ଅଲିମ୍ପିକ୍ସ ଜିମ୍ନାଷ୍ଟିକ୍ସ‌ରେ ଦୀପକ ପ୍ରଥମ ଭାରତୀୟ ବିଚାରକ

ନୂଆଦିଲ୍ଲୀ: ‌ଆଗାମୀ ଟୋକିଓ ଅଲିମ୍ପିକ୍ସ ଜିମ୍ନାଷ୍ଟିକ୍‌ରେ ବିଚାରକ ଦାୟିତ୍ବ ଦୀପକ କାବ୍ରା ମନୋନୀତ ହୋଇଛନ୍ତି। ଏଥିସହ ଦୀପକ ପ୍ରଥମ ଭାରତୀୟ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି। ସେ ଟୋକିଓରେ ପୁରୁଷ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟ୍ସରେ ଏହି ଦାୟିତ୍ବ ତୁଲାଇବେ। ‘‘ଗତ ବର୍ଷ ମାର୍ଚରେ ମୋ ପାଖକୁ ନିମନ୍ତ୍ରଣ ଆସିଥିଲା। ହେଲେ କରୋନା ପାଇଁ ଏହା ବନ୍ଦ ରହିଥିଲା। ଏବେ ଏହି ଅପେକ୍ଷା ଶେଷ ହେବାକୁ ଯାଉଛି। କୋଭିଡ ମହାମାରୀ ପାଇଁ ଏହି ପ୍ରତିଯୋଗିତା ଆୟୋଜନ ନେଇ ମୁଁ ଅନିଶ୍ଚିତତାରେ ଥିଲି। ହେଲେ ଏପ୍ରିଲରେ ପୁଣି ଥରେ ନିମନ୍ତ୍ରଣ ଆସିବାରୁ ମୋ ଅଲିମ୍ପିକ୍ସ ସ୍ବପ୍ନ ହେବାକୁ ଯାଉଥିବାରୁ ଖୁସି ଦ୍ବିଗୁଣିତ ହୋଇଯାଇଛି।’’ ବୋଲି ୩୩ ବର୍ଷୀୟ ଦୀପକ ପ୍ରକାଶ କରିଛନ୍ତି। ଭାରତରେ ଆୟୋଜିତ ୨୦୧୦ ରାଜ୍ୟଗୋ‌ଷ୍ଠୀ କ୍ରୀଡ଼ାରେ ଦୀପକଙ୍କୁ ପ୍ରଥମ ଅନ୍ତର୍ଜାତୀୟସ୍ତରରେ ବିଚାରକ ଦାୟିତ୍ବ ମିଳିଥିଲା।

ଏହା ପରେ ସେ ୨୦୧୪ ଏସୀୟ କ୍ରୀଡ଼ା ଏବଂ ଯୁବ ଅଲିମ୍ପିକ୍ସରେ ଦାୟିତ୍ବ ତୁଲାଇବାରେ ପ୍ରଥମ ଭାରତୀୟ ହୋଇଥିଲେ। ଏଥିସହ ସେ ୨୦୧୮ ଏସୀୟ ଓ ରାଜ୍ୟଗୋଷ୍ଠୀ ସହ ଆର୍ଜେଣ୍ଟିନାରେ ଆୟୋଜିତ ଯୁବ ଅଲିମ୍ପିକ୍ସରେ ବିଚାରକ ହୋଇଥିଲେ। ସେ ବିଶ୍ବ କପ୍‌ରେ ମଧ୍ୟ ବିଚାରକ ହୋଇଛନ୍ତି। ଦ୍ବିତୀୟ ବର୍ଗର ବିଚାରକ ଦୀପକ ୨୦୧୮ରେ ଏସୀୟ ଜିମ୍ନାଷ୍ଟିକ୍ସ ୟୁନିୟନର ‌ବୈଷୟିକ ସମିତିର ସଦସ୍ୟ ହୋଇଥିଲେ। ସୂଚନାଯୋଗ୍ୟ ଯେ ଟୋକିଓ ଅଲିମ୍ପିକ୍ସରେ ଭାରତରୁ ପ୍ରଣତି ନାୟକ ଅଂଶଗ୍ରହଣ କରିବେ। ପ୍ରଣତି ୨୦୧୯ ଏସୀୟ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସରେ କାଂସ୍ୟ ଜିତି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର