ଡେନ୍‌ମାର୍କ ଓ ଅଷ୍ଟ୍ରେଲିଆକୁ ବିଶ୍ୱକପ୍‌ ଟିକେଟ୍‌

ଏରିକ୍‌ସନ୍‌ ଓ ଜେଦିନାକ୍‌ଙ୍କ ହ୍ୟାଟ୍ରିକ୍‌

ଡବ୍‌ଲିନ୍‌/ସିଡ୍‌ନି: ଡେନ୍‌ମାର୍କ ଓ ଅଷ୍ଟ୍ରେଲିଆକୁ ୨୦୧୮ ବିଶ୍ୱକପ୍‌ ଟିକେଟ୍‌ ମିଳିଯାଇଛି। ଆସନ୍ତାବର୍ଷ ରୁଷିଆରେ ଆୟୋଜିତ ହେବାକୁ ଯାଉଥିବା ଏହି ଫିଫା ବିଶ୍ୱକପ୍‌ ପ୍ଲେ-ଅଫ୍‌ରେ ଉଭୟ ଡେନ୍‌ମାର୍କ ଓ ଅଷ୍ଟ୍ରେଲିଆ ବୁଧବାର ନିଜ ନିଜର ବିଜୟ ସହ ଏହି ଯୋଗ୍ୟତା ହାତେଇ ନେଇଛନ୍ତି।

ଡବ୍‌ଲିନ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ପ୍ଲେ-ଅଫ୍‌ର ପ୍ରଥମ ଚରଣ ମ୍ୟାଚ୍‌ ଆୟର୍ଲାଣ୍ଡ୍‌ ସହ ଗୋଲ୍‌ ଶୂନ୍ୟ ଭାବେ ଶେଷ ହେବା ପରେ ମଙ୍ଗଳବାର ଦ୍ୱିତୀୟ ଚରଣ ମୁକାବିଲାରେ ଡେନ୍‌ମାର୍କ ୫-୧ ଗୋଲ୍‌ରେ ଆୟର୍ଲାଣ୍ଡ୍‌କୁ ପରାସ୍ତ କରିଦେଇଛି। କ୍ରିଷ୍ଟିଆନ୍‌ ଏରିକ୍‌ସନ୍‌ଙ୍କ ହ୍ୟାଟ୍ରିକ୍‌ ବଳରେ ଡେନ୍‌ମାର୍କ ଏକପାଖିଆ ବିଜୟ ହାସଲ କରିଥିଲା। ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ ସେନ୍‌ ଡଫି ହେଡ୍‌ ଜରିଆରେ ଗୋଲ୍‌ ପୋଷ୍ଟ୍‍କୁ ବଲ୍‌ ପଠାଇ ଆୟର୍ଲାଣ୍ଡ୍‌କୁ ଆଗୁଆ କରିଥିଲେ। କିନ୍ତୁ ଏରିକ୍‌ସନ୍‌ (୩୨, ୬୩ ଓ ୭୪ ମିନିଟ୍‌)ଙ୍କ ହ୍ୟାଟ୍ରିକ୍‌ ଏବଂ କ୍ରୁସ୍‌ କ୍ରିଷ୍ଟି (୨୯ ମିନିଟ୍‌) ଓ ନିକ୍‌ଲାସ୍‌ ବେଣ୍ଡ୍‌ନର୍‌ (୯୦ ମିନିଟ୍‌)ଙ୍କ ଗୋଟିଏ ଲେଖାଏଁ ଗୋଲ୍‌ ବଳରେ ଡେନ୍‌ମାର୍କ ସହଜ ବିଜୟ ପାଇଥିଲା।

ସେହିପରି ସିଡ୍‌ନିରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଅଧିନାୟକ ମିଲେ ଜେଦିନାକ୍‌ଙ୍କ ହ୍ୟାଟ୍ରିକ୍‌ (ଲଗାତାର ୩) ଗୋଲ୍‌ ବଳରେ ଅଷ୍ଟ୍ରେଲିଆ ୩-୧ରେ ହଣ୍ଡୁରାସ୍‌କୁ ପରାସ୍ତ କରି ରୁଷିଆ ଟିକେଟ୍‌ ପାଇଯାଇଛି। ୫୪ ମିନିଟ୍‌ରେ ଜେଦିନାକ୍‌ ଦଳ ପାଇଁ ପ୍ରଥମ ଗୋଲ୍‌ କରିବା ପରେ ପୁଣି ୧୩ ମିନିଟ୍‌ ଅନ୍ତରରେ ଦୁଇଟି ପେନାଲ୍‌ଟି ଗୋଲ୍‌ କରି ଅଷ୍ଟ୍ରେଲିଆକୁ ବିଜୟ ଭେଟି ଦେଇଥିଲେ। ଏଥି ସହିତ ନିଜର ୭୩ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ଜେଦିନାକ୍‌ଙ୍କ ଗୋଲ୍‌ ସଂଖ୍ୟା ମୋଟ ୧୮ରେ ପହଞ୍ଚିଥିଲା। ଏହା ପୂର୍ବରୁ ଉଭୟ ଦଳ ମଧ୍ୟରେ ଗତ ସପ୍ତାହରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ଭାବେ ଅମୀମାଂସିତ ରହିଥିଲା। ଏଥି ସହିତ ଅଷ୍ଟ୍ରେଲିଆ କ୍ରମାଗତ ଚତୁର୍ଥ ତଥର ମୋଟ ପଞ୍ଚମ ଥର ପାଇଁ ବିଶ୍ୱକପ୍‌ ଖେଳିବା ନିଶ୍ଚିତ କଲା।

ସମ୍ବନ୍ଧିତ ଖବର