ଫାଓ ଲିଗ ମ୍ୟାଚ ବେଳେ ପଡ଼ିଆରେ ଉଡ଼ିଗଲା ପ୍ରାଣବାୟୁ, ଫାଓ ଦେବ ୧ଲକ୍ଷ

ଫାଓ ଲିଗ୍‌ରେ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳିଙ୍କ ମୃତ୍ୟୁ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଫାଓ ଲିଗ୍‌ରେ ଶନିବାର ଏକ ଦୁଃଖଦ ଘଟଣା ଘଟିଥିଲା। ମ୍ୟାଚ୍‌ ଖେଳୁଥିବା ବେଳେ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ଏସ୍‌ବିଆଇର ବରିଷ୍ଠ ଫୁଟ୍‌ବଲ ଖେଳାଳି ଅଜୟ କୁମାର ନାୟକ (୪୭)ଙ୍କର ମୃତ୍ୟୁ ହୋଇଛି। ସାଇ ପ୍ରଶିକ୍ଷଣ କେନ୍ଦ୍ର ସହିତ ଖେଳାଯାଉଥିବା ମ୍ୟାଚ୍‌ର ପ୍ରଥମାର୍ଧ ବେଳେ ଏହି ଘଟଣା ଘଟିଥିଲା। ମ୍ୟାଚ୍‌ ଚାଲିଥିଲା ବେଳେ ଫିଡ୍‌ସ ମାରିବାରୁ ସେ ପଡ଼ିଆରେ ପଡ଼ିଯାଇଥିଲେ। ପରେ ସଜ୍ଞାହୀନ ହୋଇଯାଇଥିଲେ। ଉପସ୍ଥିତ ଲୋକମାନେ ତାଙ୍କର ପମ୍ପି˚ କରିଥିଲେ ବି କୌଣସି ପ୍ରତିକ୍ରିୟା ମିଳିନଥିଲା। ଏପରିକି ଆମ୍ବୁଲାନ୍ସ ନଥିବାରୁ ଫାଓ ଭାରପ୍ରାପ୍ତ ସମ୍ପାଦକ ଅଭିଜିତ ପାଲ୍‌ଙ୍କ ଗାଡ଼ିରେ ତାଙ୍କୁ ତୁରନ୍ତ ଏସ୍‌ସିବି ମେଡିକାଲ୍‌କୁ ଅଣାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରାହ୍ନରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି। ୧୯୭୨ ଏପ୍ରିଲ ୧୧ ତାରିଖରେ ଜନ୍ମ ହୋଇଥିବା ଅଜୟ ୧୯୯୩ ମସିହାରେ ସିକିମ୍‌ରେ ଆୟୋଜିତ ହେଉଥିବା ଗଭର୍ଣ୍ଣରସ୍‌ ଗୋଲ୍ଡ କପ୍‌ରେ ରାଇଜି˚ ଷ୍ଟାର ପକ୍ଷରୁ ଖେଳି ବିଜେତା ହୋଇଥିଲେ। ପ୍ରତିଯୋଗିତାର ପ୍ରଦର୍ଶନ ଯୋଗୁଁ ୧୯୯୪ ମସିହାରେ ତାଙ୍କୁ ଏସ୍‌ବିଆଇରେ ନିଯୁକ୍ତି ମିଳିଯାଇଥିଲା। ଓଡ଼ିଶା ସନ୍ତୋଷ ଟ୍ରଫି ଦଳରେ ସେ ୫ ଥର ସ୍ଥାନ ପାଇଥିଲେ। ବର୍ତ୍ତମାନ ସେ ଝାଞ୍ଜିରିମଙ୍ଗଳା ଶାଖାରେ କ୍ୟାସ୍‌ ଅଫିସର ଭାବେ କାର୍ଯ୍ୟରତ ଥିଲେ। ଦୀର୍ଘ ଦିନ ଧରି ସେ ଏସ୍‌ବିଆଇ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାରେ ଖେଳିଆସୁଛନ୍ତି। ଶନିବାର ତାଙ୍କର ମୃତ୍ୟୁ ପରେ ଏକାଧିକ କ୍ରୀଡ଼ାବିତ୍‌ ଏସ୍‌ସିବି ମେଡିକାଲ୍‌ରେ ତାଙ୍କର ଶେଷ ଦର୍ଶନ କରିଥିଲେ।

ଫାଓ ଦେବ ୧ଲକ୍ଷ
ଫାଓ ଲିଗ୍‌ରେ ଖେଳୁଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଏସ୍‌ବିଆଇର ବରିଷ୍ଠ ଖେଳାଳି ଅଜୟ କୁମାର ନାୟକଙ୍କ ପରିବାରକୁ ୧ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବ ଫାଓ। ଲିଗ୍‌ ଚାଲିଥିବା ବେଳେ ଖେଳୁଥିବା ଅବସ୍ଥାରେ କୌଣସି ଖେଳାଳିଙ୍କ ମୃତ୍ୟୁ ହେବା ପ୍ରଥମ ଘଟଣା। ତଥାପି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଫାଓ ପକ୍ଷରୁ ଆର୍ଥିକ ସହାୟତାର ହାତ ବଢାଯାଇଛି। ଏଥସହିତ ସନରାଇଜ କ୍ଲବ୍‌ ସମ୍ପାଦକ ତଡ଼ିତ କୁମାର ରାଉତ, ରାଇଜି˚ ଷ୍ଟାର ସମ୍ପାଦକ ବିଜୟ ଦାସଙ୍କ ସହ ଅନେକ କ୍ରୀଡ଼ା ସ˚ଗଠକ ସ୍ବର୍ଗତ ଅଜୟଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।

ଆମ୍ବୁଲାନ୍ସ କାହିଁକି ନଥିଲା?
ରାଜ୍ୟ ଫୁଟ୍‌ବଲ ସ˚ଘର ସର୍ବୋଚ୍ଚ ଘରୋଇ ପ୍ରତିଯୋଗିତା ଫାଓ ଲିଗ୍‌ରେ ଆମ୍ବୁଲାନ୍ସର ଦେଖାନଥିଲା। ଯାହାଫଳରେ ସ˚ଜ୍ଞାହୀନ ହୋଇଯାଇଥିବା ଏସ୍‌ବିଆଇର ଖେଳାଳି ଅଜୟ କୁମାର ନାୟକଙ୍କୁ ମେଡିକାଲ୍‌ ନେବାରେ ବିଳମ୍ବ ହୋଇଥିଲା। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ରାଜ୍ୟ ସ˚ଘର ଏତେବଡ଼ ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ଆମ୍ବୁଲାନ୍ସ କାହିଁକି ରଖାଯାଇନଥିଲା। ଫୁଟବଲ୍‌ରେ ଆହତ ନିୟମିତ ଘଟଣା। କିନ୍ତୁ କେତେବେଳେ ଯେ ଛୋଟ ଆହତ ବଡ଼ ବିପଦକୁ ଡାକିଆଣିବ, ସେଥିପାଇଁ ମ୍ୟାଚ୍‌ ସମୟରେ ପଡ଼ିଆ ପାଖରେ ଆମ୍ବୁଲାନ୍ସ ରଖାଯାଇଥାଏ। ହେଲେ ଫାଓ କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟ ପାଇଁ ଜଣେ ଖେଳାଳିଙ୍କ ଜୀବନ ଚାଲିଗଲା। ଏପରିକ୍ଷେତ୍ରରେ ଫାଓର ଯୁକ୍ତି ହେଉଛି ଯେ ‘ଏହା ସେତେବଡ ପ୍ରତିଯୋଗିତା ନୁହେଁ ଯେ, ଆମ୍ବୁଲାନ୍ସ ରଖାଯିବ’। ଏବେ ଜଣଙ୍କର ଜୀବନ ଚାଲିଯିବା ପରେ ଫାଓ କ’ଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର।

ସମ୍ବନ୍ଧିତ ଖବର