ଦୀପକଙ୍କ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ (୬/୨୨)

ହରିଆନା ବିପକ୍ଷ ବିଜୟ ସହ ଓଡ଼ିଶାର ଅଭିଯାନ ଶେଷ

କଟକ: ଦୀପକ ବେହେରାଙ୍କ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ସହାୟତାରେ ଓଡ଼ିଶା ବିଜୟ ହଜାରେ ଟ୍ରଫିରେ ବିଜୟ ସହ ଅଭିଯାନ ଶେଷ କରିଛି। ଶୁକ୍ରବାର ଗ୍ରୁପ୍‌ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ମ୍ୟାଚ୍‌ରେ ହରିଆନା ବିପକ୍ଷରେ ଓଡ଼ିଶା ଦମ୍‌ଦାର ବିଜୟ ହାସଲ କରିଛି। ଦୀପକ୍‌ ଏହି ମ୍ୟାଚ୍‌ରେ ୨୨ ରନ୍‌ ବ୍ୟୟ କରି ୬ ଓ୍ଵିକେଟ୍‌ ଦଖଲ କରିଥିଲେ। ଲିଷ୍ଟ ଏ’ରେ ଦୀପକଙ୍କର ଏହା ପ୍ରଥମ ୫ ଓ୍ଵିକେଟ ସଫଳତା ମଧ୍ୟ ଥିଲା। ଆଉ ଦୀପକ୍‌ଙ୍କ ଘାତକ ବୋଲିଂ ଯୋଗୁଁ ଶେଷ ଲିଗ୍‌ ମ୍ୟାଚ୍‌କୁ ଓଡ଼ିଶା ୯ ଓ୍ଵିକେଟରେ ଜିତିନେଇଛି। ଏଥିପୂର୍ବରୁ ରଣଜୀ ଟ୍ରଫିରେ ୨୦୧୨-୧୩ ଋତୁରେ ଦୀପକଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଉତ୍ତରପ୍ରଦେଶ ବିପକ୍ଷ ୬/୩୭ ରହିଥିଲା। ଚଳିତ ଋତୁର ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଗ୍ରୁପ୍‌ ଏ’ରେ ୬ ମ୍ୟାଚ୍‌ରୁ ୩ ବିଜୟ ସହ ୧୨ ପଏଣ୍ଟ୍‌ ପାଇ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛି। ବରୋଦା ପ୍ରଥମ ଓ କର୍ଣ୍ଣାଟକ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବାଙ୍ଗାଲୋରର ଜଷ୍ଟ କ୍ରିକେଟ୍‌ ପଡ଼ିଆରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ ହରିଆନା ଟସ୍‌ ଜିତି ବ୍ୟାଟିଂ କରିଥିଲା। ହେଲେ ଏହି ନିଷ୍ପତ୍ତିକୁ ଓଡ଼ିଶା ଦ୍ରୁତ ବୋଲର ଦୀପକ ବେହେରା ଭୁଲ୍‌ ପ୍ରମାଣିତ କରିଦେଇଥିଲେ। ସେ ହରିଆନାର ପ୍ରଥମ ୬ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଶିକାର କରିନେଇଥିଲେ। ଫଳରେ ୪୫.୪ ଓଭରରେ ହରିଆନା ସମସ୍ତ ଓ୍ଵିକେଟ ହରାଇ ୧୭୦ ରନ୍‌ କରିଥିଲା। ଦୀପକଙ୍କ ପ୍ରାରମ୍ଭିକ ଝଟ୍‌କା ଯୋଗୁଁ ଏକ ସମୟରେ ହରିଆନା ୧୦ ଓଭରରେ ୨୩ ରନ୍‌ କରି ୬ ଓ୍ଵିକେଟ୍‌ ହରାଇଥିଲା। ତେବେ ମଧ୍ୟକ୍ରମରେ ପଦାର୍ପଣ ଖେଳାଳି ସଂଜୟ ଧୂଲ୍‌ (୭୨ ରନ୍‌) ଏବଂ ନିମ୍ନକ୍ରମରେ ହର୍ଷଲ ପଟେଲ (୫୦)ଙ୍କ ଅର୍ଧଶତକୀୟ ପାଳି ବଳରେ ହରିଆନା ଦେଢ଼ଶହ ରନ୍‌ ଅତିକ୍ରମ କରିଥିଲା। ଉଭୟ ଧୂଲ୍‌ ଓ ପଟେଲ ଅଷ୍ଟମ ଓ୍ଵିକେଟ୍‌ରେ ୧୦୨ ରନ୍‌ ଯୋଡ଼ିଥିଲେ। ଜୟନ୍ତ ବେହେରା ଏହି ଯୋଡ଼ି ଭାଙ୍ଗିବା ପରେ ଦୀପକ୍‌ ତାଙ୍କର ଷଷ୍ଠ ଶିକାର ରୂପରେ ସଂଜୟ (୭୨)ଙ୍କ ଓ୍ଵିକେଟ୍‌ ଦଖଲ କରିଥିଲେ। ଓଡ଼ିଶା ପାଇଁ ଦୀପକଙ୍କ ବ୍ୟତୀତ ଜୟନ୍ତ ୨, ଦେବବ୍ରତ ପ୍ରଧାନ ଓ ପ୍ରୟାସ ସିଂହ ଗୋଟିଏ ଲେଖାଏଁ ଓ୍ଵିକେଟ ୍‌ଅକ୍ତିଆର କରିଥିଲେ। ସହଜସାଧ୍ୟ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଓଡ଼ିଶା ମଧ୍ୟ ଭଲ ଆରମ୍ଭ କରିଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରାଜେଶ ଧୂପର ଓ ଅନୁରାଗ ଷଡ଼ଙ୍ଗୀ ପ୍ରଥମ ଓ୍ଵିକେଟରେ ୪୬ ରନ୍‌ ଯୋଗ କରିଥିଲେ। ୨୮ ରନ୍‌ କରିଥିଲା ବେଳେ ରାଜେଶଙ୍କୁ ହର୍ଷଲ ପଟେଲ ଆଉଟ୍‌ କରିଥିଲେ। ଏହାପରେ ଅନୁରାଗଙ୍କ ସହିତ ଯୁବ ଖେଳାଳି ଶାନ୍ତନୁ ମିଶ୍ର ଦଳକୁ ବିଜୟୀ କରାଇଥିଲେ। ଅନୁରାଗ ୮୪ ଓ ଶାନ୍ତନୁ ୫୩ ରନ୍‌ରେ ଅପରାଜିତ କରିଥିଲେ।

ସମ୍ବନ୍ଧିତ ଖବର