋଜିତ ପ୍ରଥମ ପିଙ୍କ ବଲ ଟେଷ୍ଟର ଦ୍ୱିତୀୟ ଦିନ ଶନିବାର ଖେଳ ଶେଷ ସୁଦ୍ଧା ବାଂଲାଦେଶ ବିପକ୍ଷରେ ଭାରତ ବିଜୟ ଠାରୁ ୪ ଓ୍ଵିକେଟ୍‌ ଦୂରରେ ଅଛି। ବିରାଟ କୋହଲିଙ୍କ ଟିମ୍‌ ୯ଟି ଓ୍ଵିକେଟ ହରାଇ ୩୪୭ ରନ୍‌ କରିବା ପରେ ପ୍ରଥମ ପାଳି ଘୋଷଣା କରିଥିଲା। ପ୍ରଥମ ପାଳି ଆଧାରରେ ଭାରତଠାରୁ ବାଂଲାଦେଶ ୨୪୧ ରନ୍‌ରେ ପଛୁୁଆ ଥିଲା। ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ବାଂଲାଦେଶ ଦ୍ୱିତୀୟ ପାଳିରେ ୬ଟି ଓ୍ଵିକେଟ ହରାଇ ୧୫୨ ରନ୍‌ ସଂଗ୍ରହ କରିଛି। ଫଳରେ ବାଂଲାଦେଶ ୮୯ ରନ୍‌ ପଛରେ ଅଛି। ଦ୍ୱିତୀୟ ପାଳିରେ ଈଶାନ୍ତ ଶର୍ମା ୪ଟି ଓ୍ଵିକେଟ ନେଇଥିବା ବେଳେ ଉମେଶ ଯାଦବ ୨ଟି ଓ୍ଵିକେଟ ନେଇଛନ୍ତି।

ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ମଧ୍ୟ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା। ମୁସଫିକର ରହିମ (ବ୍ୟାଟିଂ ଜାରି ୫୯ ରନ୍‌) ଓ ମହମଦୁଲ୍ଲା (୩୯ ରନ୍‌)ଙ୍କ ବ୍ୟତୀତ ଅନ୍ୟ ବ୍ୟାଟସ୍‌ମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

image credit : BCCI

ଭାରତ ପ୍ରଥମ ଦିନରେ ବାଂଲାଦେଶ ବିପକ୍ଷରେ ରାଜୁତି କରିଥିଲା। ଶୃଙ୍ଖଳାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୧୦୬ ରନ୍‌ରେ ଅଲ ଆଉଟ୍‌ ହୋଇଥିଲା। କୋଲକାତାର ଇଡେନ ଗାଡେନ ମ୍ୟାଚ୍‌ରେ ଭାରତ ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ୩ଟି ଓ୍ଵିକେଟ ହରାଇ ୧୭୪ ରନ୍‌ କରିଥିଲା। ଆଜି ଏହି ସ୍କୋର ୩୪୭ ରନ୍‌ରେ ପହଂଚିଥିଲା।

ଭାରତର ଏହି ସ୍କୋରରେ ଅଧିନାୟକ ବିରାଟ କୋହଲିଙ୍କ ଶତକ (୧୩୬ ରନ୍‌, ୧୮ ଚୌକା), ଚେତେଶ୍ୱର ପୂଜାରା (୫୪ ରନ୍‌) ଓ ଆଜିଙ୍କ ରାହାଣେ (୫୧ ରନ୍‌)ଙ୍କ ଅର୍ଦ୍ଧଶତକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ମୟଙ୍କ ଅଗ୍ରଓ୍ଵାଲ ୧୪ ରନ୍‌, ରୋହିତ ଶର୍ମା ୨୧ ରନ୍‌, ରବୀନ୍ଦ୍ର ଜାଦେଜା ୧୨ ରନ୍‌, ଋଦ୍ଧିମାନ ଶାହା ୧୭ ରନ୍‌, ରବିଚନ୍ଦ୍ରନ ଅଶ୍ୱିନ ୯ ରନ ଓ ମହମ୍ମଦ ସାମି ୧୦ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ବାଂଲାଦେଶ ପକ୍ଷରୁ ଏବଟ ହୁସେନ ୨ଟି ଓ ଅମିନ ହୁସେନ ଗୋଟିଏ ଓ୍ଵିକେଟ ନେଇଥିଲେ।

ଟସ୍‌ ଜିଣି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ଭାରତୀୟ ବୋଲରଙ୍କ ଆଗରେ ଜଣେ ପରେ ଜଣେ ବ୍ୟାଟସ୍‌ମ୍ୟାନ୍‌ ଆତ୍ମ ସମର୍ପଣ କରିଥିଲେ। ଈଶାନ୍ତ ଶର୍ମା ୨୨ ରନ୍‌ ଦେଇ ୫ଟି ଓ୍ଵିକେଟ୍‌ ନେଇଥିଲେ। ତାଙ୍କ ବ୍ୟତୀତ ଉମେଶ ଯାଦବ ୩ଟି ଓ ମହମ୍ମଦ ସାମି ୨ଟି ଓ୍ଵିକେଟ ନିଜ ନାମରେ କରିଥିଲେ। ଅତିଥି ଟିମ୍‌ର ୪ ଜଣ ବ୍ୟାଟସ୍‌ମ୍ୟାନ୍‌ ଖାତା ନ ଖୋଲି ପାଭଲିଅନ୍‌କୁ ଫେରିଥିଲେ। ବାଂଲାଦେଶ ୩୦.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା।

ସମ୍ବନ୍ଧିତ ଖବର